Latest Odisha News

BREAKING NEWS

ନିର୍ବାଚନର ସଂକେତ

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ବିହାର ନିର୍ବାଚନର ଫଳ ଆସି ସାରିଛି । ଭାରତୀୟ ରାଜନୀତିକୁ ବେଶ ଭାବେ ପ୍ରଭାବିତ କରୁଥିବା ରାଜ୍ୟ ମଧ୍ୟରୁ ବିହାର ଅନ୍ୟତମ । ଏନଡିଏ ଏଠାରେ ସ୍ପଷ୍ଟ ମହୁମତ ପାଇଛି ଓ ସରକାର ଗଠନ କରିବ । ମହାଗଠବନ୍ଧନ ଯଦିଓ ପ୍ରଭାବଶାଳୀ ପ୍ରଦର୍ଶନ ଦେଖାଇଛି, କିନ୍ତୁ ଏହା କ୍ଷମତାଠାରୁ କିଛି ଦୂରରେ ରହି ଯାଇଛି ।

ତେବେ ବିହାର ନିର୍ବାଚନ ଅନେକ ସଂକେତ ଦେଉଛି । ବିହାରରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି । ଜେଡିୟୁଠାରୁ ବିଜେପିର ପ୍ରଦର୍ଶନ ବଢିଆ ରହିଛି । ଯଦିଓ ଆଗରୁ ଘୋଷଣା ସରିଛି ଯେ, ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ନିର୍ବାଚନର ଫଳ ବିଜେପିର ପଲା ଭାରି କରିଛି । ହୁଏତ ମନ୍ତ୍ରିମଣ୍ଡଳରେ ଏଣିକି ବିଜେପିର ଦବଦବା ରହିବ । ସେହିପରି ନୀତିଶ ବି ଆଗରୁ ଘୋଷଣା କରି ସାରିଛନ୍ତି ଯେ- ଏହା ତାଙ୍କର ଶେଷ ନିର୍ବାଚନ ।

କଥା ହେଉଛି- ବିହାର ଓ ଉତ୍ତର ପ୍ରଦେଶ ଭଳି ଦୁଇଟି ବଡ଼ ରାଜ୍ୟ ଜାତୀୟ ରାଜନୀତିକୁ ଅନେକ ବାଗରେ ପ୍ରଭାବିତ କରି ଆସିଛନ୍ତି । ଯିଏ ସାଧାରଣ ନିର୍ବାଚନରେ ସେଇଠୁ ଅଧିକ ଆସନରେ ଜିତିଛି, ସିଏ ହିଁ ହୁଏତ କେନ୍ଦ୍ରରେ କ୍ଷମତା ଦଖଲ କରିବା ସହଜ ହୋଇଛି । ତେବେ ଏହି ଦୁଇଟି ରାଜ୍ୟର ନିର୍ବାଚନ ସବୁବେଳେ ଜାତି, ଧର୍ମ ଆଦି ଆଧାରରେ ହିଁ ଲଢା ଯାଇଛି । ଜାତିବାଦକୁ ଭୋଟ ରାଜନୀତି ଉଭୟ ରାଜ୍ୟରେ ସର୍ବାଧିକ । ମଣ୍ଡଳକୁ ଆଦର୍ଶ ମାନୁଥିବା ଦଳ ବା ଓବିସି ଏବଂ ପଛୁଆ ଜାତିକୁ ନେଇ ଲଢୁଥିବା ଦଳ, ଯାହାକୁ ଆମେ ମହାଗଠବନ୍ଧନ ବୋଲି କହି ପାରିବା ଏବଂ ହିନ୍ଦୁ ଆଦର୍ଶକୁ ନେଇ ଲଢୁଥିବା ଏନଡିଏ ମଧ୍ୟରେ ହିଁ ଲଢେଇ ହୋଇଥିଲା ବିହାରରେ । ତେବେ ଉଭୟ ପ୍ରସଙ୍ଗ ସର୍ବାଧିକ ଗୁରୁତ୍ୱ ପାଇ ନଥିବା ଭୋଟହାରରୁ ଜଣାପଡ଼ୁଛି । ଯଦି ଗୋଟିଏ ବି ପ୍ରସଙ୍ଗକୁ ମତଦାତା ଆପଣାଇ ନେଇ ଥାଆନ୍ତେ, ତାହାଲେ ସେମାନେ ସେହି ଦଳକୁ ଅନ୍ୟଠାରୁ ଢେର ଅଧିକ ଆସନ ଦେଇ ଥାଆନ୍ତେ । ସବୁ ଭିତରେ କିନ୍ତୁ ବାମପନ୍ଥୀଙ୍କ ଆସନରେ ବୃଦ୍ଧି ଏକ ଉଲ୍ଲେଖନୀୟ ଘଟଣା । ସେହିପରି ଓୱାସିଙ୍କ ଦଳ ସଂଖ୍ୟାଲଘୁ ଭୋଟ ହାତେଇଛି । ଯାହା ପ୍ରମାଣିତ କରୁଛି- ସଂଖ୍ୟାଲଘୁମାନେ ନିଜ ପାଇଁ ଏକ ସୁରକ୍ଷିତ ଦଳକୁ ପସନ୍ଦ କରୁଛନ୍ତି । ଧର୍ମ ନିରପେକ୍ଷ କହି ଲଢୁଥିବା ମହାଗଠବନ୍ଧନ ଅପେକ୍ଷା ଏହି ଦଳ ସେମାନଙ୍କର ବେଶି ପସନ୍ଦ । ଉଚ୍ଚ ଜାତିର ହିନ୍ଦୁ ଭୋଟ ସ୍ୱାଭାବିକ ଭାବେ ଏନଡିଏକୁ ଯାଇଛି ।

