Latest Odisha News

BREAKING NEWS

ଆତଙ୍କବାଦ ଓ ଆଲୋଚନା ଏକାଠି ହୋଇପାରିବ ନାହିଁ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆତଙ୍କବାଦ ଓ ଆଲୋଚନା ଏକାଠି ହୋଇପାରିବ ନାହିଁ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର ପାକିସ୍ତାନ ସହିତ ଆଲୋଚନା ଉପରେ ଭାରତର ମତକୁ ଦୋହରାଇଛନ୍ତି।

ସେ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କେବଳ ଗୋଟିଏ କଥା ଉପରେ ଆଲୋଚନା ହେବା ଉଚିତ। ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଭାରତକୁ ହସ୍ତାନ୍ତର ଏବଂ ଜମ୍ମୁ-କାଶ୍ମୀରର ସେହି ଅଂଶକୁ ଖାଲି କରିବା ଉଚିତ ଯାହାକୁ ସେ ଅବୈଧ ଭାବରେ କବଜା କରିଛି।

ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ସହିତ ଆଲୋଚନା ଉପରେ ଆମର ମତ ସ୍ପଷ୍ଟ। ଯେକୌଣସି ଆଲୋଚନା ଦ୍ୱିପାକ୍ଷିକ ହେବା ଉଚିତ। ଆମେ ପୁଣି ଥରେ କହିବାକୁ ଚାହୁଁଛୁ ଯେ ଆତଙ୍କବାଦ ଏବଂ ଆଲୋଚନା ଏକାଠି ହୋଇପାରିବ ନାହିଁ। ପାକକୁ ସେହି ଆତଙ୍କବାଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପଡିବ, ଯାହାର ରେକର୍ଡ ଏବଂ ତାଲିକା ଆମେ କିଛି ବର୍ଷ ପୂର୍ବରୁ ସେମାନଙ୍କୁ ଦେଇଥିଲୁ।

ଜମ୍ମୁ-କାଶ୍ମୀର ଉପରେ ଆଲୋଚନା ସେତେବେଳେ ହେବ ଯେତେବେଳେ ପାକିସ୍ତାନ ପିଓକେ ଖାଲି କରିବ ଏବଂ ସେହି ଅଞ୍ଚଳ ଆମକୁ ହସ୍ତାନ୍ତର କରିବ। ସିନ୍ଧୁ ଜଳ ଚୁକ୍ତି ଉପରେ ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ସମ୍ପୂର୍ଣ୍ଣ ବନ୍ଦ ନକରେ ସେପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାକୁ ଦୋହରାଇ କହିଛନ୍ତି ଯେ “ଆତଙ୍କବାଦ ଓ ଆଲୋଚନା ଏକାଠି ହୋଇପାରିବ ନାହିଁ, ଆତଙ୍କବାଦ ଓ ବାଣିଜ୍ୟ ଏକାଠି ହୋଇପାରିବ ନାହିଁ ଏବଂ ପାଣି ଓ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ।”

 

Comments are closed.