Latest Odisha News

ସାରା ରାଜ୍ୟରେ ବର୍ଷା ବିତ୍ପାତ; ବୌଦ୍ଧରେ ୨୪ ଘଣ୍ଟାରେ ସର୍ବାଧିକ ୩୯୦ ମିମି ବର୍ଷା

ଭୁବନେଶ୍ୱର:ସାରା ରାଜ୍ୟରେ ବର୍ଷା ବିତ୍ପାତ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ପାଣି ଆଉ ପାଣି । ଜନଜୀବନ ଅସ୍ତବ୍ୟସ୍ତ । ତଳିଆ ଅଞ୍ଚଳରେ ଥିବା ଲୋକେ ଅବସ୍ଥା ବେହାଲ ହୋଇ ପଡିଲାଣି ।

ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ  ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା  ହୋଇଥିବା ରେକର୍ଡ କରାଯାଇଛି ।  ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା କହିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିମି ବର୍ଷା, ବଲାଙ୍ଗୀରରେ ୧୭୩ ମିମି, କେନ୍ଦୁଝରରେ ୧୫୦.୨ ମିମି, ତାଳଚେରରେ ୧୪୭ ମିମି, ଭବାନୀପାଟଣାରେ ୧୪୫ ମିମି ବର୍ଷା ରେକର୍ଡ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବୈତରଣୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ରହିଛି । ରାଜଘାଟଠାରେ ବିପଦ ସଙ୍କେତ ୩୬.୩୬ ମିଟର ଥିବାବେଳେ ଏବେ ବନ୍ୟ ଜଳସ୍ତର ୩୯.୧୪ମି ରହିଛି ।

କରଞ୍ଜିଆରେ ତାଟ ହାତୀବାରୀ ରାସ୍ତାର ପାଟୁଳିଡିହି ନିକଟରେ ୩ ଫୁଟ୍ର ପାଣି

 

ଏପଟେ ବର୍ଷା ଯୋଗୁ ବାଲେଶ୍ୱରରେ ଅବସ୍ଥା ଖରାପ ହୋଇଛି । ସୋରରୁ ଔପଦାକୁ ଯୋଗାଯୋଗ ହେଉଥିବା ରାସ୍ତା ବୁଦାଖୁଣ୍ଟା ନିକଟରେ ୧୫ଫୁଟର ଘାଇ ସୃଷ୍ଟି ହୋଇଛି । ଏପଟେ   କେନାଲ ପାଣି ବଢ଼ିବା   ଫଳରେ ବଡ଼ ଘାଇ ସୃଷ୍ଟି ହୋଇଛି ।  ।

 କଳାହାଣ୍ଡିରେ ବର୍ଷା ବିତ୍ପାତ ଯୋଗୁ ଅବସ୍ଥା ବେହାଲ ହୋଇଛି । ଏହି ଜିଲ୍ଲାରେ  ୨ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଅନେକ  ଘର ଭାଙ୍ଗି ଯାଇଛି । ସହରର ୧୮, ୧୫, ୧୩, ୧୯ ଓ ୨୩ ନମ୍ବର ୱାର୍ଡ଼ର ପ୍ରବଳ ବର୍ଷା ଯୋଗୁଁ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରେ ପାଣି ପଶିଯାଇଛି । ବିଭିନ୍ନ ସ୍ଥାନରେ ୧୦ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।   

କେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ଡେଣୁଆ ଜହ୍ନେଇ ନାଳ ଉପରେ ପ୍ରବାହିତ ହେଉଛି ୩ଫୁଟର ପାଣି । ଫଳରେ ତୁରୁମୁଙ୍ଗା ଅଞ୍ଚଳରୁ ପାଟଣାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

ସେହିପରି ଜୁଡ଼ିଆ ଘାଟିରେ ଭୂସ୍ଖଳନ ହୋଇଛି । ୪୯ ନମ୍ବର ଜାତୀୟ ରାଜପଥ ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କଲିକତା-ମୁମ୍ବାଇ ଜାତୀୟ ରାଜପଥ ଉପରେ ଜୁଡ଼ିଆ ଘଟି ପାହାଡ଼ ଉପରୁ ବଡ଼ ବଡ଼ ପଥର ଖଣ୍ଡ ପଡ଼ି ରହିଛି । ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱ ବନ୍ଦ ରହିଛି ।

ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁ ମନ୍ଦିର ଭିତରେ ପଶିଲା ପାଣି । ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀରରେ ପାଟଣେଶ୍ୱରୀ ମନ୍ଦିର ଭିତରେ ପାଣି ପଶିଛି । ମାଆଙ୍କ ମୂର୍ତ୍ତି ଅଧା ବୁଡ଼ି ଯାଇଛି ।   ସେହିପରି ପୁରାତନ ଗୋପାଳଜୀ ମନ୍ଦିର ପରିସରରେ ପାଣି ଭରି ରହିଛି ।

ବଲାଙ୍ଗୀରରେ ଗତକାଲିଠୁ ବର୍ଷା କମିବାର ନାଁ ନେଉ ନ ଥିବା ବେଳେ ଏସଆରସିଙ୍କ ତରଫରୁ ବଲାଙ୍ଗୀରକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିରେ ବୁଡି ରହିଛନ୍ତି ମା’ ପାଟଣେଶ୍ୱରୀ

 

 

Comments are closed.