Latest Odisha News

BREAKING NEWS

ବାସ୍ତବତା ଦ୍ୱାରା ସାହିତ୍ୟ ଏତେବେଶି ଆକ୍ରାନ୍ତ ନହେଉ : ବିଷ୍ଣୁ ନାଗର

ବିଷ୍ଣୁ ନାଗର (୧୪ ଜୁନ୍‍ ୧୯୫୦) ହିନ୍ଦୀ ସାହିତ୍ୟର ଜଣେ ଦିଗ୍‍ଗଜ ବ୍ୟକ୍ତିତ୍ୱ । ଗଳ୍ପ, ଉପନ୍ୟାସ, ଲଘୁକଥା, ସ୍ତମ୍ଭ ଓ କବିତା – ସବୁଥିରେ ତାଙ୍କର ଜବରଦସ୍ତ ଦଖଲ ରହିଛି । ସଂପ୍ରତି ଜାତୀୟ ସ୍ତରର ସମ୍ବାଦଭିତ୍ତିକ ହିନ୍ଦୀ ସାପ୍ତାହିକୀ ‘ଶୁକ୍ରବାର’ର ସଂପାଦକ ଭାବେ ଦିଲ୍ଲୀରେ କାର୍ଯ୍ୟରତ । ପ୍ରକାଶିତ କବିତା ପୁସ୍ତକ : ‘ମେ ଫିର୍‍ କେହତା ହୁଁ ଚିଡ଼ିଆ’, ‘ତାଲାବ୍‍ ମେ ଡୁବି ଛହ ଲଡକିଆଁ’, ‘ସଂସାର ବଦଲ ଯାଏଗା’, ‘ବଚ୍ଚେ, ପିତା ଔର୍‍ ମାଁ’, ‘କୁଛ୍‍ ଚିଜେଁ କଭି ଖୋଇ ନହିଁ’ ଏବଂ ‘ହଁସ୍ନେ କି ତରହ ରୋନା’ । ଗଳ୍ପ ପୁସ୍ତକ : ‘ଆଜ କା ଦିନ’, ‘ଆଦ୍‍ମୀ କି ମୁସ୍‍କିଲ’, ‘କୁଛ ଦୂର’, ‘ଆଖ୍ୟାନ’, ‘ଈଶ୍ୱର କି କାହାନିଆଁ’ । ନିବନ୍ଧ ପୁସ୍ତକ : ‘ଆଜ ଔର ଅଭି’, ‘ହମେ ଦେଖ୍‍ତି ଆଖେଁ’, ‘ୟଥାର୍ଥ କି ମାୟା’ । ସାହିତ୍ୟାଲୋଚନା, ସମୀକ୍ଷା, ଡାଏରୀ : ‘କବିତା କେ ସାଥ୍‍ ସାଥ୍‍’ । ବ୍ୟଙ୍ଗ ପୁସ୍ତକ :‘ଘୋଡ଼ା ଔର ଘାସ’, ‘ରାଷ୍ଟ୍ରୀୟ ନାକ’, ‘ଜୀବଜନ୍ତୁ ଔର ପୁରାଣ’, ‘ନୟୀ ଜନତା ଆ ଚୁକି ହେ’, ‘ଦେଶ ସେବା କା ଧନ୍ଦା’ । ଉପନ୍ୟାସ : ‘ସ୍ୱର୍ଗ ମେ ଆଦ୍‍ମୀ’ ଆଦି ପ୍ରକାଶିତ । କଥା ସମ୍ମାନ, ଶିଖର ସମ୍ମାନ, ହିନ୍ଦୀ ଏକାଡେମୀ ସମ୍ମାନ, ଦିଲ୍ଲୀର ସାହିତ୍ୟ ସମ୍ମାନ, ଶମଶେର ସମ୍ମାନ ଆଦି ବହୁ ସମ୍ମାନର ଅଧିକାରୀ ଶ୍ରୀ ନାଗର ଭୁବନେଶ୍ୱର ଆସିଥିବା ଅବସରରେ ତାଙ୍କୁ ସାକ୍ଷାତ କରିଥିଲେ ସରୋଜ ବଳ

 

ବାସ୍ତବତା ଦ୍ୱାରା ସାହିତ୍ୟ ଏତେବେଶି ଆକ୍ରାନ୍ତ ନହେଉ, ଯଦ୍ୱାରା ଲୋକେ ସ୍ୱପ୍ନଦେଖିବା ଭୁଲିଯିବେ
ବିଷ୍ଣୁ ନାଗର


