Latest Odisha News

ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି:ଭର୍ତ୍ତୃହରି

ଭୁବନେଶ୍ବର: ପାଣ୍ଡିଆନଙ୍କୁ କଡା ସମାଲୋଚନା କଲେ ବିଜେପି ନେତା ଭର୍ତ୍ତୃହରି ମହତାବ । ଇସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି ଭର୍ତ୍ତୃହରି । କହିଲେ ଯିଏ ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ । ଇସିଆଇର କାର୍ଯ୍ୟାନୁଷ୍ଠାନକୁ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । ସେ କହିଛନ୍ତି ,କିଛି ଅଫିସର ମିଶି ଓଡ଼ିଶାବାସୀଙ୍କୁ ଉତ୍ପୀଡ଼ନ କରୁଛନ୍ତି । ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି, ଯାହା ଅତ୍ୟନ୍ତ ଗୁରୁତର କଥା । ବର୍ତ୍ତମାନ ବି ସମୟ ଅଛି, ସତର୍କ ହୋଇଯାଆନ୍ତୁ କହିଛନ୍ତି ଭର୍ତ୍ତୃହରି । ବିଜେପି କ୍ଷମତାକୁ ଆସିଲେ ଏମାନଙ୍କ ମଧ୍ୟରୁ କୌଣସି ଅଫିସର ବାଦ୍ ପଡ଼ିବେନି । ବିଜେପି ସରକାର ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଭର୍ତ୍ତୃହରି ।

ସେପଟେ ଆଜି ସକାଳେ ଦୁଇ ଆଇପିଏସ୍ ଅଫିସରଙ୍କ ନିଲମ୍ବନ ନେଇ ବଡ ବୟାନ ଦେଇଛନ୍ତି ପାଣ୍ଡିଆନ । ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସକାଳୁ ପ୍ରେସମିଟ୍‌ କରି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ କହିଛନ୍ତି , ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତୃମଣ୍ଡଳୀ ଯାହା ଚାହୁଁଛନ୍ତି, ସେ ଅନୁସାରେ ଇସିଆଇ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ କେବେବି ଅଫିସର ମାନଙ୍କୁ ରାଜନୀତି କାମରେ ନିୟୋଜିତ କରୁନାହାଁନ୍ତି । ବଜେପି  ଯାହା ଚାହୁଁଛି ତାହା ହେଉଛି । ଏସବୁ ପାଇଁ ବିଜେଡି ଉପରେ କୌଣସି ପ୍ରଭାବ ପକେଇବ ନାହିଁ । ବିଜେଡି ବହୁତ ସ୍ଟ୍ରଙ୍ଗ୍ ଅଛି । ନିଲମ୍ବିତ ହୋଇଥିବା ଦୁଇ ଅଫିସର ଓଡିଶାରେ ନକ୍ସଲବାଦକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ଛତିଶଗଡ଼ରେ ଏବେ ମଧ୍ୟ  ନକ୍ସଲ କାର୍ଯ୍ୟକଳାପ ବନ୍ଦ ହୋଇ ପାରୁ ନାହିଁ। କିନ୍ତୁ ଓଡ଼ିଶାର ବନ୍ଦ ହୋଇଛି। ଅଧିକାରୀମାନେ ନିଜ ଜୀବନକୁ ବାଜି ଲଗାଇ ନକ୍ସଲଙ୍କ ସହ ଲଢ଼ିଛନ୍ତି। ଏପରି ଭଲ କାମ କରିଥିବା ଲୋକଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

ସୂଚନା ଥାଉକି, ଗତକାଲି ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଇସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ଆଜି ଅପରାହ୍ନ ୩ଟା ସୁଦ୍ଧା ତାଙ୍କୁ ଦିଲ୍ଲୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଗତକାଲି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗରେ ଏଭଳି ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। । ସେହିପରି ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ ପାଇଁ ଭୁବନେଶ୍ୱର ଏମସ୍ ଡାକ୍ତରୀ ଟିମ୍ ଯାଞ୍ଚ କରିବାକୁ  ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.