ରାମପୁର: ଉତ୍ତର ପ୍ରଦେଶର ରାମପୁର ଠାରେ ଏକ ବିବାହ ବେଦୀରେ ଯୌତୁକ ଦାବି କରିବାରୁ ବରକୁ ଶକ୍ତ ଚାପୁଡା ମାରିଥିଲେ କନ୍ୟା। ଯାହାଫଳରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ସମସ୍ତେ ପଳାଇ ଯାଇଥିଲେ।
ଶୁକ୍ରବାର ଦିନ ଧୁନ୍ଧାୟି ଗାଁର ବରଯାତ୍ରୀ ବିବାହ ପାଇଁ ରାମପୁରର ଆଜିମନଗର ଥାନା ଅଞ୍ଚଳର ଏକ ବିବାହ ମଣ୍ଡପକୁ ଆସିଥିଲେ। ରାତି ପ୍ରାୟ ୧୧ଟାରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା ଓ ଶନିବାର ଭୋର ୪ଟାରେ ବର ଏବଂ କନ୍ୟାଙ୍କୁ ବରମାଳା ପାଇଁ ଡକାଯାଇଥିଲା। ହେଲେ ଏହି ସମୟରେ ବର ଏବଂ ତାଙ୍କ ପରିବାର ଲୋକ ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ।
ବରପକ୍ଷ ଲୋକେ ଯୌତୁକ ଦାବି କରିବା ପରେ କନ୍ୟା ଜଣକ ରାଗିଯାଇ ବରମାଳା ଫିଙ୍ଗି ଦେଇ ବରକୁ ଜୋରରେ ଏକ ଚାପୁଡ଼ା ମାରିଥିଲେ। ଯାହାଫଳରେ ମାମଲା ବିଗିଡି ଯାଇଥିଲା ଓ ଉଭୟ ପକ୍ଷ ମଧ୍ୟରେ ପରସ୍ପରକୁ ଚାପୁଡ଼ା, ଗୋଇଠା ଏବଂ ଚେୟାର ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଥିଲା।
ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୋଲିସ ଆସିବାର ଦେଖି ବରପକ୍ଷ ଲୋକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କିନ୍ତୁ ପୋଲିସ ବରର ବାପାଙ୍କୁ ଅଟକ ରଖି ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।
Comments are closed.