ନୂଆଦିଲ୍ଲୀ: ୱାକଫ ବିଲକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ । ମୁଲତବୀ ହେଲା ଗୃହ । ଆଜି ରାଜ୍ୟସଭାରେ ୱାକଫ (ସଂଶୋଧନ) ବିଲ୍ ମିଳିତ ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପିତ କରିଛି । ଜେପିସି ରିପୋର୍ଟ ଉପସ୍ଥାପନ ପରେ ସଂସଦରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଯାହା ଫଳରେ ଅଧିବେଶନକୁ ସକାଳ ୧୧:୨୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ସେପଟେ ଦିନ ୨ଟା ପରେ ଲୋକସଭାରେ ଏହା ଉପସ୍ଥାପିତ କରାଯାଇପାରେ ।
ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ, ବିଜେପିର ମେଧା ବିଶ୍ରାମ କୁଲକର୍ଣ୍ଣୀ ଗୃହରେ କମିଟି ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଉପସ୍ଥାପନ ହେବା ମାତ୍ରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବାମପନ୍ଥୀ ଦଳ ସମେତ ଅନ୍ୟ କିଛି ଦଳର ସଦସ୍ୟମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଥିଲେ। ହୋହଲ୍ଲା କରୁଥିବା ସାଂସଦମାନେ ଆସନ ପାଖକୁ ଆସି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ହଟ୍ଟଗୋଳ ମଧ୍ୟରେ, ବାଚସ୍ପତି ଜଗଦୀପ ଧନଖଡ଼ କହିଥିଲେ ଯେ, ସେ ଗୃହରେ ରାଷ୍ଟ୍ରପତିଙ୍କ ଏକ ବାର୍ତ୍ତା ଉପସ୍ଥାପନ କରିବାକୁ ଚାହୁଁଛନ୍ତି। ସେ ହଙ୍ଗାମା କରୁଥିବା ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ଏବଂ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଗୃହରେ ହଙ୍ଗାମା ଜାରି ରହିଥିଲା।
ଧନଖଡ କହିଛନ୍ତି ଯେ ଏହା ଭାରତର ପ୍ରଥମ ନାଗରିକ ଏବଂ ରାଷ୍ଟ୍ରପତି ପଦବୀରେ ଥିବା ପ୍ରଥମ ଆଦିବାସୀ ମହିଳାଙ୍କ ବାର୍ତ୍ତା ଏବଂ ଏହାକୁ ଗୃହରେ ଉପସ୍ଥାପନ କରିବାକୁ ଅନୁମତି ନ ଦେବା ତାଙ୍କ ପ୍ରତି ଅପମାନ ହେବ। ଧନଖଡ ଆନ୍ଦୋଳନରତ ସାଂସଦମାନଙ୍କୁ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ। ଶେଷରେ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି। ସେପଟେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘ୱାକଫ ବୋର୍ଡ ଉପରେ ଜେପିସି ରିପୋର୍ଟ ସହିତ ଅନେକ ସଦସ୍ୟ ଅସହମତ।’ ସେହି ନୋଟଗୁଡ଼ିକୁ ହଟାଇବା ଏବଂ ଆମର ମତାମତକୁ ଚାପି ଦେବା ଠିକ୍ ନୁହେଁ। ଏହା ଗଣତନ୍ତ୍ର ବିରୋଧୀ। ଭିନ୍ନମତ ରିପୋର୍ଟ ହଟାଇବା ପରେ ଉପସ୍ଥାପିତ ଯେକୌଣସି ରିପୋର୍ଟକୁ ମୁଁ ନିନ୍ଦା କରୁଛି। ଆମେ ଏପରି ନକଲି ରିପୋର୍ଟକୁ କେବେ ଗ୍ରହଣ କରିବୁ ନାହିଁ। ଯଦି ରିପୋର୍ଟରେ କୌଣସି ଭିନ୍ନ ମତ ନାହିଁ, ତେବେ ଏହାକୁ ଫେରାଇ ଦେବା ଉଚିତ୍ ଏବଂ ପୁଣି ଥରେ ଉପସ୍ଥାପନ କରାଯିବା ଉଚିତ।
କହିରଖୁଛୁ ଯେ, ‘ଜାନୁଆରୀ ୩୦ରେ ମିଳିତ ସଂସଦୀୟ କମିଟିର ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯାଇଥିଲା। କମିଟିର ୬୫୫ ପୃଷ୍ଠାର ରିପୋର୍ଟକୁ ବହୁମତ ଦ୍ୱାରା ଗୃହୀତ କରାଯାଇଥିଲା। ଏହି ରିପୋର୍ଟରେ ବିଜେପି ସାଂସଦମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଅନ୍ତର୍ଭୁକ୍ତ କରାଯାଇଛି। ବିରୋଧୀ ସାଂସଦମାନେ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ। ସେ ଅଭିଯୋଗ କରିଥିଲେ ଯେ ଏହି ପଦକ୍ଷେପ ୱାକଫ ବୋର୍ଡଗୁଡ଼ିକୁ ନଷ୍ଟ କରିଦେବ। ବିଜେପି ସାଂସଦମାନେ ଗୁରୁତ୍ୱାରୋପ କରିଥିଲେ ଯେ ଗତ ବର୍ଷ ଅଗଷ୍ଟରେ ଲୋକସଭାରେ ଆଗତ ହୋଇଥିବା ଏହି ବିଲ୍ ୱାକଫ ସମ୍ପତ୍ତି ପରିଚାଳନାରେ ଆଧୁନିକତା, ସ୍ୱଚ୍ଛତା ଏବଂ ଦାୟିତ୍ୱ ଆଣିବାକୁ ଚେଷ୍ଟା କରିବ। କମିଟି ବିଜେପି ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ସଂଶୋଧନକୁ ଗ୍ରହଣ କରିଥିଲା ଏବଂ ବିରୋଧୀ ସଦସ୍ୟମାନଙ୍କ ଦ୍ୱାରା ଆଗତ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିଥିଲା।କମିଟିର ବିରୋଧୀ ସଦସ୍ୟମାନେ ୱାକଫ (ସଂଶୋଧନ) ବିଲର ସମସ୍ତ ୪୪ ଟି ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ଦେଇଥିଲେ ଏବଂ ଦାବି କରିଥିଲେ ଯେ କମିଟି ଦ୍ୱାରା ପ୍ରସ୍ତାବିତ ଆଇନ ବିଲର ଦମନକାରୀ ଚରିତ୍ରକୁ ବଜାୟ ରଖିବ ଏବଂ ମୁସଲମାନମାନଙ୍କ ଧାର୍ମିକ ମାମଲାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବ।
Comments are closed.