Latest Odisha News

BREAKING NEWS

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା

କୋଲକାତା: କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସାରା ଦେଶର କଥା କହି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମମତା ।

ମମତା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସାରା ଦେଶରେ ଦୈନିକ ହାରାହାରି ୯୦ଟି ଦୁଷ୍କର୍ମ ମାମଲା ଘଟୁଛି । ଏଭଳି ଘୃଣ୍ୟ କାର୍ଯ୍ୟ ସାରା ଦେଶପ୍ରତି ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି । ଏଭଳି କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଭଳି ଘୃଣ୍ୟ କାର୍ଯ୍ୟକୁ ଦୃଢ଼ ଦମନ ପାଇଁ କଡ଼ା ଆଇନ ହେବା ଜରୁରୀ । ତ୍ବରିତ ନ୍ୟାୟ ପାଇଁ ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ଆଇନ ଆଣୁ । ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ ବୋଲି ଚିଠିରେ ଲେଖିଛନ୍ତି ମମତା ।

ବଳାତ୍କାର-ହତ୍ୟା ମାମଲା ଏବଂ ଘଟଣା ଘଟିଥିବା ଆର.ଜି କର ଡାକ୍ତରଖାନାରେ ପରବର୍ତ୍ତୀ ଭଙ୍ଗାରୁଜା ଘଟଣାରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ସେପଟେ କୋଲକାତା ବଳାତ୍କାର ମାମଲାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଡାକ୍ତରଖାନାରେ ରାଜ୍ୟ ସରକାର କିପରି ଭଙ୍ଗାରୁଜା ମାମଲାକୁ ସମ୍ଭାଳି ପାରିବେ ନାହିଁ ତାହା ବୁଝା ପଡୁନାହିଁ। ତେବେ ମମତା ବାନାର୍ଜୀ ଆରଜି କର ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ପାଇଁ ବିରୋଧି ଦଳକୁ ଦାୟୀ କରିଛନ୍ତି ଏବଂ ବଳାତ୍କାର ମାମଲାରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିବା ଦାବି କରିଛନ୍ତି।

Comments are closed.