Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ: ୧୫ ବର୍ଷ ପରେ ନିୟମଗିରିରେ ପଡ଼ିଲା ଭୋଟ୍‌

ରାୟଗଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଆଜି ସକାଳ ୭ଟାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ନିଜ ନିଜ ମତାଧିକାର ସାବ୍ୟସ୍ତ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଭୋଟରମାନେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମତଦାନ ଦେଉଥିବା ନଜର ଆସିଛି। ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍‌ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ। ମୋଟ୍ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର, ୧୮ ହଜାର ୪୯୫ ବୁଥ୍‌ରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୨ ହଜାର ୭୭୩ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି।

ତୃତୀୟ ପର୍ଯ୍ୟାୟରେ ୧୭୧ ଜିଲ୍ଲା ପରିଷଦ ଜୋନ୍‌ରେ ୬୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ବୁଥ୍ ରିଗିଂ ଓ ବୁଥ୍ କ୍ୟାପ୍‌ଚରିଂକୁ ବନ୍ଦ କରି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ଅନ୍ୟପକ୍ଷେ, ୧୫ ବର୍ଷ ପରେ ରାୟଗଡ଼ା ଜିଲ୍ଲାର ନିୟମଗିରିରେ ମତଦାନ ହେଉଥିବାରୁ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ଏଠାକାର ପାରସାଲି ପଞ୍ଚାୟତର ୧୧ଟି ଓ୍ୱାର୍ଡରେ ୧,୬୧୯ ଜଣ ଭୋଟର ମତଦାନ କରିବେ। ପୂର୍ବରୁ ନିୟମଗିରିରେ ମତଦାନ ନ ହୋଇ ପ୍ରତିନିଧି ଚୟନ କରାଯାଉଥିଲା।

Comments are closed, but trackbacks and pingbacks are open.