Latest Odisha News

ରାଜ୍ୟ କଂଗ୍ରେସରେ କନ୍ଦଳ ଅସମ୍ଭାଳ

ଭୁବନେଶ୍ବର: ନିଜେ ହାରିଲେ, ଦଳ ହାରିଲା। ଇସ୍ତଫା ଦିଅନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର ବରିଷ୍ଠ ନେତା ବି କହିଲେଣି। ସାରା ଦେଶରେ ପରିବର୍ତ୍ତନର ସୁଅ କଂଗ୍ରେସ ସପକ୍ଷରେ ଗଲା, ଓଡିଶାରେ କେମିତି ବିଜେପି ନେଇଗଲା ଫାଇଦା? କେଉଁଠି ଭୁଲ୍ ରହିଲା ତାର ତର୍ଜମା ହେଉ । ଇସ୍ତଫା ଚାପ ଭିତରେ କାଳିମାଡ଼ କାର୍ଯ୍ୟାନୁଷ୍ଠାନକୁ ନେଇ ବି ଶରତଙ୍କ ଉପରକୁ ଆଙ୍ଗୁଳି ଉଠିଲାଣି । ବହିଷ୍କୃତ ନେତା ତ ସୋସିଆଲ୍ ମିଡିଆରେ ଆଣୁଛନ୍ତି ସଂଗୀନ ଅଭିଯୋଗ। କେବଳ ଟିକେଟ୍ ବେଳେ ଟଙ୍କା କାରବାର ନୁହେଁ ବିଧାୟକ ଦଳ ନେତା ପାଇଁ ବି ଶରତ ଡିଲ୍ କରିଥିବା ଅଭିଯୋଗ ବି ଆସିଲାଣି।

ହାରିଲ…ଇସ୍ତଫା ଦିଅ

ନିଜେ ଶୋଚନୀୟ ଭାବେ ପରାଜିତ ହେଲେ । ଦେଶରେ ଭଲ କଲେ ବି ରାଜ୍ୟରେ ହାରିଲା ଦଳ । ପିସିସି ସଭାପତି ଶରତ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେବାକୁ କହିଲେଣି କଂଗ୍ରେସର ବରିଷ୍ଠ ନେତା। ପଞ୍ଚାନନ କାନୁନଗୋ ହୁଅନ୍ତୁ କି ଜୟଦେବ ଜେନା, ଶରତଙ୍କୁ ପଦ ଛାଡିବାକୁ କହିଛନ୍ତି । ରାଜ୍ୟରେ କଂଗ୍ରେସ ୯ରୁ ୯୦ଟି ସିଟ୍ ଜିତିବ ବୋଲି କହୁଥିଲା ହେଲେ ୧୪ରେ ହିଁ ଅଟକିଗଲା ଦଳ । ରାଜ୍ୟରେ ଶାସନ ବିରୋଧୀ ହାଓ୍ବାର ଫାଇଦା ବିଜେପି ନେଲା, ହେଲେ ଭଲ ପ୍ରଦର୍ଶନ କରିପାରିଲାନି କଂଗ୍ରେସ। ଏହାର ତର୍ଜମା ହେବା ଦରକାର ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି । ୨୦୧୪ରେ ଦଳର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ଫଳାଫଳ ପ୍ରକାଶ ପାଇବା ଦିନ ହିଁ ପିସିସି ସଭାପତି ପଦ ଛାଡିଥିଲେ ବୋଲି କହି ତେରେଛା ବାଣ ମାରିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ସେପଟେ କଂଗ୍ରେସ ପୂର୍ବାପେକ୍ଷା ଭଲ କରିଛି କହିଛନ୍ତି ଶରତ ପଟ୍ଟନାୟକ।

ପ୍ରାର୍ଥୀରୁ ପଦ ହୋଇଛି ଡିଲ୍ !

କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ମାନସ ଚୌଧୁରୀ କେବେ ପ୍ରେସମିଟ ତ କେବେ ସୋସିଆଲ ମିଡିଆ, ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରୁଛନ୍ତି । କେମିତି ସନ୍ତୋଷ ସିଂ ସାଲୁଜାଙ୍କୁ ବିଧାୟକ ଦଳ ନେତା କରିବା ପାଇଁ ଶରତ ୫୦ଲକ୍ଷ ଟଙ୍କା ମାଗିଥିଲେ ସେନେଇ ଭିଡିଓରେ କହିଛନ୍ତି । ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ ଆସିଥିଲା। ହେଲେ ଜାଲ ଦସ୍ତଖତ କରି ରାଜ୍ୟ ପ୍ରଭାରୀ ଅଜୟ କୁମାର ଓ ଶରତ ପଟ୍ଟନାୟକ ଟଙ୍କା ଆତ୍ମସାତ କରିଥିବା ବି ସେ ଅଭିଯୋଗ ଆଣିଛନ୍ତି । ମାନସ ଚୌଧୁରୀଙ୍କ ସମର୍ଥକ ମଧ୍ୟ ସୋସିଆଲ୍ ମିଡିଆରେ ଅଜୟ ଓ ଶରତଙ୍କ ବିରୋଧରେ ଭିଡିଓ ପୋଷ୍ଟ କରୁଛନ୍ତି । ଏଥିସହ ଶରତଙ୍କୁ ହଟାଇବାକୁ କଂଗ୍ରେସର ଏକ ଗୋଷ୍ଠୀ ଲାଗିଥିବା କୁହାଯାଉଛି ।

ମହଙ୍ଗା ପଡିବ କାଳିମାଡ଼ କାର୍ଯ୍ୟାନୁଷ୍ଠାନ !

ଶରତ ପଟ୍ଟନାୟକଙ୍କୁ କାଳିମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନରୁ ନେଇ ଥମୁନି ବିବାଦ । କଂଗ୍ରେସ ଭବନ ସାମନାରେ ଧାରଣାରେ ବସିଛନ୍ତି ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା । ବିନା କାରଣ ଦର୍ଶାଇ ତାଙ୍କୁ ଦଳରୁ କଢାଯାଇଥିବା ଅଭିଯୋଗରେ ସେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି । କାଳିମାଡ ଘଟଣାରେ ୫କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ । ସେପଟେ ମହିଳାଙ୍କୁ ସମ୍ମାନର କଥା କହୁଥିବା କଂଗ୍ରେସ କାହିଁକି ଦିନ ଦିନ ଧରି ଧାରଣାରେ ବସିଥିବା ଶ୍ରୀୟାସ୍ମିତାଙ୍କ ପାଇଁ ଚୁପ୍ ବୋଲି ପ୍ରଶ୍ନ କଲେଣି ଅନେକ କର୍ମୀ ।

ଗତ ନିର୍ବାଚନରେ କଂଗ୍ରେସ ପାଇଁ ରାଜ୍ୟରେ ସୁଯୋଗ ଥିଲା । ହେଲେ ସୁଯୋଗର ଫାଇଦା ନେଇ ପାରିଲାନି ଦଳ । ରାଜ୍ୟର ମୋଟ୍ ୧୪୭ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ନିଜେ ୧୪୫ଟି ସିଟରେ ଲଢିଥିବା ବେଳେ ମେଣ୍ଟ ସହଯୋଗୀଙ୍କ ପାଇଁ ୨ଟି ଛାଡିଥିଲା । ୧୪୫ରୁ କଂଗ୍ରେସ ୧୪ଟି ସିଟ୍ ଜିତିଥିବା ବେଳେ ସିପିଆଇଏମ୍ ଗୋଟିଏରେ ବିଜୟୀ ହୋଇଛି । ୧୧ଟି ସ୍ଥାନରେ ଦଳ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୨୬ଟି ସିଟରେ ୩୦ହଜାରରୁ ଅଧିକ ଭୋଟ୍ ପାଇଛନ୍ତି ଦଳୀୟ ପ୍ରାର୍ଥୀ । ଲୋକସଭାରେ କୋରାପୁଟ ହିଁ ହାତରେ ରଖିପାରିଛି କଂଗ୍ରେସ । ପ୍ରାର୍ଥୀ ନିଷ୍ପତ୍ତିଠୁ ଆରମ୍ଭ କରି ଦଳୀୟ ପାଣ୍ଠିକୁ ନେଇ ଦଳରେ ଅସନ୍ତୋଷ ରହିଛି । ଏହାପରେ ଦଳରୁ ବହିଷ୍କାର ଓ କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ଚଳିତ ମାସ ଏଆଇସିସି ସାଧାରଣ ସଂପାଦକ ଅଜୟ ମାକେନ ଓ ତାରିକ ଅନଓ୍ବର ଓଡିଶା ଆସି କର୍ମୀଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି । ସେମାନେ ରିପୋର୍ଟ ଦେବା ପରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇପାରେ ।

Leave A Reply

Your email address will not be published.