Latest Odisha News

BREAKING NEWS

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍‌; ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲାଯିବ

ସମ୍ବଲପୁର:ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢୁଛି । ଫଳରେ ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଶୁକ୍ରବାର ସକାଳେ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମପଟରେ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟି ସ୍ଲୁଇସ୍‌ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରଖିଛି ।

ସୂଚନାଥାଉକି, ୧୫ ଜିଲ୍ଲାର ୪୩ ବ୍ଲକ୍‌ରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା ହୋଇଛି । ଆଜି ଠାରୁ ବଢ଼ିବ ନଦୀ ଗୁଡ଼ିକର ଜଳସ୍ତର । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କ ରହିବାକୁ କୁହାଯାଇଛି । ସତର୍କ କରିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲାଯିବ ବୋଲି ସେ କହିଛନ୍ତି ।

ଗୁରୁବାର ସୁଦ୍ଧା ମୋଟ୍ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା। ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି ।

ଖବରମୁତାବକ, ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏପଟେ ଆଜି ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ଭୀଷଣ ବର୍ଷା ସମ୍ଭାବନାଥିବାରୁ ଏହି ଦୁଇ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

 

Comments are closed.