ଆପଣ କେବେ ଓଡ଼ିଆ ସାହିତ୍ୟ ସଂସ୍ପର୍ଶରେ ଆସିଛନ୍ତି କି?
: ଅଳ୍ପବହୁତ ସଂସ୍ପର୍ଶରେ ଆସିଛି । ଫକୀରମୋହନଙ୍କ ଆତ୍ମକଥା ବୋଧହୁଏ ସବୁ ହିନ୍ଦୀ ଲେଖକ ପଢ଼ିଥିବେ । ଗୋପୀନାଥ ମହାନ୍ତିଙ୍କୁ ବା କିଏ ନଜାଣେ, ମାତ୍ର ତାଙ୍କୁ ବହୁତ ଆଗରୁ ପଢ଼ିଥିଲି । ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ଜେପି ଦାସ, ହରପ୍ରସାଦ ଦାସଙ୍କ ଭଳି କବିମାନେ ହିନ୍ଦୀରେ ଖୁବ୍‍ ଭଲଭାବେ ଜଣାଶୁଣା । ହରପ୍ରସାଦ ଦାସଙ୍କ କବିତା ତ ହିନ୍ଦୀ କବିତାର ଖୁବ୍‍ ପାଖାପାଖି । ସାହିତ୍ୟ ଏକାଡେମୀର ସମକାଳୀନ ଭାରତୀୟ ସାହିତ୍ୟ ପତ୍ରିକା ମଝିରେ ମଝିରେ ଓଡ଼ିଆ ସାହିତ୍ୟ ସହ ପରିଚୟର ସୁଯୋଗ ଦେଇଥାଏ । ତେବେ ଏ ପ୍ରଶ୍ନ ମୋତେ ଏବେ ଅସ୍ଥିର କରୁଛି ଯେ ଓଡ଼ିଆ ସାହିତ୍ୟ ଉପରେ ମୁଁ କାହିଁକି ଅଧିକାର ସାବ୍ୟସ୍ତ କରି ପାରୁନାହିଁ! ବୋଧହୁଏ ଏବେ ସମୟ ଆସିଛି ଓଡ଼ିଆ ସାହିତ୍ୟ ସହ ଘନିଷ୍ଠ ହେବାର । ଦୁଃଖର କଥା ଯେ ଆମ ଭାରତୀୟମାନେ ବିଦେଶୀ ସାହିତ୍ୟ ସହ ବେଶି ପରିଚୟ ରଖୁଥିବା ବେଳେ ଭାରତୀୟ ସାହିତ୍ୟ ସହ କ୍ୱଚିତ୍‍ ସଂପର୍କ ରଖିଥାନ୍ତି । ଆପଣଙ୍କର ଏହି ଉଦ୍ୟମ ବେଶ୍‍ ମହତ୍ତ୍ୱପୂର୍ଣ୍ଣ, ଏଇଥିପାଇଁ ଯେ ଏହାଦ୍ୱାରା ଦୁଇଟି ଭାଷାର ସାହିତ୍ୟକୁ ନିକଟତର କରିବା ଲାଗି ସାର୍ଥକ ସୁଯୋଗ ସୃଷ୍ଟି ହେଉଛି ।

ଆଜିର ବେପାରୀ ସଭ୍ୟତାରେ ସାହିତ୍ୟର କୌଣସି ବଜାରମୂଲ୍ୟ ଅଛି କି?
: ମୋ ଦୃଷ୍ଟିରେ ସାହିତ୍ୟର କୌଣସି ବଜାରମୂଲ୍ୟ ନାହିଁ । ଖାସ୍‍କରି ଭାରତୀୟ ଭାଷାରେ ଲେଖା ହେଉଥିବା ସାହିତ୍ୟର । ଏ ସାହିତ୍ୟ ବୋଧହୁଏ ବଜାର ପାଇଁ ସୃଷ୍ଟି ହିଁ ନୁହେଁ । ଏ ସାହିତ୍ୟ ସେଇମାନଙ୍କ ପାଇଁ ଯେଉଁମାନଙ୍କର ‘ବଜାର’ ପ୍ରିୟ ନୁହେଁ ।

