ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ବୋଷ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି । ବୋଷ ସାଢ଼େ ୩ ବର୍ଷ ରାଜ୍ୟପାଳ ଦାୟିତ୍ବ ତୁଲାଇଛନ୍ତି । ରାଜ୍ୟ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ବୋଷଙ୍କ ଏପରି ଇସ୍ତଫା ଦେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୂର୍ବତନ ଆଇଏଏସ୍ ଅଫିସର ବୋଷଙ୍କୁ ୨୦୨୨ ନଭେମ୍ବରରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ରାଜ୍ୟପାଳ ନିଯୁକ୍ତ କରିଥିଲେ । ଇସ୍ତଫା ଦେବାପରେ ବୋଷ କହିଛନ୍ତି ଯେ ସେ ରାଜ୍ୟପାଳ ଭାବେ ଅନେକ ସମୟ ଅଫିସ୍ରେ ରହିଲେଣି ତେଣୁ ସେ ଆଉ ଆଗକୁ ଏହି ଦାୟିତ୍ବ ବହନ କରିବାକୁ ଚାହୁନାହାନ୍ତି ।
ଅନ୍ୟପଟେ, ଆରଏନ ରବି ବୋଷଙ୍କ ସ୍ଥାନରେ ପଶ୍ଚିମବଙ୍ଗରେ ନୂଆ ରାଜ୍ୟପାଳ ଭାବେ ତାମିଲନାଡ଼ୁ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଆର.ଏନ. ରବି ଜଣେ ପୂର୍ବତନ ଆଇପିଏସ୍ ଅଫିସର ଏବଂ ସେ ସିବିଆଇ (CBI) ଓ ଆଇବି (IB) ରେ କାର୍ଯ୍ୟ କରିସାରିଛନ୍ତି ।
ଅନ୍ୟପଟେ, ହିମାଚଳ ପ୍ରଦେଶର ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳା ତେଲେଙ୍ଗାନାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ତେଲେଙ୍ଗାନାର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମାଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି । ନନ୍ଦ କିଶୋର ଯାଦବଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି ।
ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଆତା ହସନୈନଙ୍କୁ ବିହାରର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି । ସେହିପରି, କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବରେ କାର୍ଯ୍ୟ ସମ୍ଭାଳିବେ ।
ଲଦାଖର ଉପରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି । ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଲଦାଖର ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି । ତରନଜିତ ସିଂହ ସାନ୍ଧୁଙ୍କୁ ଦିଲ୍ଲୀର ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି ।
ଉପରୋକ୍ତ ନିଯୁକ୍ତିଗୁଡ଼ିକ ସେମାନଙ୍କ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ରହିଛି ।