ନୂଆଦିଲ୍ଲୀ: ଭାରତରେ ପେପର ଲିକ୍ ବିରୋଧୀ ଆନ୍ଦୋଳନ ପରେ ଚର୍ଚ୍ଚାକୁ ଆସିଥିବା ‘କକ୍ରୋଚ୍’ ଶବ୍ଦ ଏବେ ପାକିସ୍ତାନର ରାଜନୀତିରେ ମଧ୍ୟ ଶୁଣିବାକୁ ମିଳିଛି। ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ଦେଶର ଅର୍ଥନୈତିକ ସଙ୍କଟ ଓ ଯୁବପିଢ଼ିଙ୍କ ଅସନ୍ତୋଷ ପ୍ରସଙ୍ଗ ଉଠାଇ ଏହି ଶବ୍ଦ ବ୍ୟବହାର କରିଛନ୍ତି।
ଏକ ସଭାକୁ ସମ୍ବୋଧିତ କରି ନକଭି କହିଛନ୍ତି ଯେ, ପାକିସ୍ତାନ ତା’ର ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରୁନାହିଁ। ସେ କହିଥିଲେ, “ଆପଣ ସେମାନଙ୍କୁ ଯୁବକ କୁହନ୍ତୁ କିମ୍ବା ‘କକରୋଚ୍’ କୁହନ୍ତୁ, ଯଦି ସେମାନେ ଏକାଠି ହୋଇଯିବେ, ତେବେ ସବୁକିଛି ଓଲଟପାଲଟ କରିଦେଇପାରିବେ।” ନକଭି ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନର ବ୍ୟବସ୍ଥା ଦୀର୍ଘ ଦିନ ଧରି ସଙ୍କଟରେ ରହିଛି। ତାଙ୍କ କହିବା ଅନୁଯାୟୀ, “ଆମେ ଯେଉଁ ବ୍ୟବସ୍ଥାରେ ବଞ୍ଚୁଛୁ, ତାହା ଭୁଶୁଡ଼ି ପଡ଼ିଛି। ଗତ ୭୦ ବର୍ଷ ଧରି ଆମେ ଏହି ବ୍ୟବସ୍ଥାକୁ ଟାଣିଟୁଣି ଚଳାଉଛୁ।”
ସେ ଦେଶର ଋଣଭାର ନେଇ ମଧ୍ୟ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ପ୍ରତିବର୍ଷ ପାକିସ୍ତାନକୁ ନୂଆ ଋଣ ନେବାକୁ ପଡ଼ୁଛି। ଋଣ ସମସ୍ୟାର ସମାଧାନ କରିବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ତାହା କରାଯାଉନାହିଁ ଏବଂ ଦେଶର ଋଣ ଲଗାତାର ବଢ଼ି ଚାଲିଛି ବୋଲି ସେ କହିଛନ୍ତି।
ନକଭିଙ୍କ ଏହି ମନ୍ତବ୍ୟକୁ ଭାରତରେ ପେପର ଲିକ୍ ବିରୋଧୀ ଛାତ୍ର ଆନ୍ଦୋଳନ ସହ ଯୋଡ଼ି ଦେଖାଯାଉଛି। ଏହି ଆନ୍ଦୋଳନ ପରେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ପରିବର୍ତ୍ତନ, ପବ୍ଲିକ୍ ଏଗ୍ଜାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର୍ ମିନ୍ସ) ସଂଶୋଧନ ବିଲ୍, ୨୦୨୬ ପାରିତ ହେବା ଏବଂ ଯୁବ ଆନ୍ଦୋଳନକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା।
ଏପଟେ ସୋସିଆଲ ମିଡିଆରେ ପାକିସ୍ତାନର କିଛି ଯୁବଗୋଷ୍ଠୀ ଭାରତର ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିବା ଖବର ଆସିବା ପରେ ଭାରତର ବିଦେଶ ମନ୍ତ୍ରଣାଳୟ ମଧ୍ୟ ପ୍ରତିକ୍ରିୟା ରଖିଥିଲା। ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ, ପାକିସ୍ତାନ ରାଷ୍ଟ୍ର ପ୍ରଯୋଜିତ ସୀମାପାର ଆତଙ୍କବାଦ ବନ୍ଦ କରିବା ଉପରେ ଧ୍ୟାନ ଦେବା ଉଚିତ୍। ଭାରତର ଯୁବପିଢ଼ି ମଧ୍ୟ ବର୍ଷ ବର୍ଷ ଧରି ପାକିସ୍ତାନକୁ ଏହି ଦାବି କରିଆସୁଛନ୍ତି ବୋଲି ସେ କହିଥିଲେ।


Comments are closed.