Latest Odisha News

ରାଜଗାଙ୍ଗପୁର ବ୍ଲକରେ ୱାଡି ପ୍ରକଳ୍ପର ଶୁଭାରମ୍ଭ; ୪୮.୭୫ ଏକର ଜମିରେ କାଜୁ ଚାଷ

ସୁନ୍ଦରଗଡ଼: ରାଜଗାଙ୍ଗପୁର ବ୍ଲକର କୁକୁଡ଼ା ପଞ୍ଚାୟତରେ ବୁଧବାର ଦିନ ୱାଡି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା ଏହାର ଉଦଘାଟନ କରିଛନ୍ତି।

୧୪ ଜଣ ସ୍ଥାନୀୟ ଚାଷୀଙ୍କୁ ନେଇ ୪୮.୭୫ ଏକର ଜମିରେ କାଜୁ ଚାଷ କରାଯାଉଛି। ଏହି ଜମିରେ ଆଧୁନିକ କିସମର ୪ ହଜାରରୁ ଅଧିକ କାଜୁ ଚାରା ରୋପଣ କରାଯାଉଛି।

ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ବିଧାୟକଙ୍କ ସହ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ମାନସିଂ ସୋରେନ୍, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଧା ବାରୁଆ, ସରପଞ୍ଚ ଶ୍ରୀମତୀ ରିଲା ଟପୋ, ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମୋନାଲିସା କିସପୋଟା ଏବଂ ଡିଏମଏଫର ଜୀବିକା ବିଶେଷଜ୍ଞ ଶ୍ରୀଯୁକ୍ତ ଅଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ। ରାଜଗାଙ୍ଗପୁର ବ୍ଲକରେ ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ଏହି ପ୍ରକଳ୍ପର ସହଯୋଗୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି।

ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ କୁତ୍ରା, ରାଜଗାଙ୍ଗପୁର, କୋଇଡ଼ା, ହେମଗିରି, କୁଆରମୁଣ୍ଡା ଏବଂ ଲହୁଣିପଡ଼ା ବ୍ଲକରେ ୱାଡି ପ୍ରକଳ୍ପ ମାଧ୍ୟମରେ କାଜୁ, ଲିଚୁ, ଲେମ୍ବୁ, ଆମ୍ବ ଆଦି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ପ୍ରତି ବ୍ଲକରେ ୫୦୦ ଏକର ଜମିରେ ୱାଡି ପ୍ରକଳ୍ପ ଲାଗୁ କରିବାକୁ ଲକ୍ଷ୍ୟ ରହିଛି।

ୱାଡି ପ୍ରକଳ୍ପ ପାଇଁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ବୈଷୟିକ ସହାୟତା ଯୋଗାଇ ଦେଉଥିବା ବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଦେଉଛି। ଏହି ପ୍ରକଳ୍ପ ସହ ମହାତ୍ମା ଗାନ୍ଧୀ ନରେଗାକୁ ଯୋଡ଼ି ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ଜୀବିକା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ଯୋଜନା କରିଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି।

ୱାଡି ଯୋଜନାରେ ଚାଷୀମାନଙ୍କର ଖାଲି ପଡ଼ିଥିବା ଜମିରେ ଫଳ ଚାଷ କରି ସେମାନଙ୍କର ଦୀର୍ଘସ୍ଥାୟୀ ଜୀବିକା ବାବଦରେ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଚାଷୀମାନଙ୍କୁ ନେଇ ଉଦ୍ୟାନ ବିକାଶ ସମିତି ଗଠନ କରାଯାଇ ଚାରା ରୋପଣ ଓ ପରିଚାଳନା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ଜିଲ୍ଲାରେ ଡିଏମଏଫର ଆର୍ଥିକ ସହାୟତାକ୍ରମେ ଏଥିପାଇଁ ଏକ ୭ ବର୍ଷିଆ ଯୋଜନା ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.