Latest Odisha News

ଏବେଠୁ ଜଳାଇଲାଣି ତାତି: ୩୭ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ବର: ଏବେ ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ କମିବାକୁ ଲାଗିଲାଣି । ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଟିକେ ଟିକେ ଥଣ୍ଡା ଅନୁଭୂତ ହେଉଛି । ତା ସାଙ୍ଗକୁ ପୁଣି ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହେଉଛି । ହେଲେ ସବୁଠୁ ଚିନ୍ତାର କଥା ହେଉଛି, ଡରାଇଲାଣି ଫେବୃଆରୀ ତାତି । ଖରା ଦିନ ଆରମ୍ଭ ନହେଉଣୁ, ଜଳାଇଲାଣି ତାତି । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଓଡିଶାର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଛୁଇଁଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ଏହାବ୍ୟତୀତ ଭଦ୍ରକରେ ୩୬.୨, ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ୩୫.୫, ଭୁବନେଶ୍ବରରେ ୩୪.୮ ଓ ଖୋର୍ଦ୍ଧାରେ ୩୪ ଡିଗ୍ରି ଲେଖାଏଁ ରହିଥିଲା । ଆଉ ରାତିର ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ବହୁ ଅଧିକ ରହିଥିଲା ।

ଏହାକୁ ନେଇ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ପରବର୍ତ୍ତୀ ସମୟରେ ରାତି ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।

Comments are closed.