Latest Odisha News

ନନ୍ଦନକାନନକୁ ବିଶ୍ଵସ୍ତରୀୟ କରିବେ ଡବଲ ଇଞ୍ଜିନ ସରକାର: ମନ୍ତ୍ରୀ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଙ୍ଗଳବାର ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇ କହିଥିଲେ, ଆମ ଓଡ଼ିଶାର ଗର୍ବ ଓ ଗୌରବ ନନ୍ଦନକାନନ। ଏହାର ବିକାଶ ପାଇଁ ମିଳିମିଶି କାମ କରିବା ସମସ୍ତଙ୍କର କର୍ତ୍ତବ୍ୟ। ନନ୍ଦନକାନନକୁ ବିଶ୍ଵସ୍ତରୀୟ କରିବାରେ ଡବଲ ଇଞ୍ଜିନ ସରକାରର ସମସ୍ତ ସହଯୋଗ ରହିବ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିଜ ଅଭିଭାଷଣରେ କହିଥିଲେ। ନବନିର୍ମିତ ପ୍ରାଣୀ ଉଦ୍ୟାନ ସୁରକ୍ଷା କର୍ମୀ ଆବାସିକ କମ୍ପ୍ଲେକ୍ସ, ଲାଇବ୍ରେରି ଏବଂ ଡିଜିଟାଲ୍ ହବ୍, ସଂରକ୍ଷଣ ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର, ପକ୍ଷୀ ସଙ୍ଗରୋଧ କେନ୍ଦ୍ର, ପର୍ଯ୍ୟଟକଙ୍କ ମନୋରଞ୍ଜନ ଓ ଆକର୍ଷଣ ପାଇଁ ନିର୍ମିତ କରାଯାଇଥିବା ପରିଦର୍ଶନ କେନ୍ଦ୍ର ଓ ଉନ୍ନତୀକରଣ କରାଯାଇଥିବା ହିମାଳୟ କଳା ଭାଲୁ ଖୁଆଡକୁ ଉଦ୍‌ଘାଟନ ମନ୍ତ୍ରୀ ଉଦଘାଟନ କରିଛନ୍ତି। ଏହା ସହିତ ଦୁଇ ସିଂହ ଶାବକଙ୍କ ନାମ ସିମ୍ବା, କେଶରୀ ଘୋଷଣା କରିଥିବା ବେଳେ  ଆଲିପୁରରୁ ଆସିଥିବା ଦୁଇ ଜିରାଫଙ୍କ ନାମ ଆନନ୍ଦ ଓ ମୁସ୍କାନ ବୋଲି ଘୋଷଣା କରିଛନ୍ତି।

୬୫ତମ ପ୍ରତିଷ୍ଠା ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ କର୍ମରରୀ, ଜନ୍ତୁରକ୍ଷକ ଓ କୃତିତ୍ତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୨୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏତତବ୍ୟତୀତ ନନ୍ଦନକାନନର ରାଷ୍ଟ୍ରଦୂତ ବା ଆମ୍ବାସଡ଼ରଙ୍କ ନାମ ଘୋଷଣା କରାଯିବା ସହିତ ନନ୍ଦନକାନନର ବାର୍ଷିକ ପୁସ୍ତକ ଓ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇଏଏସ୍, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଦେବିଦତ୍ତ ବିଶ୍ଵାଳ ଏବଂ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ  ପ୍ରେମ କୁମାର ଝା ଯୋଗ ଦେଇଥିଲେ। ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି ନାୟର ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ ଶେଷରେ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.