Latest Odisha News

ଫେବୃଆରୀରେ ପର୍ସନାଲ ଲୋନ୍ ନେବାକୁ ଚାହୁଁଛନ୍ତି କି?

ଭୁବନେଶ୍ୱର: ଫେବ୍ରୁଆରିରୁ ବ୍ୟକ୍ତିଗତ ଋଣ ବା ପର୍ସନାଲ ଲୋନ୍ ନେବାକୁ ଚାହୁଁଛନ୍ତି କି? ତାହେଲେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ। କାରଣ ଏହି ପର୍ସନାଲ ଲୋନ୍ ମହଙ୍ଗା ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଉପଭୋକ୍ତା ଋଣ ଉପରେ ରିସ୍କ ହାର କୁ ୧୦୦%ରୁ ୧୨୫%କୁ ବୃଦ୍ଧି କରିଛି। ଏହାଦ୍ୱାରା ସମସ୍ତ ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ୍ କମ୍ପାନି (ଏନବିଏଫସି)ର ରିସ୍କ ବଢ଼ିବ।  ଏହାଦ୍ୱାରା ଅସୁରକ୍ଷିତ ଋଣ ପ୍ରଦାନ ପାଇଁ ଅଧିକ ଖର୍ଚ୍ଚ ହେବ।

ସୂଚନା ଅନୁଯାୟୀ, ସମସ୍ତ ଅଂଶୀଦାରଙ୍କୁ ୨୯ ଫେବୃଆରୀ ୨୦୨୪ରୁ ସେମାନଙ୍କର ସମସ୍ତ ଅସୁରକ୍ଷିତ ଋଣରେ ଆରବିଆଇର ଏହି ନୂଆ ନିୟମ ଲାଗୁ କରିବାକୁ ପଡିବ। ଏନବିଏଫସି ସୁଧ ହାର ବୃଦ୍ଧି କରି ଋଣ ନେଉଥିବା ଲୋକଙ୍କ ଉପରେ ଏହି ବୋଝ ଲଦିବ।

ଏହି ପରିବର୍ତ୍ତନ ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିୟନ୍ତ୍ରିତ ଋଣଦାତାଙ୍କ ଋଣ ରାଶି ଆଧାରରେ ସେମାନଙ୍କ ସହ ପୁଞ୍ଜିର ଏକ ନିର୍ଦ୍ଦିଷ୍ଟ ଅନୁପାତ ବଜାୟ ରଖିବା ଜରୁରୀ ହୋଇପଡ଼ିବ। ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ ଏହା ଦ୍ୱାରା ଋଣଦାତାଙ୍କ ରିସ୍କ ହାର ବୃଦ୍ଧି ପାଇବ ।

ଏହାବ୍ୟତୀତ ବିପଦପୂର୍ଣ୍ଣ ଋଣ ପାଇଁ ଅଧିକ ପୁଞ୍ଜି ଭଣ୍ଡାର ରଖିବା ଏବେ ଋଣଦାତାଙ୍କ ପାଇଁ ବାଧ୍ୟତାମୂଳକ ହେବ। ଏହା ଦ୍ୱାରା ଋଣ ହାରରେ ପରିବର୍ତ୍ତନ ଆସିବ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପୂର୍ବରୁ ୧୦୦ ଟଙ୍କାର ଋଣ ଦେବା ପରେ ଋଣଧାରୀଙ୍କ ପାଇଁ ଟଙ୍କା ବୁଡ଼ିଯିବାର ଆଶଙ୍କା ୧୦୦ ଟଙ୍କା ଥିଲା। କିନ୍ତୁ ନୂଆ ନିୟମ ପରେ ଏବେ ଏହି ବିପଦ ୧୨୫ ଟଙ୍କା ହେବ। ଯାହା ଫଳରେ ଋଣଦାତାମାନେ ସୁଧ ହାର ବୃଦ୍ଧି କରିବେ। ପୂର୍ବରୁ ଯେଉଁ ଋଣ ଉପରେ ସୁଧ ହାର ୯ ପ୍ରତିଶତ ଥିଲା, ଏବେ ତାହା ୧୧ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରାଯାଇଛି। ସେହିପରି ବାଣିଜ୍ୟିକ ବ୍ୟାଙ୍କ ଏବେ କ୍ରେଡିଟ୍ କାର୍ଡ ପ୍ରଦାନ କରିବାର ଆଶଙ୍କା ୧୫୦% ପର୍ଯ୍ୟନ୍ତ ରହିବ, ଯାହା ପୂର୍ବରୁ ୧୨୫% ଥିଲା।

ଏଭଳି ସ୍ଥିତିରେ ଏହି ୨୫ ପ୍ରତିଶତ ବିପଦ ବଢ଼ାଇବାର ବୋଝ ସାଧାରଣ ଲୋକଙ୍କ ଉପରେ ପଡ଼ିବ। ବିଶେଷଜ୍ଞଙ୍କ ମତରେ ଏବେ ଅଧିକ ଋଣ ଦେବା ପାଇଁ ଋଣଦାତାଙ୍କୁ ବଜାରରୁ ଅଧିକ ପାଣ୍ଠି ସଂଗ୍ରହ କରିବାକୁ ପଡ଼ିବ। ଯେତେବେଳେ ସମସ୍ତ ଋଣଦାତା ବଜାରରେ ଏହା କରିବେ, ବଜାରରେ ନୂତନ ପାଣ୍ଠିର ଚାହିଦା ବୃଦ୍ଧି ପାଇବ, ଯାହା ବର୍ତ୍ତମାନ ସେମାନଙ୍କ ପାଇଁ ନେବା ନିଶ୍ଚିତ ଭାବରେ ମହଙ୍ଗା ହେବାକୁ ଯାଉଛି । ଫଳରେ ଋଣଦାତା ଏହି ବୋଝ ଅଧିକ ଋଣ ନେଉଥିବା ଲୋକଙ୍କ ଉପରେ ପକାଇବେ।

Comments are closed.