Latest Odisha News

ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ: ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ସୁବର୍ଣ୍ଣପୁର/ନୂଆପଡା: ରାତି ପାହିଲେ ପାଳିତ ହେବ ପଶ୍ଚିମ ଓଡିଶା ର ଲୋକପର୍ବ ନୁଆଁଖାଇ । ଏଥିପାଇଁ ଏବେ ସାରା ପଶ୍ଚିମ ଓଡିଶା ବେଶ ଚଳଚଞ୍ଚଳ ହୋଇଉଠିଛି  । ନୂଆଁ ନୂଆଁରେ ପାଳନ ହୋଇଥାଏ ନୂଆଖାଇ ପର୍ବ  । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ  । ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଏ  ।  କେବଳ ଯେ ନୂଆଁ ଧାନ ନୁହେଁ , ଲୁଗାପଟା ଠାରୁ ଆରମ୍ଭ କରି ଘରର ଅନେକ ଘରକରଣା ଜିନିଷ ବି ନୁଆ ଭାବରେ ବ୍ୟବହୃତ ହୁଏ  । ପିଲାଠୁ ବୟସ୍କ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନୂଆ ଖାଇବାର ପରମ୍ପରା ରହିଛି  । ଏଥିଲାଗି ସମ୍ବଲପୁରୀ ବସ୍ତ୍ର ବୁଣାକାରମାନେ ଦୀର୍ଘ ଦିନରୁ ନୂଆ ନୂଆ ଡିଜାଇନର ବସ୍ତ୍ର ତିଆରି କରିବାରେ ଲାଗି ପଡିଥାନ୍ତି । ଜିଲ୍ଲାର ସବୁ ସମ୍ବଲପୁରୀ ଲୁଗା ଦୋକାନ ଗୁଡିକରେ  ବେଶ୍ ଭିଡ ଜମିଥିବା ଦେଖିବାକୁ ମିଳିଛି । ଯିଏ ଯେତେ ଦୂରରେ ଥାଉ ନା କାହିଁକି ନୂଆଖାଇ ଦିନ ନିଶ୍ଚୟ ନିଜ ଘରକୁ ଫେରିଥାନ୍ତି ।

ସେପଟେ ଆସନ୍ତାକାଲି ନୂଆପଡା ଜିଲ୍ଲାରେ ମଧ୍ୟ ବଡ ଧୂମଧାମ ସହକାରେ ପର୍ବ ପାଳିତ ହେବ  ।  ଗାଁ ଗାଁରେ ଲଗ୍ନ ତାରିଖ ଡେଙ୍ଗୁରା ବଜାଇ ଘୋଷଣା କରାଯାଇଛି । ଯାହା ପରେ ଏଠି ଚାଷୀ ସହିତ ସମସ୍ତ ବର୍ଗର ଲୋକେ ଏହି ନୂତନତ୍ୱର ପର୍ବ ପାଳନ ପାଇଁ ସଜବାଜ ଆରମ୍ଭ କରିଦେଇଛନ୍ତି । କେବଳ ଚାଷୀ ନୁହେଁ ବରଂ ସମସ୍ତ ବର୍ଗର ଲୋକେ ପାଳନ କରିଥାନ୍ତି ନୂଆଖାଇ । ସବୁ ଶତ୍ରୁତା ଦ୍ଵେଷ ବିଦ୍ୱେଷ ଭୁଲି ଗାଁ ଲୋକେ ନିଜ ନିଜ ପରିବାର ମଧ୍ୟରେ ଏକାଠି ହୋଇ ନୂଆଖାଇ ଥାଆନ୍ତି । ଆଦିବାସୀ ନୃତ୍ୟ, ଡାଲଖାଇ, ମାଇଲା ଜଡ଼, କୁରେଫୁଲ ଭଲି ଅନେକ ପାରମ୍ପରିକ ନୃତ୍ୟ ