Latest Odisha News

ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ବିରୋଧୀଙ୍କ ଆଭିମୁଖ୍ୟ ଆଜି ହୋଇପାରେ ସ୍ପଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରି ଯେଉଁ ଚକମା ବିରୋଧୀଙ୍କୁ ଦେଇଛି ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାଁ ଘୋଷଣା କରି ବିଜେପି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଏବଂ ଅନ୍ୟ ବିରୋଧୀ ଦଳୀ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି। ୧୯ ତାରିଖ ଉପରାଷ୍ଟ୍ରପତି ନିର୍ବାଚନର ନାମାଙ୍କନ ଦାଖଲ ତାରିଖ ରହିଥିବାରୁ ଆଜି ବିରୋଧୀ ଏ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇପାରନ୍ତି। ନଚେତ ପ୍ରାର୍ଥୀ ନଦେଇ ପରୋକ୍ଷରେ ଧନଖଡଙ୍କୁ ବିଜୟୀ ଘୋଷଣା କରିପାରନ୍ତି।

ଏନଡିଏରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାମ ପ୍ରକାଶ ପାଇବା ପରେ ବିରୋଧୀ ଦଳର ପ୍ରାର୍ଥୀ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସଂଖ୍ୟା ଦୃଷ୍ଟିରୁ ଯଦିଓ ବିରୋଧୀ ପ୍ରାର୍ଥୀ ଜିତିବାର ଆଶା କମ୍ ହୋଇପାରେ, କିନ୍ତୁ ବିରୋଧୀ ଓ୍ୱାକ ଓଭର ଦେବନି ବୋଲି କହିଛି। ଉପରାଷ୍ଟ୍ରପତି ନିର୍ବାଚନରେ ପାଇଁ କଂଗ୍ରେସ ଦାୟିତ୍ୱ ଗ୍ରହଣ କରିଛି। ଦଳ ପକ୍ଷରୁ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସମସ୍ତ ୧୭ ବିରୋଧୀ ଦଳ ସହ ଆଲୋଚନା କରିବାର ଦାୟିତ୍ୱ ଦିଆଯାଇଛି। ତେଣୁ ଆଜି ଜଣାପଡିବ ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖଡଙ୍କ ବିରୋଧରେ ବିରୋଧୀଦଳ କାହାକୁ ମୈଦାନକୁ ଓହ୍ଲାଇବେ।

ଜଗଦୀପ ଧନଖଡଙ୍କ ନାମ ଚୂଡାନ୍ତ କରି ବିଜେପି ଚାଷୀ କାର୍ଡ ଖେଳିବାକୁ ଚେଷ୍ଟା କରିଛି। କୃଷି ଆନ୍ଦୋଳନ ପରଠାରୁ କେନ୍ଦ୍ରରେ ମୋଦୀ ସରକାରକୁ ନେଇ ଚାଷୀଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ଧନଖଡ ଏକ କୃଷକ ପରିବାରରୁ ଆସିଛନ୍ତି। ସେଥିପାଇଁ ଧନଖଡଙ୍କୁ ଉପରାଷ୍ଟ୍ରପତି ସମ୍ମାନଜନକ ପଦବୀ ଦେଇ ବିଜେପି ଚାଷୀଙ୍କ ଅସନ୍ତୋଷ ହ୍ରାସ କରିବାକୁ ଚାହୁଁଛି।

୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି। ଅଶୋକ ଗେହଲୋଟ୍ ହେଉଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ସଚିନ୍ ପାଇଲଟ୍ ଏବଂ ଗେହଲୋଟ୍ କ୍ୟାମ୍ପ ମଧ୍ୟରେ ଚାଲିଥିବା ବିବାଦ ରାଜ୍ୟରେ ଜଣାଶୁଣା। ଅନ୍ୟପକ୍ଷରେ ବିଜେପି ଏହାକୁ ପୁଞ୍ଜି କରିବାକୁ ଚେଷ୍ଟା କରୁଛି। ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ଦୈଡ଼ରେ ଧନଖଡଙ୍କୁ ପ୍ରାର୍ଥୀ କରି ବିଜେପି ରାଜସ୍ଥାନ ନିର୍ବାଚନ ଉପରେ ନଜର ପକାଇଛି ।

ରାଜସ୍ଥାନରରୁ ଧନଖଡ ରାଜ୍ୟସଭାକୁ ଯାଇଛନ୍ତି। ଭୈରବ ସିଂ ଶେଖୱାତଙ୍କ ପରେ ଧନଖଡ ଦ୍ୱିତୀୟ ବ୍ୟକ୍ତି ଯିଏକି ଏହି ସମ୍ମାନଜନକ ପଦବୀରେ ବସିବେ। ଯଦି ସେ ଜିତନ୍ତି ତେବେ ରାଜସ୍ଥାନର ଦେଶର ଦ୍ୱିତୀୟ ଉପରାଷ୍ଟ୍ରପତି ହେବେ। ଅନ୍ୟପକ୍ଷରେ, ଉପରାଷ୍ଟ୍ରପତି ପଦ ପାଇଁ ଧନଖଡ ପ୍ରାର୍ଥୀ ହେବା ପରେ ରାଜ୍ୟ ତଥା ତାଙ୍କ ନିଜ ଜନ୍ମମାଟିରେ ଖୁସିର ଲହରୀ ଖେଳିଯାଇଛି।

ତେବେ ଧନଖଡ଼ଙ୍କ ନାଁ ଘୋଷଣା ପରେ ବିହାରର ଜେଡିୟୁ (ଏନଡିଏ ଅଂଶୀଦାର) ସମର୍ଥନ ଘୋଷଣା କରିସାରିଛି । ଏପରି ସ୍ଥିତିରେ ଟିଏମସିର ଆଭିମୁଖ୍ୟ କ’ଣ ରହିବ ତାହା ଗୁରୁତ୍ୱପୂର୍ଣ୍ଣ ହେବ। ରାଜ୍ୟପାଳ ଭାବେ ମମତାଙ୍କ ସହ ଧନଖଡ଼ଙ୍କ ସମ୍ପର୍କ ଅତ୍ୟନ୍ତ ଖରାପ ରହିଛି।

ସୂଚନାଯୋଗ୍ୟ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେବ। ଅଗଷ୍ଟ ୬ରେ ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜୟୀ ହେବାକୁ ଆବଶ୍ୟକ ସାଂସଦଙ୍କ ସମର୍ଥନ ଏକାକୀ ବିଜେପିରେ ରହିଛି । ଏନଡିଏକୁ ମିଶାଇଲେ ବଡ ବ୍ୟବଧାନରେ ଧନଖଡ ବିଜୟୀ ହେବେ।

Leave A Reply

Your email address will not be published.