ଭୁବନେଶ୍ୱର: ଆଜି ଓଡ଼ିଶାରେ ଛୁଇଁବ ବାତ୍ୟା ‘ଅକୱାନ୍’। ରାଜ୍ୟବାସୀଙ୍କ ମନରେ ପଶିଛି ଛନକା। ବାତ୍ୟା ଏବେ ଉପକୂଳର ଖୁବ୍ ନିକଟତର ହୋଇଛି। ପାଣିପାଗ ବିଭାଗର ସଦ୍ୟତମ ଆକଳନ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗୋପାଳପୁରର ହରିପୁର ବିଚ୍ ନିକଟରେ ବାତ୍ୟା ‘ଅକ୍ଭାନ୍’ ଲ୍ୟାଣ୍ଡଫଲ୍ କରିବାର ପ୍ରବଳ ସମ୍ଭାବନା ରହିଛି। ଆଜି ଦିନ ୧୨ଟା ପାଖାପାଖି ଗୋପାଳପୁର ପାଖରେ ମାଡ଼ ହେବ ବାତ୍ୟା। ସେବେ ପବନର ବେଗ ୭୦ରୁ ୮୦ କିମି ଥିବ । ଲ୍ୟାଣ୍ଡଫଲ ପରେ ଶୀଘ୍ର ଦୁର୍ବଳ ହୋଇଯିବ ।
ପବନର ବେଗ ୫୦ରୁ ୬୦ କିମିକୁ ଖସଯିବ। ପବନ କମ୍ ରହିବ ସତ, କିନ୍ତୁ ପ୍ରବଳ ବର୍ଷିବ । ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡ଼ି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାର ଲ୍ୟାଣ୍ଡଫଲ ଓ ତୀବ୍ରତାକୁ ନେଇ ଏଭଳି ଆକଳନ ଦେଇଛନ୍ତି। ବାତ୍ୟା ପ୍ରଥମେ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଉଛି। ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖପାଟଣା, ପାର୍ବତୀପୁରମ୍ ଓ ବିଜୟନଗରମ୍ ଭଳି ଜିଲ୍ଲାରେ ୯୦ କିମି ପବନ ବହିପାରେ। କିନ୍ତୁ ଓଡ଼ିଶାରେ ପବନ ଅପେକ୍ଷାକୃତ କମ୍ ରହିବ। ଅଧିକ ବର୍ଷା ହେବ। ସମ୍ଭାବ୍ୟ ବାତ୍ୟା ଗୁରୁବାର ସନ୍ଧ୍ୟା ସୁଦ୍ଧା ଗଞ୍ଜାମ ଉପକୂଳ ପାଖରେ ଥିଲା।
ଆଜି ସକାଳୁ ବାତ୍ୟା ଅକଭାନ୍ର ଲ୍ୟାଣ୍ଡ୍ଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥଳଭାଗ ଛୁଇଁବା ବେଳକୁ ମାତ୍ର ୭୦ରୁ ୮୦୦ କିମି ବେଗରେ ପବନ ବହିବ। ପବନର ଝଟ୍କା ସର୍ବାଧିକ ୯୦ କିମି ଛୁଇଁପାରେ। ଅଧିକ ପବନ ହେବାର ଆଶଙ୍କା ନାହିଁ, କିନ୍ତୁ ଲ୍ୟାଣ୍ଡଫ୍ଲ ସମୟରେ ପ୍ରବଳ ବର୍ଷା ହେବ। ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ଅନ୍ୟପଟେ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ‘ଜିରୋ କାଜୁଆଲଟି’ ବା ଶୂନ୍ୟ ମୃତାହତ ନୀତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବିତ ହେବାକୁ ଥିବା ବିପଦସଙ୍କୁଳ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବିଶେଷ କରି ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଅଣାଯାଇଛି । ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ।
