ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି ରାଜ୍ୟରେ କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ପବନ ହୋଇପାରେ। ବର୍ଷାରେ କୁଆପଥର ମାଡ଼ ସହ ୪୦ରୁ ୫୦ କିମି ବେଗରେ ବହିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ ଓ ବୌଦ୍ଧ। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସୂଚନା ଥାଉକି ଗତକାଲି ଟ୍ୱିନି ସିଟି କଟକ-ଭୂବନେଶ୍ୱର ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। କିଛି ସ୍ଥାନରେ କୁଆପଥର ମାଡ଼ ହେବା ସହ ପବନ ଯୋଗୁ ଗଛ ଉପଡ଼ି ପଡ଼ିଥିଲା। ସେହିପରି ବଜ୍ରାଘାତର ତଣ୍ଡବ ବି ଦେଖିବାକୁ ମିଳିଥିଲା।
ବାଲେଶ୍ୱର ଜିଲ୍ଲା ନୀଳଗିରିର ଅଯୋଧ୍ୟା ପଞ୍ଚାୟତର ପ୍ରତାପପୁର ଗାଁରେ ଏକ ଭଙ୍ଗାଘରେ ବର୍ଷା ଯୋଗୁ କିଛି ଗୋରୁ ଆଶ୍ରୟ ନେଇଥିବା ବେଳେ ହଠାତ୍ ବଜ୍ରପାତରେ ୧୩ଟି ଗୋରୁ ପ୍ରାଣ ହରାଇଛନ୍ତି। ଘର ଭିତରେ ୨୫ରୁ ଅଧିକ ଗୋରୁ ଥିଲେ। ଅନ୍ୟଗୁରୁଗୁଡ଼ିକର ଅବସ୍ଥା ଗୁରୁତର ରହିଛି।
ସେହିପରି ବର୍ଷା, ପବନ ଯୋଗୁ କଟକରେ ୧୭ ନଂ ୱାର୍ଡରେ ନଡ଼ିଆ ଗଛ ପଡ଼ି ଜଣେ ଦିବ୍ୟାଙ୍ଗଙ୍କ ଘର ଭାଙ୍ଗିଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଝଡ଼ତୋଫାନରେ କିଛି ଘରର ଆଜବେଷ୍ଟସ ଉଡ଼ି ଯାଇଥିଲା। ଏଥିରେ ଦୁଇ ମହିଳା ଆହତ ମଧ୍ୟ ହୋଇଛନ୍ତି।
Comments are closed.