ଯେତେବେଳେ ଶୃଙ୍ଗାରରୁ ସମାଧି ଯାଏଁ (Sex to Superconsciousness) ସବୁକଥା ପ୍ୟାକେଜ୍ରେ ମିଳୁଛି, ସେଠାରେ ସାହିତ୍ୟର ମୌଳିକ ଆବଶ୍ୟକତା ଓ ପ୍ରଭାବକୁ ହୃଦୟଙ୍ଗମ କରିବା ପାଇଁ ସୁଯୋଗ କାହିଁ?
: ସାହିତ୍ୟର ଆବଶ୍ୟକତା କେବେ ନଥିଲା ଯେ ଏବେ ରହିବ ନାହିଁ? ସାହିତ୍ୟ ମଣିଷ ଜୀବନର ସବୁଠୁ ପୁରୁଣା ଓ ବିଶ୍ୱସନୀୟ ଅଭିବ୍ୟକ୍ତି ହୋଇ ରହିଥିଲା ଓ ରହିଛି । ସାହିତ୍ୟକୁ ଆସି ମଣିଷ ଶବ୍ଦ ମାଧ୍ୟମରେ ନିଜ ପରମ-ଚରମ ଅଭିବ୍ୟକ୍ତିକୁ ଭେଟିଥାଏ । ଏବଂ ମାନିନିଅନ୍ତୁ ଯେ ସାହିତ୍ୟ କାହାରି ଆବଶ୍ୟକ ନହେଲେ ବି ଜଣେ ଲେଖକ ଓ ମଣିଷ ଭାବେ ମୋ ପାଇଁ ପରମ ଆତ୍ମୀୟ ଓ ଅନିବାର୍ୟ୍ୟ ହୋଇ ରହିବ । ତାକୁ ପଢ଼ିବା ଓ ଲେଖିବାରେ ମୋର ହକ୍‍ ରହିବ ।

ଆପଣ ହିନ୍ଦୀ କବିତା ଓ ଗଳ୍ପରେ ଜଣେ ସ୍ୱୟଂସିଦ୍ଧ ସର୍ଜନାକାର । ଏହାର ପ୍ରଭାବ କିପରି ପଡ଼ିଛି ଆପଣଙ୍କ ଉପରେ?
: କାହାଣୀ ବା କଳାର ସିଧାସଳଖ ପ୍ରଭାବ ପଡ଼ିଥାଏ; ଏହାକୁ ଗାଣିତିକ ସମୀକରଣରେ ହୁଏତ କୁହାଯାଇନପାରେ, କିନ୍ତୁ ଅନ୍ୟମାନଙ୍କ ପରି ମୋ ଉପରେ ମଧ୍ୟ ସାହିତ୍ୟର ପ୍ରଭାବ ଭିନ୍ନଭିନ୍ନ ଭାବେ ପଡ଼ିଛି । ସାହିତ୍ୟର ସଙ୍ଗତି ମୋତେ ବହୁତ କିଛି ଦେଇଛି, ବହୁତ କିଛି ବଦଳାଇଛି ଏବଂ ମୁଁ ଦୃଢ଼ନିଶ୍ଚିତ ଯେ ଅନ୍ୟମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପକାଉଥିବ । କିଛି ନହେଲେ ବି ଆଗଠାରୁ ଟିକେ ଅଧିକ ମଣିଷପଣିଆ ତ ଜଗାଇଥିବ, ସାମାନ୍ୟ ହେଲେ ବି ସମ୍ବେଦନଶୀଳତା ତ ସୃଷ୍ଟି କରିଥିବ!

