Latest Odisha News

ହିଜାବ ବିରୋଧୀ ଆନ୍ଦୋଳନର ପ୍ରତିଶୋଧ ! ୯୦୦ ଛାତ୍ରୀଙ୍କୁ ବିଷ ପିଆଯାଇଥିବା ଅଭିଯୋଗ

ତେହରାନ: ଇରାନରେ ମହିଳାଙ୍କ ଅଧିକାର ଏବଂ ଶିକ୍ଷାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଇଛି  । ଗତ ସେପ୍ଟେମ୍ବରରେ ମହସା ଅମିନୀ ନାମ୍ନୀ ଜଣେ ୨୨ ବର୍ଷର ଯୁବତୀଙ୍କ ମୃତ୍ୟୁ ପରେ ଇରାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମହସା ଇରାନ ମହିଳାଙ୍କ ଡ୍ରେସ କୋଡକୁ ବିରୋଧ କରି ନିଜର ବାଳ କାଟି ଦେଇଥିଲେ । ସେ ହିଜାବକୁ କାଢି ଦେଇଥିଲେ । କିଛି ସମୟ ପରେ ସେ ଯେତେବେଳେ ତେହରାନ ଗଲେ ସେଠାରେ ସେ ଠିକ ଢଙ୍ଗରେ ହିଜାବ ପିନ୍ଧି ନ ଥିବା କହି ପୋଲିସ ତାଙ୍କୁ ଗିରଫ କରି ନେଇଥିଲା । ତା ପରେ ସେ ଆଉ ଜେଲରୁ ଫେରି ନ ଥିଲେ । କୁହାଯାଉଛି, ପୋଲିସ ଅତ୍ୟାଚାରରେ ତାଙ୍କର ଜେଲରେ ମୃତ୍ୟୁ ଘଟିଛି ।

ମହସା ସିନା ଚାଲିଗଲେ । ହେଲେ ହିଜାବ ବିରୋଧି ନିଆଁ ସାରା ଦେଶରେ ବ୍ୟାପି ଯାଇଥିଲା । ଶହ ଶହ ମହିଳା  ରାସ୍ତାକୁ ଓହ୍ଲାଇ ଆସିଥିଲେ । ସେବେଠାରୁ ଇରାନରେ ହିଜାବ ବିରୋଧୀ ନିଆଁ ଜଳୁଛି । ଖାଲି ହିଜାବ ନୁହେଁ, ମହିଳାଙ୍କ ଶିକ୍ଷା, ଡ୍ରେସ କୋଡକୁ ନେଇ ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି । ଏସବୁ ଭିତରେ ଆଉ ଏକ ଗୁରୁତର ଖବର ସାମ୍ନାକୁ ଆସିଛି । ଏବେ ୯୦୦ରୁ ଅଧିକ ଛାତ୍ରୀଙ୍କୁ ବିଷ ଖୁଆଇ ଦେଇଥିବା ଖବର ସାମ୍ନାକୁ ଆସିଛି ।

ଇରାନର ବିଭିନ୍ନ ସହରରେ ପାଖାପାଖି ୯୦୦ ସ୍କୁଲ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି । ସରକାର ସମର୍ଥକ କଟ୍ଟରପନ୍ଥୀମାନେ ପ୍ରତିଶୋଧ ନେବା ପାଇଁ ଏପରି ଜହର ଆକ୍ରମଣ କରିଛନ୍ତି । ଏହାଦ୍ୱାରା ଛାତ୍ରୀମାନେ ଆଉ ସ୍କୁଲ ଯିବେନି ବୋଲି ଭାବି ଏପରି କରିଛନ୍ତି । ମହସା ଅମିନୀଙ୍କ ମୃତ୍ୟୁ ପରେ ଦେଶରେ ଦେଖା ଦେଇଥିବା ବିଦ୍ରୋହକୁ ଦୃଢ ହସ୍ତରେ ଦମନ କରିବା ପାଇଁ କଟ୍ଟରପନ୍ଥୀମାନେ ସ୍କୁଲ ଛାତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।  ଅନ୍ୟପକ୍ଷେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ଏହାକୁ  ତେହରାନର ବିରୋଧୀ ଗୋଷ୍ଠୀଙ୍କ କାମ ବୋଲି କହିଛନ୍ତି ।

