କୋଲକତା: ପଶ୍ଚିମବଙ୍ଗ ହାଓ୍ବଡାସ୍ଥିତ ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ତ । ହୁତୁହୁତୁ ହୋଇ ଜଳିଗଲା ଗୋଦାମ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛି । ନିଆଁ ଲିଭା କାର୍ଯ୍ୟରେ ଦଳକଳ ବାହିନୀର ମୋଟ ୧୧ଟି ଗାଡ଼ି ନିୟୋଜିତ ଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ହାୱଡା ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଏକ ଖାଇବା ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗୋଦାମରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାକୁ ଆୟତ୍ତ କରିବା ନେଇ ନାକେଦମ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ତେବେ ଅଗ୍ନିକାଣ୍ତ ଘଟିଥିବା ଗୋଦାମ ଶିଳ୍ପାଞ୍ଚଳରେ ଥିବାରୁ ନିକଟରେ ଥିବା ଇଣ୍ଡଷ୍ଟ୍ରି ଓ ଗୋଦାମକୁ ଯେପରି ନିଆଁ ନ ବ୍ୟାପେ ସେଥିପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡରେ ଗୋଦାମରେ ଥିବା କୋଟି କୋଟି ଟଙ୍କାର ସାମଗ୍ରୀ ଛାରଖାର ହୋଇଯାଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ନିଆଁ ସମ୍ପୁର୍ଣ୍ଣ ଲିଭିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
Comments are closed.