ସଂପ୍ରତି ସାରା ଭାରତୀୟ ସାହିତ୍ୟରେ ଚାଲିଥିବା ନାରୀ ବିମର୍ଶ ଓ ଦଳିତ ବିମର୍ଶକୁ ନେଇ ଆପଣଙ୍କର ଦୃଷ୍ଟିଭଙ୍ଗୀ କେମିତି?
: ମୁଁ ଦଳିତ ଓ ନାରୀ ବିମର୍ଶ ସପକ୍ଷରେ । ଏ ବିମର୍ଶ ଗୋଟିଏ ପଟେ ଏୟା ଘୋଷଣାକରେ ଯେ ଏବେ ସାହିତ୍ୟର ଦ୍ୱାର ସମାଜର ସେହି ବର୍ଗଙ୍କ ପାଇଁ ବି ଖୋଲିଯାଇ ସାରିଛି ବା ସେମାନେ ନିଜ ପାଇଁ ଖୋଲିସାରିଛନ୍ତି । ଏହି ଲେଖକମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି ଯାହା ପୂର୍ବରୁ ଉଠୁନଥିଲା । ଆଜିର ଅନେକ ଉଚ୍ଚାଙ୍ଗ ସାହିତ୍ୟରେ ନାରୀ ଓ ଦଳିତ ବିମର୍ଶକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଛି । ଅବଶ୍ୟ ଏଥିରେ ଟିକେ ଯଦି ଅତିରଞ୍ଜନ ହେଉଥାଏ, ହେବାକୁ ଦିଅନ୍ତୁ । ହିନ୍ଦୀରେ ବି ଆଜି ପ୍ରେମଚନ୍ଦଙ୍କ ଉପରେ ପ୍ରଶ୍ନ ଉଠାଗଲାଣି । ତେବେ ଲେଖକ ପୁରୁଣା ହୁଅନ୍ତୁ କି ନୂଆ, ପ୍ରଶ୍ନ କରିବାର ଅଧିକାର ସମସ୍ତଙ୍କର ରହିଛି । ତାର ଉତ୍ତର ଦେବାର ଅଧିକାର ବି ସମସ୍ତଙ୍କର ରହିଛି । କିନ୍ତୁ ବଡ଼ବଡ଼ ଲେଖକଙ୍କୁ ପ୍ରଶ୍ନର କାଠଗଡ଼ା ଭିତରକୁ ଟଣାଯିବା ବେଳେ ଏହାକୁ ନେଇ ବ୍ୟସ୍ତ ହେବା ବି ଉଚିତ ନୁହେଁ ।

ଆପଣ କେବେ ଅନୁଭବ କରିଛନ୍ତି କି, ସାହିତ୍ୟରୁ ଅସଲ ଜୀବନବୋଧ ଏବଂ ସୌକୁମାର୍ଯ୍ୟ ଧୀରେଧୀରେ କମିବାରେ ଲାଗିଛି?
: ଏହା ସଂପୂର୍ଣ୍ଣ ଭାବେ ସତ୍ୟ ନୁହେଁ । ଜଣେ ସଂପାଦକ ଭାବେ ମୁଁ କହିବାକୁ ଚାହେଁ ଯେ ଯଦି ସଠିକ୍‍ ଜିନିଷ ସଠିକ୍‍ ଲେଖକ ଓ ପାଠକଙ୍କ ପାଖରେ ପହଂଚିପାରେ, ତେବେ ଲୋକେ ତାକୁ ପ୍ରେମ ଓ ସମ୍ମାନ ଦେବାରେ କାର୍ପଣ୍ୟ କରିବେ ନାହିଁ ।

ଶହେ ବର୍ଷ ପରେ ସାହିତ୍ୟର ଅବସ୍ଥା କିପରି ଥିବ ବୋଲି ଆପଣ ଅନୁମାନ କରୁଛନ୍ତି?
: ଜାଣେନା, ଶହେ ବର୍ଷ ପରେ ସାହିତ୍ୟ କେମିତି ଥିବ । ଆଜି ଭଳି ତ ନଥିବ । କାରଣ ସେ ସମୟର ଦାବି ଓ ପ୍ରଶ୍ନ ଅଲଗା ହୋଇଥିବ । ପାଠକ ବି ଅଲଗା ହୋଇଥିବେ । କିନ୍ତୁ କିଛିନାକିଛି ରୂପରେ ମଣିଷର ସାହିତ୍ୟ ସହ ସଂପର୍କ ଥିବ ।

ସାହିତ୍ୟର କାମ କ’ଣ? ଲୋକେ କାହିଁକି ଏହାକୁ ପଢ଼ିବାକୁ ଯିବେ?
: ସାହିତ୍ୟର କାମ ଗୋଟେ ପଟରେ ସମୟର ଧୂଳିମଳିକୁ ଅବିକଳ ଭାବେ ମାନବୀୟ ଦୃଷ୍ଟିକୋଣ ସହ ଧରିରଖିବା, ଯାହା ଅନ୍ୟ କୌଣସି କଳା କରିପାରେନାହିଁ । ଅନ୍ୟପଟରେ ଅଭିବ୍ୟକ୍ତିକୁ ନୂଆନୂଆ ରୂପରେ ଲୋକଙ୍କ ସାମ୍ନାକୁ ଆଣିବା ବି ସାହିତ୍ୟର କାମ, ଯଦ୍ୱାରା ମୁକ୍ତି ଓ ସଂଘର୍ଷକୁ ନେଇ ଅନ୍ୟସବୁ ଅଭିବ୍ୟକ୍ତିର ଆବଶ୍ୟକତାକୁ ଲୋକେ ଭୁଲିନଯିବେ ବା ଅସମ୍ଭବ ନଭାବିବେ । ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ସେ ଆମ ସହିତ ଦେଖିପାରେ, ଯେଉଁଥିରେ ମଣିଷ ମଣିଷ ଭିତରେ ଅଧିକ ମାନବିକତା, ସମାନତାପୂର୍ଣ୍ଣ ସଂପର୍କ ଥିବ । ଏଇଥିପାଇଁ ସାହିତ୍ୟ ପଢ଼ାଯିବା ଉଚିତ୍‍ ଓ ପଢ଼ାଯାଇଥାଏ ।