ପ୍ରଥମେ ଏହି ଖବର ସାମ୍ନାକୁ ଆସିଥିଲା ୨୦୨୧ ନଭେମ୍ବର ୩୦ରେ  । ଇରାନର କୋମ ସହରର ୫୦ରୁ ଅଧିକ ଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ତୁରକ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ମିଡିଆର କହିବା ଅନୁଯାୟୀ, ଛାତ୍ରୀମାନଙ୍କର ହଠାତ ମୁଣ୍ଡ ବିନ୍ଧିବା ସହ ମୁଣ୍ଡ ବୁଲାଇ ହେବା, ନିଶ୍ୱାସ ନେବାରେ କଷ୍ଟ ହେବା ଆଦି ଅନୁଭବ କରିଥିଲେ । ଏହାର ପ୍ରଭାବରେ କେତେଜଣ ପାରାଲାଇଜ ହୋଇଗଲେ । କିଛି ଦିନ ପରେ ଏହି ଛାତ୍ରୀଙ୍କୁ ଡାକ୍ତରଖାନାରୁ ମୁକ୍ତି ମିଳିଲା ସତ । କିନ୍ତୁ ଜଣେ ୧୧ ବର୍ଷର ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଅବଶ୍ୟ ପରିବାର ଲୋକ ଏବଂ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା କହିଥିଲେ । ହେଲେ ମିଡିଆର ଦାବି ଥିଲା, ରାଜଧାନୀ ତେହରାନ ତଥା ବୋରୁଜେଡ ଏବଂ ଅର୍ଦବୀ ସହରରେ ଅତି କମରେ ୫୮ ଜଣ ସ୍କୁଲ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଖବର ସାମ୍ନାକୁ ଆସିଥିଲା । ଛାତ୍ରୀଙ୍କ ସହ କେତେଜଣ ଛାତ୍ର ଏବଂ ଶିକ୍ଷକ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସମସ୍ତେ ବିଷାକ୍ତ ପଦାର୍ଥ ଖାଇଥିବା ଜଣାପଡିଥିଲା ।

ଆସ୍ତେ ଆସ୍ତେ ଏହି ଘଟଣା ବଢିବାରେ ଲାଗିଲା । ଇରାନର ୩୧ଟି ପ୍ରାନ୍ତରେ ସ୍କୁଲ ଛାତ୍ରୀ ବିମାର ପଡିବା ଦେଖିବାକୁ ମିଳିଥିଲା । ପ୍ରଥମେ ଇରାନ ସରକାର ଏହାକୁ ଅସ୍ୱୀକାର କରୁଥିଲେ । କିନ୍ତୁ ମାମଲା ବଢିବାରୁ ଏହାର ଉତ୍ତର ଦେଇ ପାରି ନ ଥିଲେ ସରକାର । ଜେନେଭାରେ  ଜାତିସଂଘ ମାନବାଧିକାର କାର୍ଯ୍ୟାଳୟରେ ଶୁକ୍ରବାର ଘଟଣାର ଯାଞ୍ଚ ପାଇଁ ଆହ୍ୱାନ ଦେଇଥିଲେ । ଏହାକୁ ନେଇ ଆମେରିକା, ଜର୍ମାନୀ ସମେତ ଅନେତ ଦେଶ ଚିନ୍ତା ପ୍ରକଟ କରିଥିଲେ ।ଶେଷରେ ଇରାଜ ଶିକ୍ଷା ମନ୍ତ୍ରୀ ଘଟଣାକୁ ମାନିଥିଲେ । ଏହା ଜାଣିଶୁଣି କରାଯାଇଛି ବୋଲି ଶିକ୍ଷମନ୍ତ୍ରୀ ସ୍ୱୀକାର କରିଥିଲେ । ତେବେ ଘଟଣାର ଯାଞ୍ଚ ପାଇଁମ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.