Latest Odisha News

BREAKING NEWS

ହଦଗଡ଼ ଡ୍ୟାମ୍‌ର ସୌନ୍ଦର୍ଯ୍ୟ: ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ଓଡ଼ିଶା ଭିତରେ ମଧ୍ୟ ଏପରି ସ୍ଥାନ ସବୁ ରହିଛି ଯେଉଁଠିକୁ ଆପଣ ଗଲେ ଆସିବାକୁ ଇଚ୍ଛା କରିବେ ନାହିଁ। ବଣ ପାହାଡ ଘେରା କେନ୍ଦୁଝର ଜିଲ୍ଲାର ହଦଗଡ଼ ଡ୍ୟାମର ପ୍ରାକୃତିକ ଶୋଭା ଏତେ ମନଲୋଭା ଯେ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିପାରିବ ନାହିଁ ।

ହଦଗଡ଼ ଅଭୟାରଣ୍ୟ ଭିତରେ ଅବସ୍ଥିତ ଏହି ଡ୍ୟାମ୍‌ଟି ପିତାନଭ ଏବଂ ବଉଳା ନାମକ ଦୁଇ ପାହାଡ଼ ମଧ୍ୟରେ ନିର୍ମାଣ କରାଯାଇଛି। ଡ୍ୟାମ୍‌ର ଦୁଇ ପଟେ ସୁଉଚ୍ଚ ସବୁଜ ପାହାଡ଼ ରହିଛି । ଏହାର ମଝିରେ ରହିଛି ସାଳନ୍ଦୀ ନଦୀ । ଆଉ ଏହି ନଦୀ ଉପରେ ନିର୍ମାଣ କରାଯାଇଛି ହଦଗଡ଼ ଡ୍ୟାମ୍‌ ।

ଏହି ଜଳଭଣ୍ଡାରର ଗଭୀରତା ହେଉଛି ୨୭୨ ଫୁଟ୍‌। ସମଗ୍ର ବାଲଶ୍ୱରରେ ଜଳସେଚନ ବ୍ୟବସ୍ଥା କରିବା ନିମନ୍ତେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଏହି ଡ୍ୟାମଟି ନିର୍ମାଣ କରାଯାଇଥିଲା।

ଆପଣ ଏହି ଡ୍ୟାମ୍‌ ଉପରେ ଠିଆ ହୋଇ ଜଳଭଣ୍ଡାରର ଗୋଟିଏ ଦିଗକୁ ଦେଖିଲେ ଆଖି ପାଇବ ନାହିଁ। ଏହାର ବହୁ ଦୂର ପର୍ଯ୍ୟନ୍ତ ଆପଣଙ୍କୁ ସାଳନ୍ଦୀ ନଦୀ ଏବଂ ପର୍ବତମାଳା ଦେଖାଯିବ। ସେଠାକାର ଥଣ୍ଡା ପବନ ଆପଣଙ୍କୁ ମାନସିକ ଶାନ୍ତି ନିଶ୍ଚିନ୍ତ ଦେବ।

ଏହି ଡ୍ୟାମ୍‌ ଉପରେ ଚାଲିଚାଲି ଗଲେ ଆପଣ ସେଠାକାର ମନୋରମ ପରିବେଶକୁ ମନଭରି ଉପଭୋଗ କରିପାରିବେ। ସେଠାରେ ଜଳଭାଗର କିଛି ଦୂରରେ ଗୋଟେ ଛୋଟିଆ ଟାପୁ ରହିଛି। ଘଞ୍ଚ ଜଙ୍ଗଲ ସାଙ୍ଗକୁ କୁଳୁକୁଳୁ ବହି ଯାଉଥିବା ନଦୀକୁ ଆପଣ ବହୁ ପାଖରୁ ଦେଖିପାରିବେ।

ଏହା ଏକ ସୁନ୍ଦର ପିକ୍‌ନିକ୍‌ ସ୍ପଟ୍‌ ମଧ୍ୟ। ପିକ୍‌ନିକ୍‌ ଋତୁରେ ଆପଣ ଏଠାରେ ପହଞ୍ଚିଲେ ଏହି ସ୍ଥାନ ଅନ୍ୟସବୁ ସ୍ଥାନଠାରୁ ଖାସ୍‌ ଲାଗିବ। ଆଉ ଆପଣ କେବଳ ପିକ୍‌ନିକ୍‌ ଋତୁ ନୁହେଁ, ଯେ କୌଣସି ସମୟରେ ଏହି ସୁନ୍ଦର ସ୍ଥାନକୁ ଯାଇ ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ।

Leave A Reply

Your email address will not be published.