Latest Odisha News

BREAKING NEWS

‘ଆମେ ସମ୍ବିଧାନର ରକ୍ଷା ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଅଛୁ’

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦଳୀୟ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ଖଡଗେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ଉଦବୋଧନ ଦେଇ କହିଛନ୍ତି ଯେ, କିଛି ଶକ୍ତି ଅଛି ଯାହା ଆମ ଭାଇଚାରାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି । ସମ୍ବିଧାନର ସୁରକ୍ଷା ପାଇଁ ଆମକୁ ବଳିଦାନ ଦେବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

ସେ ଆହୁରି କହିଛନ୍ତି, କିଛି ଲୋକ କହୁଛନ୍ତି ସ୍ୱାଧୀନତା ସହଜରେ ହାସଲ କରାଯାଇଥିଲା, କିନ୍ତୁ ସତ୍ୟ ଏହା ହେଉଛି ଯେ ଲକ୍ଷ ଲକ୍ଷ ଲୋକ ଏଥିପାଇଁ ବଳିଦାନ ଦେଇଛନ୍ତି । ନିଜ ଘର ପରିବାର ଛାଡି ବାହାରେ ରହୁଥିଲେ । ଆଜିର ଶାସକମାନେ ବିଭାଜନକାରୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛନ୍ତି । ଘୃଣା ବିସ୍ତାର କରିବାର ଉଦ୍ଦେଶ୍ୟରେ ସେମାନେ ବିଭିଷିକା ଦିବସ ପାଳନ କରୁଛନ୍ତି ।

କଂଗ୍ରେସ କାର୍ଯ୍ୟାଳୟରେ ଖଡଗେ କହିଛନ୍ତି ଯେ, ୭୮ ତମ ସ୍ୱାଧୀନତା ଦିବସରେ ସାମ୍ବିଧାନିକ ତଥା ସ୍ବୟଂଶାସିତ ଅନୁଷ୍ଠାନଗୁଡିକ କାଠ କଣ୍ଢେଇରେ ପରିଣତ ହେବା ଚିନ୍ତାର ବିଷୟ । ସେ କହିଛନ୍ତି ଯେ ୧୪୦ କୋଟି ଭାରତୀୟଙ୍କ ପାଇଁ ଗଣତନ୍ତ୍ର ଏବଂ ସମ୍ବିଧାନ ହେଉଛି ସବୁଠାରୁ ବଡ ଢାଲ ଏବଂ ଆମେ ଆମର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷା ଦେବୁ ବୋଲି ଖଡଗେ କହିଛନ୍ତି ।

ଏହି ଅବସରରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ ।

Comments are closed.