Latest Odisha News

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ, ୯୦୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରିକ୍ଷା

ନୂଆଦିଲ୍ଲୀ: ଶେଷ ହେବ ଗଣତନ୍ତ୍ରର ମହାନ ପର୍ବ । ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ । ସେପଟେ ଓଡ଼ିଶା ବିଧାନସଭାର ଅବଶିଷ୍ଟ ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ଆରମ୍ଭ ହୋଇଛି ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୬ଟାରେ ସରିବ ଭୋଟିଂ । ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରାୟ ୧.୦୯ ଲକ୍ଷ ମତଦାନ କେନ୍ଦ୍ର ହୋଇଥିବା ବେଳେ ୧୦.୯ ଲକ୍ଷ ପୋଲିଂ ଅଫିସର ନିୟୋଜିତ ଅଛନ୍ତି । ସେହିପରି ଶେଷ ପର୍ଯ୍ୟାୟ ନିର୍ବାଚନରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେବେ ୧୦.୦୬ କୋଟିରୁ ଅଧିକ ଭୋଟର । ସେଥିରୁ ୫.୨୪ କୋଟି ପୁରୁଷ, ୪.୮୨ କୋଟି ମହିଳା ଏବଂ ୩୫୭୪ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

ସେପଟେ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ଯାଜପୁର, କେନ୍ଦ୍ରାପଡା, ବାଲେଶ୍ଵର, ମୟୁରଭଞ୍ଜ, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାର ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା କରିବେ ୯୯.୬୧ ଲକ୍ଷ ଭୋଟର । ଭୋଟ ଦେବା ପାଇଁ ସକାଳୁ ସକାଳୁ ଭୋଟର ମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଛି ।

ରାଜ୍ୟରେ ମୋଟ ୧୦ ହଜାର ୮୮୨ଟି ବୁଥ୍ ହୋଇଥିବାବେଳେ, ଏଥିରୁ ୨୧ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଅଟେ । ସୁରକ୍ଷାକୁ ଦୃଷ୍ଟିରେ ରଖି ୩୬ ହଜାର ପୋଲିସ ଓ ୧୨୬ କଂପାନୀ କେନ୍ଦ୍ରୀୟ ଫୋର୍ସ,୮୬ ପ୍ଲାଟୁନ ଆର୍ମ ପୋଲିସ ଫୋର୍ସ ସହ ୨୦ ହଜାର ୫ଶହ ସିଭିଲ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ୨୧ଟି ଚେକ୍ ପୋଷ୍ଟ କରାଯାଇ ଚେକିଂ କରାଯାଉଛି ।

 

 

 

Leave A Reply

Your email address will not be published.