ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’
୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ ହେବା ଏକ ଆମ ପାଇଁ ବଡ଼ ଗୌରବର କଥା । ବହୁ ଘାତ ପ୍ରତି ଘାତ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଦେବ ଗଜପତି ନାରାୟଣ ଦେବ, ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଓ ଅନ୍ୟ ବରପୁତ୍ରମାନଙ୍କ ଉଦ୍ୟମରେ ଓଡ଼ିଆ ଭାଷା-ଭାଷି ଅଞ୍ଚଳକୁ ନେଇ ଏକ ସ୍ବପ୍ନ ସାକାର ହେଲା । କିନ୍ତୁ ଦୁର୍ଭାଗ୍ୟର କଥା ଏହା ଯେ, ଦୀର୍ଘ ଛୟାଅଶି ବର୍ଷ ପରେ ମଧ୍ୟ ଆମେ ଆମ ନିଜ ମାତୃଭାଷାକୁ ସମ୍ପୂର୍ଣ ରୂପେ ସମ୍ମାନ ଦେଇପାରୁନେ । ଆମ ଭାଷା ପ୍ରତି ଆମର ମମତା ନାହିଁ ଆଉ ଆନ୍ତରିକତା ବି ନାହିଁ । ଭାଷାର ପ୍ରଚାର ଆଉ ପ୍ରସାର ତ ଦୂର ର କଥା ; ଆମେ ନିଜେ ବି ଅନେକ ଜାଗାରେ ଓଡ଼ିଆରେ କଥା ହେବାକୁ ଲଜ୍ଜିତ ଅନୁଭବ କରିବାର ବହୁତ ଉଦାହରଣ ସମସ୍ତଙ୍କ ପାଖରେ ଥିବ ।
୨୦୧୧ ମସିହାରେ ‘ଓରିଆ ‘ ରୁ ଓଡ଼ିଆ ହେଲା ଆଉ ‘ଓରିସା’ ରୁ ଓଡ଼ିଶା ହେଲା ସତ, କିନ୍ତୁ ଏବେ ବି ଆମ ଓଡ଼ିଆମାନେ ଏଇ ନିର୍ଭୁଲ ଆଉ ସଠିକ ଦୁଇଟି ଶବ୍ଦକୁ ଆପଣେଇ ପାରୁନାହାନ୍ତି । ଏଇ କିଛି ଛୋଟ ଛୋଟ କଥାଗୁଡ଼ିକୁ ଯଦି ଦେଖିବା ତା’ହେଲେ ଆମ ଓଡ଼ିଆ ଭାଷାର କେତେ ଅବକ୍ଷୟ ହେଉଛି ଆମେ ଅନୁମାନ କରିପାରୁଥିବା । ଓଡ଼ିଆ ଭାଷାରେ ବହି ଏବେ ଛୋଟ ପିଲାଙ୍କ ପାଇଁ ସାତ ସ୍ବପ୍ନ ହୋଇଯାଇଛି । ପିଲାମାନଙ୍କୁ ଓଡ଼ିଆ ଗପ ଶୁଣେଇବାକୁ ଆମେ ଆଉ ପ୍ରୟାସ କରୁନାହୁଁ । ଦୁଃଖ ଆଉ ବିଡମ୍ବନାର କଥା ଯେ ପିଲାଟି ଯଦି ଇଁରାଜୀ ମିଡ଼ିଅମ ସ୍କୁଲରେ ପଢ଼ୁଛି ସେ ତ ଦିନ ତମାମ ସ୍କୁଲରେ ଇଁରାଜୀରେ କଥା ହେଉଛି ସତ , ଆମେ କିନ୍ତୁ ତାକୁ ଘରେ ଓଡ଼ିଆରେ କଥା ହେବା ପରିବବର୍ତ୍ତେ ପ୍ରାୟତଃ ହିନ୍ଦୀ ଭାଷାରେ କଥା ହେଉଛେ । ଏଇଠି ପ୍ରଶ୍ନ ଉଠୁଛି ଯେ ଅନ୍ୟ ଭାଷାକୁ ନିଜ ଅକ୍ତିଆରରେ ରଖିବା ହେଉଛି ଭଲ କଥା କିନ୍ତୁ ନିଜ ମାତୃଭାଷାକୁ ଅଣଦେଖା କରିବା କେତେ ଯୁକ୍ତିଯୁକ୍ତ ? ନିଜ ମାତୃଭାଷା ପାଇଁ ଆମେ ନିଜେ ସଚେତନ ହେବା କ’ଣ ଆମର କର୍ତ୍ତବ୍ୟ ନୁହେଁ ?
ସମୀକ୍ଷକମାନଙ୍କ ମତରେ ଏବେ ବିଶ୍ୱରେ ୬ ରୁ ୭ ହଜାର ଭାଷା ରହିଛି । କିନ୍ତୁ ଏଥିରୁ ୯୦ ଭାଗ ଭାଷାର ଅସ୍ତିତ୍ୱ ଲୋପ ପାଇବାର ଆଶଙ୍କା ରହିଛି ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି । ଓଡ଼ିଆ ଭାଷାର ଆଦର ବଢ଼େଇବା ପାଇଁ ଘରଠାରୁ ଆରମ୍ଭ କରି ବାହାରେ ଆମେ ପ୍ରୟାସ କରିପାରିବା । ଓଡ଼ିଆ ଚଳଚିତ୍ରଠାରୁ ଆରମ୍ଭ କରି ସବୁ ଓଡ଼ିଆ ଗୀତରେ ଓଡ଼ିଆ ଭାଷାର ଆନ୍ତରିକତା ରହିବା ଦରକାର । ସବୁ ଜାଗାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଆମର ପ୍ରୟାସ ଜାରି ରହିବା ଦରକାର । ଭାଷା କେବଳ ସରକାରୀ ହୋଇଗଲେ ବଞ୍ଚିଯିବ ଏକଥା ଭାବିବା ଭୁଲ । ନିଜ ଭାଷା ପାଇଁ ପ୍ରଥମେ ନିଜର ଆନ୍ତରିକତା ରହିବା ଦରକାର । ନହେଲେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ଭଳି ସ୍ଥିତି ଉପୁଜିଯିବ ଏଥିରେ କୌଣସି ସନ୍ଦେହ ନାହିଁ ।
ଓଡ଼ିଆ ଭାଷା ଆମ ପାଇଁ ଆସ୍ତେ ଆସ୍ତେ ଅଲୋଡ଼ା ହେଇଯାଉଛି କାହିଁକି ? କ’ଣ ପାଇଁ ? ଏହାକୁ ନେଇ ଆତ୍ମସମୀକ୍ଷାର ମଧ୍ୟ ସମୟ ଆସିଛି l ଗଣମାଧ୍ୟମ, ଚଳଚ୍ଚିତ୍ର ଜଗତ, ରାଜନୈତିକ ଦଳ ସମସ୍ତେ ଚିନ୍ତା କରିବାର ବେଳ ଆସିଯାଇଛି । ‘ଆମେ ଓଡ଼ିଆ ଭାରି ବଢ଼ିଆ ‘ ବୋଲି ଖାଲି କହିବାରେ ରହିଯିବା ନା ଆମ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଆନ୍ତରିକତା ଦେଖେଇବା ?
Comments are closed.