Latest Odisha News

BREAKING NEWS

PM Modi: “ଦାନ୍ତ ତଳକୁ ଚାଲିଆସେ ଜିଭ, ଆମେ ଦାନ୍ତ ଭାଙ୍ଗୁନା…”, ଇଣ୍ଟରନେଟରେ ଛାଇଲା ପିଏମ୍ ମୋଦିଙ୍କ ଆଉ ଏକ ଭିଡିଓ, ଏଥର ଦେଲେ କିଛି ଏମିତି ବାର୍ତ୍ତା…

ନୂଆଦିଲ୍ଲୀ: ପୁଣି ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଉ ଏକ ଭିଡିଓ । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ଏବଂ ତାଙ୍କ ମା’ଙ୍କ ପ୍ରତି ବ୍ୟବହାର ହୋଇଥିବା ଅପଶବ୍ଦ ସମ୍ପର୍କରେ ଉଲ୍ଲେଖ କରି ଭିଡିଓ ଛାଡିଛନ୍ତି ମୋଦି । ରାତି ପ୍ରାୟ ୧୧ଟାରେ ପୋଷ୍ଟ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଗତ ୯ଦିନରେ ମୋଦିଙ୍କର ଏହା ୫ମ ଭିଡିଓ । ଯେଉଁଥିରେ ଦିଲ୍ଲୀର ଜନ୍ତର-ମନ୍ତରରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ତାଙ୍କ ବିରୋଧରେ ଏବଂ ତାଙ୍କ ପରଲୋକଗତ ମା’ଙ୍କୁ ନେଇ ଆପତ୍ତିଜନକ ସ୍ଲୋଗାନ ଦିଆଯିବା ଘଟଣା ଉପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଭିଡିଓ ସନ୍ଦେଶରେ ସେ କହିଛନ୍ତି, “ମୁଁ ସେମାନଙ୍କୁ କ୍ଷମା କରିବାକୁ ଚାହୁଁଛି। ସମାଜ ମଧ୍ୟ ସେମାନଙ୍କୁ କ୍ଷମା କରୁ ବୋଲି ମୋର ଅନୁରୋଧ।”

ପ୍ରଧାନମନ୍ତ୍ରୀ କହିଛନ୍ତି, ଜନ୍ତର-ମନ୍ତରରେ ଯାହା ଘଟିଛି ତାହା ଦେଶ ଓ ବିଶ୍ୱ ଦେଖିଛି। କିଛି ପଥଭ୍ରଷ୍ଟ ଯୁବକ-ଯୁବତୀ ଏଭଳି ଭାଷା ବ୍ୟବହାର କରିଥିଲେ, ଯାହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ତାଙ୍କୁ ଗାଳି ଦିଆଯାଇଥିଲା ଏବଂ ତାଙ୍କ ପରଲୋକଗତ ମା’ଙ୍କୁ ମଧ୍ୟ ଅପମାନିତ କରାଯାଇଥିଲା। ତେବେ ଏହାର ଜବାବ କ୍ରୋଧ କିମ୍ବା ପ୍ରତିଶୋଧ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। “ଗାଳି କେବେ ବି କୌଣସି ସମସ୍ୟାର ସମାଧାନ କରେନାହିଁ। ଯେଉଁମାନେ ବାଟବଣା ହୋଇଯାଇଛନ୍ତି, ସେମାନଙ୍କୁ ସଠିକ୍ ବାଟ ଦେଖାଇବା ଆମ ସମସ୍ତଙ୍କ ଦାୟିତ୍ୱ,” ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି, ଯୁବାବସ୍ଥାରେ ଭୁଲ ହୋଇଥାଏ ଏବଂ ସେହି ଭୁଲକୁ ସୁଧାରିବାର ସୁଯୋଗ ମଧ୍ୟ ମିଳିବା ଉଚିତ୍। ସମାଜରେ କ୍ରୋଧ ରହିଛି ବୋଲି ସେ ସ୍ୱୀକାର କରିଥିଲେ ମଧ୍ୟ, ଏହି ଯୁବପିଢ଼ିକୁ କୋର୍ଟ କଚେରିରେ ଘୋଷାଡ଼ିବା କିମ୍ବା ହଇରାଣ କରିବା ପରିବର୍ତ୍ତେ ସେମାନଙ୍କୁ ବୁଝାଇବା ଏବଂ ସଠିକ୍ ଦିଗ ଦେଖାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେଣୁ ସେମାନଙ୍କୁ ସେ କ୍ଷମା କରିଦେବାକୁ ଚାହୁଁଛନ୍ତି । ମୋଦି କହିଛନ୍ତି, ବେଳେବେଳେ ଆମର ଦାନ୍ତ ତଳକୁ ଜିଭ ଚାଲିଆସେ । ଜିଭରୁ ରକ୍ତ ବାହାରେ । କିନ୍ତୁ ଆମେ ଦାନ୍ତକୁ ଭାଙ୍ଗି ନଥାଉ । କାରଣ ଦାନ୍ତ ଆମର, ଜିଭ ମଧ୍ୟ ଆମର । ସେହି ପିଲାମାନେ ଆମର, ଆମେ ସେମାନଙ୍କୁ ବାଟ ଦେଖାଇବାକୁ ହେବ । ବାଟ ହୁଡିଯାଇଥିବା ପିଲାଙ୍କୁ ବାଟ ଦେଖାଇବା କଷ୍ଟକର । କିନ୍ତୁ ସେହି କଷ୍ଟକର କାମ ଆମକୁ କରିବାକୁ ପଡିବ । ସେଥିପାଇଁ ସେ ଏହି ପିଲାଙ୍କୁ କହିବାକୁ ଚାହୁଁଛନ୍ତି ଆସନ୍ତୁ ଆମେ ଦେଶ ପାଇଁ ମିଳିମିଶି ଆଗକୁ ବଢ଼ିବା । ଦେଶକୁ ଆଗକୁ ବଢ଼ାଇବା ।ଏଥିସହିତ ଆମର ଝିଅମାନେ ଏଭଳି ଭାଷା କିପରି କହିପାରନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୩ରେ କକରୋଚ୍ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଜନ୍ତର-ମନ୍ତରରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ସମୟରେ ଜଣେ ୨୫ ବର୍ଷୀୟା ମହିଳା ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ନୋଏଡାରେ ଜିରୋ ଏଫଆଇଆର ରୁଜୁ ହୋଇ ପରେ ତଦନ୍ତ ପାଇଁ ଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାକୁ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପଟେ, ସିଜେପି ମୁଖପାତ୍ର ସୌରଭ ଦାସ କହିଛନ୍ତି, ଆପତ୍ତିଜନକ ଭାଷା ବ୍ୟବହାର ଠିକ୍ ନୁହେଁ। ତେବେ ଏଭଳି ଘଟଣାରେ ପ୍ରଦର୍ଶନକାରୀଙ୍କ ବିରୋଧରେ ଆପରାଧିକ ଆଇନ ପ୍ରୟୋଗ କରିବାକୁ ସେ ବିରୋଧ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କେହି ଅପମାନିତ ହୋଇଥିଲେ ମାନହାନି ମାମଲା କରିପାରିବେ, କିନ୍ତୁ ପ୍ରତିବାଦକାରୀଙ୍କ ବିରୋଧରେ ଅପରାଧିକ ବ୍ୟବସ୍ଥାର ବ୍ୟବହାର ଉଚିତ୍ ନୁହେଁ।

Leave A Reply

Your email address will not be published.