Latest Odisha News

BREAKING NEWS

ଆଉ ନାହାନ୍ତି ସାଜିଦ-ଓ୍ୱାଜିଦ ଯୋଡ଼ିର ଓ୍ୱାଜିଦ, କରୋନାରେ ସଂକ୍ରମିତ ଥିଲେ

ମୁମ୍ୱାଇ: ଭାଙ୍ଗିଲା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲିଉଡ୍ ସିଙ୍ଗର ସାଜିଦ-ଓ୍ୱାଜିଦ ଯୋଡ଼ି  । ସାଜିଦଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ଓ୍ୱାଜିଦ ଖାନ୍  । ରବିବାର ରାତିରେ କରୋନା ଭାଇରସ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ମାତ୍ର ୩୯ ବର୍ଷ ବୟସରେ ମୁମ୍ୱାଇର ଚେମ୍ୱୁର ଅଞ୍ଚଳରେ ଥିବା ଏକ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି  । କୋଭିଡ-୧୯ ଭାଇରସରେ ସଂକ୍ରମିତ ହୋଇ ସପ୍ତାହେ ହେଲା ସେଠାରେ ଚିକିତ୍ସିତ ଥିଲେ  । ଏନେଇ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ ମ୍ୟୁଜିକ ଡିରେକ୍ଟର ସଲିମ ମର୍ଚ୍ଚେଣ୍ଟ  ।

୬ ମାସ ତଳେ ଓ୍ୱାଜିଦଙ୍କର କିଡନୀରେ ସମସ୍ୟା ଦେଖାଦେଇଥିଲା  । ଆଉ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହୋଇଥିଲା  । ପରେ ଧୀରେ ଧୀରେ ସେ ସୁସ୍ଥ ହୋଇଆସୁଥିଲେ  । ମାତ୍ର କିଛିଦିନ ତଳେ ପ୍ରଥମେ ଗଳାରେ କଷ୍ଠ ଅନୁଭବ କରିବାରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ  । ଆଉ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା  । ରୋଗପ୍ରତିରୋଧକ ଶକ୍ତି କମିଯାଇଥିବାରୁ ତାଙ୍କୁ ସଂକ୍ରମଣ ହୋଇଥିବା କହିଛନ୍ତି ସଲିମ  । ଓ୍ୱାଜିଦଙ୍କ ମୃତ୍ୟୁ ପୁରା ବଲିଉଡକୁ ସ୍ତବ୍ଧ କରିଦେଇଛି  । ପ୍ରିୟଙ୍କା ଚୋପ୍ରା, ସୋନୁ ନିଗମଙ୍କ ଭଳି କଳାକାରମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  ।

୧୯୯୮ ମସିହାରେ ସାଜିଦ-ଓ୍ୱାଜିଦ ଦୁଇ ଭାଇ ସଲମାନ ଖାନ-କାଜୋଲ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ରୁ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ  । ତାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଏହି ଯୋଡ଼ି  । ପରେ ଏହି ଯୋଡ଼ି ସଲମାନ ଖାନଙ୍କର ତେରେ ନାମ୍, ମୁଝସେ ଶାଦି କରୋଗୀ, ପାର୍ଟନର, ହେଲୋ, ଗଡ୍ ତୁସି ଗ୍ରେଟ୍ ହୋ, ବୀର, ଦବଙ୍ଗ, ଏକ୍ ଥା ଟାଇଗର ଭଳି ଫିଲ୍ମରେ ଅନେକ ସୁପରହିଟ୍ ସଙ୍ଗୀତ ଦେଇଛନ୍ତି  । ଇଦରେ ସଲମାନଙ୍କ ଫାର୍ମ ହାଉସରେ ରିଲିଜ୍ ହୋଇଥିବା ଭାଇ-ଭାଇ ଗୀତର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ସାଜିଦ-ଓ୍ୱାଜିଦ ଯୋଡ଼ି  । ଯାହାକୁ ଗାଇଥିଲେ ନିଜେ ସଲମାନ୍  । ସଲମାନ ଖାନଙ୍କ ଫିଲ୍ମ ବ୍ୟତୀତ ମଧ୍ୟ ଅନେକ ଫିଲ୍ମର ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଥିଲେ ଏହି ଯୋଡ଼ି  । ଆଉ ଏବେ ସାଜିଦଙ୍କୁ ଅଧାରାସ୍ତାରେ ଛାଡ଼ି ଚାଲିଗଲେ ଓ୍ୱାଜିଦ  । ଯାହାକି ବଲିଉଡ୍ ଜଗତ ଲାଗି ଏକ ଅପୂରଣୀୟ କ୍ଷତି  ।

Leave A Reply

Your email address will not be published.