ସାହିତ୍ୟ ସହ ଅନ୍ୟ କେଉଁକେଉଁ ସୃଜନଶୀଳ କାର୍ଯ୍ୟର ବଶତା ସ୍ୱୀକାର କରନ୍ତି?
: ଜାଣେନା ଆପଣଙ୍କ ପ୍ରଶ୍ନର ସଠିକ୍‍ ଉଦେ୍ଧଶ୍ୟ କ’ଣ, ତେବେ ଯଦି କୌଣସି କାର୍ଯ୍ୟର ଗୋଲାମି କଥା ଉଠୁଛି, ମୁଁ କହିବି ଯେ ସାହିତ୍ୟର ବଶତା ମଧ୍ୟ ମୁଁ ସ୍ୱୀକାର କରେନାହିଁ । ଏମିତିରେ ମୁଁ ଅଳ୍ପବହୁତ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାରେ ଆଗ୍ରହ ରଖିଥାଏ ଯଦିଓ ସେ ସଂପର୍କରେ ମୋର କିଛି ଧାରଣା ନାହିଁ । ମୁଁ କୌଣସି ଗୋଟେ ରାଗ ସଂପର୍କରେ ବି ଜାଣେନାହିଁ । ପେଣ୍ଟିଂ ବା ଚିତ୍ରକଳାରେ ମଧ୍ୟ ରୁଚି ଅଛି । କେବେଦିନେ ଚିତ୍ର ଆଙ୍କିବାର ଦୁଃସାହସ ବି କରିଥିଲି । ତେବେ ଖୁବ୍‍ ଜଲ୍‍ଦି ମୁଁ ବୁଝିଗଲି ଯେ ମୋ ଦେଇ ଏସବୁ ହେବନାହିଁ । ଆଗ୍ରହ ବି ଅଛି ମୋର ପେଶା, ସାମ୍ବାଦିକତାରେ । ସେ କାମ ବି ମୋର ପ୍ରିୟ ।

ଆପଣଙ୍କ ରଚନାରେ ସବୁବେଳେ ବ୍ୟଙ୍ଗ ଓ ବିଦ୍ରୋହ ସ୍ଥାନ ପାଇଥାଏ । କେବେ ତାକୁ ନେଇ କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଛି କି?
: ଆଶ୍ୱାସନାର କଥା ଯେ ଦୀର୍ଘ ଦିନ ଧରି ଲୋକପି୍ରୟ ଦୈନିକ ଖବରକାଗଜରେ ଧାର୍ମିକ-ରାଜନୈତିକ-ସାମାଜିକ ଜୀବନର ଅସଙ୍ଗତିକୁ ନେଇ ବ୍ୟଙ୍ଗାତ୍ମକ ଢଙ୍ଗରେ ଲେଖିଆସୁଥିବା ସତ୍ତେ୍ୱ ଏଯାବତ୍‍ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ସାହିତ୍ୟକୁ ନେଇ ଆପଣଙ୍କ ସ୍ୱପ୍ନ କ’ଣ?
: ସାହିତ୍ୟକୁ ନେଇ ମୋର ଏତିକି ସ୍ୱପ୍ନ ଯେ ସାହିତ୍ୟରେ ମଣିଷର ସ୍ୱପ୍ନ ସବୁବେଳେ ବଂଚିରହୁ । ନିଷ୍ଠୁର ବାସ୍ତବତା ଦ୍ୱାରା ସାହିତ୍ୟ ଏତେବେଶି ଆକ୍ରାନ୍ତ ହେଇନଯାଉ ଯଦ୍ୱାରା ଲୋକେ ସ୍ୱପ୍ନ ଦେଖିବା ଭୁଲିଯିବେ!

Comments are closed.