କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହ ଏବେ ଏକ ନୂଆ ମୋଡ଼ ନେଇଛି। ଦଳର ୨୦ ଜଣ ଲୋକସଭା ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI) ରେ ସାମିଲ ହେବାକୁ ଘୋଷଣା କରିଥିଲେ। ତେବେ, ସଂସଦରେ ଏହି ନୂଆ ଦଳକୁ ଏପର୍ଯ୍ୟନ୍ତ ମାନ୍ୟତା ମିଳିନଥିବାରୁ, ବର୍ତ୍ତମାନ ଏହି ବିଦ୍ରୋହୀ ସାଂସଦମାନେ ଏକ ନୂଆ ବିକଳ୍ପ ସନ୍ଧାନରେ ଅଛନ୍ତି, ଯାହାକି ‘ବହୁଜନ NCPI’ ଭାବରେ ସାମ୍ନାକୁ ଆସିଛି।
ଏହି ନୂତନ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି କାରଣ ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କ ପୁଅ ବୈଦ୍ୟନାଥ ଘୋଷ ଦସ୍ତିଦାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲୋକଙ୍କୁ ଏହି ନୂଆ ଦଳରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ତାଙ୍କ ପୋଷ୍ଟ ଅନୁଯାୟୀ, ଦଳର ସମସ୍ତ ପଦବୀରେ ଦଳିତ, ଅତ୍ୟନ୍ତ ପଛୁଆ ବର୍ଗ, ମହାଦଳିତ, ମତୁଆ ଏବଂ ନାମଶୂଦ୍ରଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ମୁସଲମାନ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି ।
ତେବେ, ଏହି ‘ବହୁଜନ NCPI’ କୁ ନେଇ NCPI ଭିତରେ କୌଣସି ବିଭାଜନ ହୋଇଛି କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ବୈଦ୍ୟନାଥ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଏହା ଦଳର ଏକ ଅଲଗା ଶାଖା ନୁହେଁ, ବରଂ ଏକ ଟ୍ରଷ୍ଟ ବା ଶାଖା ଯାହାକି ଆଦିବାସୀ, ମୁସଲମାନ, ଅନୁସୂଚିତ ଜନଜାତି ଏବଂ ଦଳିତଙ୍କ ଉନ୍ନତି ପାଇଁ ସାମାଜିକ କାର୍ଯ୍ୟ କରିବ ।
କାକୋଲି ଘୋଷ ଦସ୍ତିଦାର ନିଜେ ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପୋଷ୍ଟ ସେମାନଙ୍କ ସୋସିଆଲ ମିଡିଆ ସେଲ୍ରୁ କରାଯାଇଥିଲା। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୨୦ ଜଣ ବିଦ୍ରୋହୀ ସାଂସଦ ଗତ ଅଧିବେଶନରେ ନୂଆ ଦଳରେ କାମ କରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ NCPI ସମସ୍ତଙ୍କ ସହ ବିଶେଷକରି ସମାଜର ପଛୁଆ ବର୍ଗ, ଦଳିତ, ମହିଳା ଏବଂ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସହ କାମ ଜାରି ରଖିବ ।
ବର୍ତ୍ତମାନ ଏହି ବିଦ୍ରୋହୀ ସାଂସଦମାନଙ୍କ ନାମ ଆଗରେ ସଂସଦରେ ଏବେ ବି TMC ଲେଖାଯାଉଥିବାରୁ ଏବଂ NCPI କୁ ମାନ୍ୟତା ମିଳିନଥିବାରୁ, ‘ବହୁଜନ NCPI’ ର ଏହି ନୂଆ ପଦକ୍ଷେପ ବଙ୍ଗଳା ରାଜନୀତିରେ ଆଗାମୀ ଦିନରେ କି ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା।

