ବେଙ୍ଗାଲୁରୁ: ଖରା ଦିନ ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଦେଇଛି । ଫଳରେ ପାନୀୟ ଜଳ ବ୍ୟବହାର ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କାର୍ ଧୋଇବା, ବଗିଚାରେ ପାଣି ଦେବା, ନିର୍ମାଣ କାମରେ ଜଳ ବ୍ୟବହାର, ୱାଟର ଫାଉଣ୍ଟେନ, ରାସ୍ତା ନିର୍ମାଣ କାମରେ ବି ପାଣି ବ୍ୟବହାର କରିବାକୁ ବ୍ୟାନ୍ କରାଯାଇଛି । କର୍ଣ୍ଣାଟକ ଜଳଯୋଗାଣ ଓ ସ୍ୱରେଜ ବୋର୍ଡ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଂଘନ କଲେ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଇଛି ।
ହାଇଟେକ ସହର ବେଙ୍ଗାଲୁରୁ ଏବେ ଜଳ ସଙ୍କଟ ଦେଇ ଗତି କରୁଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଜଳ ସମସ୍ୟା ଦେଖାଦେଇଛି । ଏଠାରେ ଫେବୃଆରୀ ୫ରୁ ୱାଟର ଟ୍ୟାଙ୍କର ଆସୁଥିବା-ଯାଉଥିବା ଦେଖିବାକୁ ମିଳିଛି । ସୋସାଇଟି ଏବଂ କଲୋନୀ ଗୁଡ଼ିକରେ ଜଳ ସଙ୍କଟ ଅଧିକ ହୋଇଛି । ଟ୍ୟାଙ୍କର ଦ୍ୱାରା ପାଣି ମଗାଯାଉଛି । ହେଲେ ଜଳର ଅଭାବ ପୂରଣ ହେଉ ନାହିଁ ।
ବେଙ୍ଗଲୁରୁରେ ଜଳ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ୫୫୬ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର ସୂଚନା ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ବେଙ୍ଗାଲୁରୁ ସହରର ପ୍ରତି ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜଳ ସଙ୍କଟ ଦୂର କରିବା ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି । ’’
Comments are closed.