Latest Odisha News

BREAKING NEWS

ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ଦରକାର: ମୁଲାୟମ ସିଂ ଯାଦବ

ନୂଆଦିଲ୍ଲୀ: କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତକଥା, ବୁଧବାର ଦିନ ମୋଦୀଙ୍କୁ ବର୍ଷ ବର୍ଷ ଧରି ବିରୋଧ କରିଆସୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ଲୋକସଭାର ଅନ୍ତିମ ଅଧିବେସନରେ କହିଛନ୍ତି, ନିର୍ବାଚନ ଜିତି ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ ।

ଆଗାମୀ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଗତ କିଛିଦିନ ହେଲା ନେତା ନେତାଙ୍କ ମଧ୍ୟରେ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି ବେଶ୍ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଆଜି ଲୋକସଭାର ବଜେଟ ଅଧିବେଶନର ଅନ୍ତିମ ଦିବସରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ସେ ପୁନର୍ବାର କ୍ଷମତାକୁ ଆସି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କହିବା ମାତ୍ରେ ‘ଜୟ ଶ୍ରୀରାମ’ ଧ୍ୱନୀରେ ଲୋକସଭା ଗୃହ ପ୍ରକମ୍ପିତ ହୋଇଥିଲା

ଅନେକ ବର୍ଷ ଧରି ମୋଦୀଙ୍କ ରାଜନୈତିକ ବିରୋଧୀ ରହିଆସିଥିବା ମୁଲାୟମ ସିଂହ ଯାଦବ ଲୋକସଭାର ଏହି ଅଧିବେଶନର ଅନ୍ତିମ ଦିନରେ ଭାବ ବିହ୍ୱଳ ହୋଇ ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି, ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା କଥା । ସେ ନିଜ ଶାସନକାଳ ମଧ୍ୟରେ ସଭିଙ୍କୁ ସାଥିରେ ନେଇ ଚାଲିବାକୁ ଯଥେଷ୍ଟ ଉଦ୍ୟମ କରିଛନ୍ତି । ମୋଦୀ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସଫଳ ହୋଇ ପାରିଛନ୍ତି ବୋଲି ବରିଷ୍ଠ ସାଂସଦ ମୁଲାୟମ ସିଂହ ଯାଦବ କହିଛନ୍ତି ।

ଆଜି ଗୃହରେ ମୁଲାୟମ ମୋଦୀଙ୍କୁ ଏହିପରି ପ୍ରଶଂସା କରିବା ସମୟରେ ତାଙ୍କ ପାଖରେ ବସିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେ ଏହି କଥା ଶୁଣି ମୁରୁକି ମୁରୁକି ହସିବାର ଦେଖାଯାଇଥିଲା ।

“ ମୈ କେହନା ଚାହତା ହୁଁ କି ସାରେ ସଦସ୍ୟ ଫିର୍ ସେ ଜିତ୍ କେ ଆୟେଁ । ମେରି କାମନା ହେ କି ପ୍ରଧାନମନ୍ତ୍ରୀ ଜୀ ଆପ୍ ଫିର୍ ସେ ପ୍ରଧାନମନ୍ତ୍ରୀ ବନେ । ମେରା ଅନୁଭବ ହେ କି ମୈ ଜବ୍ ଭି ଆପ୍ ସେ ମିଲା, ଆପନେ ତୁରନ୍ତ ମେରା କାମ୍ କିୟା,” ଏହିପରି ମୋଦୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୁଲାୟମ ।

ଏସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ପ୍ରକାଶ କରି ରାହୁଲ ଗାନ୍ଧୀ କହିଛନ୍ତି, “ମୁଁ ତାଙ୍କ ସହିତ ଏକମତ ନୁହେଁ, ମାତ୍ର ତାଙ୍କର ବକ୍ତବ୍ୟକୁ ସମ୍ମାନ ପ୍ରଦର୍ଶନ କରୁଛି ।”

ପ୍ରଧାନମନ୍ତ୍ରୀ ମୋଦୀ ମୁଲାୟମଙ୍କ ତାଙ୍କ ପ୍ରତି ପ୍ରଶଂସା ଶୁଣି କହିଛନ୍ତି, ମୁଁ ମୋର ବିନମ୍ରତା ପ୍ରକାଶ କରୁଛି ।

Leave A Reply

Your email address will not be published.