ଏସବୁ ଭିତରେ ବିହାରତ ସରିଗଲା । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଆଉ ପଶ୍ଚିମବଙ୍ଗ ଉପରେ ସଭିଙ୍କ ଆଖି । ଏବେ ଯିଏ ସବୁଠାରୁ ଅଧିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତି ପାଦରେ ବିରୋଧ କରି ଆସିଛନ୍ତି, ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗଲା ଲୋକସଭା ନିର୍ବାଚନ ସମୟରେ ସେଠାରେ ବିଜେପି ଆଶାଠାରୁ ଢେର ଅଧିକ ଭଲ ଫଳ କରିଥିଲା । ତେଣୁ ଯେଉଁ ଦଳ ଶାସନରେ ଅଛି, ତା’ ବିରୋଧରେ ଯଦି କିଛି ଅସନ୍ତୋଷ ଥାଏ, ସେହି ହାୱା ମମତା ବାନାର୍ଜୀଙ୍କ ବିରୋଧରେ ହୁଏତ ଯିବ । ବିଜେପି ପଶ୍ଚିମବଙ୍ଗରେ ସେ ହାୱା ସାମ୍ନା କରିବାର ନାହିଁ । ଆଉ ପଶ୍ଚିମବଙ୍ଗ ଅକ୍ତିଆର କରିଦେଲେ, ବିଜେପି ପାଇଁ ଭାରତରେ ବିରୋଧୀଙ୍କ ସଂଖ୍ୟା କମିଯିବ । ବିହାର ବିଜେପି ବିଜେପିର ଉତ୍ସାହ ନିହାତି ବଢାଇବ । ସେହି ଉତ୍ସାହ ପଶ୍ଚିମବଙ୍ଗରେ ପ୍ରତିଫଳିତ ହେବ ବୋଲି ଆଶା କରାଯାଏ ।

ଏପରେ ଓଡ଼ିଶାରେ ଦୁଇଟି ବିଧାନସଭା ଆସନରେ ଉପ-ନିର୍ବାଚନ ହୋଇଥିଲା । ଉଭୟ ଆସନରେ ବିଜେଡ଼ି ଜିତିଛି । ବାଲେଶ୍ୱର ବିଧାନସଭା ଆସନଟି ବିଜେଡ଼ି ଛଡ଼ାଇ ଆଣିଛି ବିଜେପି ହାତରୁ । କଂଗ୍ରେସ କେଉଁଠାରେ ବି ଭଲ ପ୍ରଦର୍ଶନ କରିନାହିଁ । ଯାହା ପ୍ରମାଣିତ କରୁଛି- ୨୧ ବର୍ଷରୁ ଅଧିକ ଶାସନ କଲେ ବି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ବାଲେଶ୍ୱର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରତିନିଧିତ୍ୱ କରନ୍ତି । କିନ୍ତୁ ସେଠାକାର ସଦର ଆସନରୁ ବିଜେପି ହାରିବା ଓ ନିଜ ହାତରେ ପୂର୍ବରୁ ଥିବା ସିଟକୁ ବିଜେଡ଼ି ଜିତିବା ପ୍ରମାଣିତ କରୁଛି- ଓଡ଼ିଶାରେ ବିଜେପି ଭିତରେ ହୁଏତ ଆହୁରି ଅନେକ ତାଳମେଳର ଆବଶ୍ୟକତା ରହିଛି ।

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.