Latest Odisha News

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ରବିବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ଦେବୀ ପ୍ରସାଦ ଦାସ ଓରଫ୍ ଲିଟୁ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ବୌଦ ରାସ୍ତାରେ ମାର୍ଶାଘାଇ ପୋଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବେ ଗତକାଲି ରାତିରେ ଚଢାଉ କରିଥିଲା । ପୋଲିସକୁ ଦେଖି ଲୁଟି ପୋଲିସ୍ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲା । ଏହାର ଜବାବ ଦେବାକୁ ଯାଇ ପୋଲିସ୍ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଏହି ଏନକାଉଣ୍ଟରରେ ତା’ର ଡାହାଣ ଗୋଡରେ ଗୁଳି ବାଜିଥିବା ନେଇ ଜଣାପଡିଛି ।

ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବାଇକ୍ ଜବତ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଅନ୍ୟପକ୍ଷରେ ଆହତ ଲିଟୁକୁ ଚିକିତ୍ସା ନିମନ୍ତେ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଲିଟୁ ଫେବୃଆରି ୧୬ ତାରିଖରେ ଜେଲରୁ ମୁକୁଲିଥିଲା ।

ଲିଟୁ କେନ୍ଦ୍ରାପଡ଼ା ଜିଲ୍ଲାର ଗରଜଙ୍ଗ ଗ୍ରାମର ବାସିନ୍ଦା ହୋଇଥିବାବେଳେ ତା’ ନାମରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ନେଇ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.