ରାୟଗଡା: ଆଜି ଗୋଟିଏ ଦିନରେ ଦୁଇ ଦୁଇଟା ଜିଲ୍ଲାର ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ପ୍ରଥମେ କୋରାପୁଟର ପଟାଙ୍ଗୀ ପରେ ଏବେ ରାୟଗଡା ଜିଲ୍ଲାର ବିଷମକଟକ ଓ ଗୁଣୁପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ପାଣ୍ଡିଆନ । ଏହା ସହ ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।
ଏହି ଅବସରରେ ପାଣ୍ଡିଆନ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତିଯେ, ଆପଣମାନଙ୍କ ଏତେ ସଂଖ୍ୟାରେ ଉପସ୍ଥିତି ଓ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି । ସେମାନେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଟଙ୍କାକର କାମ କରିନାହାନ୍ତି । ନିର୍ବାଚନ ସରିଲେ ମୁଁ କିନ୍ତୁ ଆପଣମାନଙ୍କ ପାଖକୁ ଧନ୍ୟବାଦ ଦେବାକୁ ଆସିବି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି ।
ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ଉପରେ ପାଣ୍ଡିଆନ କହିଛନ୍ତି ଯେ, ଏଥିପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି । କେଉଁ ରାଜ୍ୟରେ ବି ଏଭଳି ପଦକ୍ଷେପ ନିଆଯାଇନାହିଁ ବୋଲି ସେ କହିଥିଲେ । ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆପଣଙ୍କ ଅନୁରୋଧରେ ଆମେ ଯେଉଁ ସବୁ କାମ ପାଇଁ ପଦକ୍ଷେପ ନେଇଛୁ, ସେ ସବୁ କାମର ହିସାବ ଦେବା ପାଇଁ ଆସିଛି ।
ସେ କହିଥିଲେ ଯେ, ବିଷମକଟକରେ ୧୬୦ କୋଟି ଟଙ୍କାର କାମ ଚାଲିଛି । ବିଷମକଟକ ଓ ମୁନିଗୁଡା ଏନଏସି ହୋଇଛି, କଲ୍ୟାଣସିଂପୁର ହସ୍ପିଟାଲ ସିଏଚସି, ଡଙ୍ଗରିଆ କନ୍ଧଙ୍କ ପାଇଁ ଘର, ଏସସି ହଷ୍ଟେଲ, ଡ୍ୟାମ୍ ଆଦି ମଞ୍ଜୁର ହୋଇଛି । ସେହିପରି ସଉରା ମନ୍ଦିର ସହିତ ୧୦୦ଟି ମନ୍ଦିର, ମସ୍ଜିଦ, ଚର୍ଚ୍ଚ ପାଇଁ ଅର୍ଥ ମଞ୍ଜୁର ହୋଇଛି ।
ଗୁଣୁପୁର ପାଇଁ ୧୩୭୦ କୋଟି ଟଙ୍କାର କାମ ଚାଲିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, କେବଳ ଜଳସେଚନ ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ହରଭଙ୍ଗି ନଦୀ ଓ ବିଶ୍ରା ନାଳି ଉପରେ ଆଡିବନ୍ଧ ଦ୍ବାରା ଜଳସେଚନ କ୍ଷେତ୍ରରେ ବିଶେଷ ଉନ୍ନତି ହେବ ।
ସେ କହିଥିଲେ ଯେ, ବଡ ବଡ ହସ୍ପିଟାଲକୁ ଗରିବ ଲୋକ, ଜନଜାତି ଭାଇଭଉଣୀ ଯିବା ପାଇଁ ଭୟ କରନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ସେ ଭୟ ଦୂର କରିଛନ୍ତି, ଗୁଣୁପୁରର ୮୦ ହଜାର ୫୦୦ ପରିବାର BSKY କାର୍ଡ ପାଇଛନ୍ତି । ଗୁଣୁପୁରର ଗୋଟିଏ ଛୋଟ ଝିଅର କ୍ୟାନସର ଚିକିତ୍ସା ପାଇଁ ୯.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବର୍ତ୍ତମାନ ସେ ପିଲା ସୁସ୍ଥ ହୋଇଛି ଓ ତା ବାପା ମାଆଙ୍କ ମୁହଁରେ ହସ ଫୁଟିଛି । ଏ ହେଉଛି ଆମ ମୁଖ୍ୟମନ୍ତ୍ରୀଙ୍କ କାମର ନମୁନା, ଆନ୍ତରିକତାର ନମୁନା ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ବିରୋଧୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବି ସେମାନେ ସହିପାରୁ ନାହାନ୍ତି ତାକୁ ମଧ୍ୟ ବନ୍ଦ କରିବାକୁ ଚାହୁଁଛନ୍ତି । ଜନତା ତାଙ୍କୁ ଉଚିତ୍ ଜବାବ ଦେବେ । ତେଣୁ ଆପଣମାନେ ଉଭୟ ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ସେ ଆହ୍ବାନ ଦେଇଥିଲେ ।
Comments are closed.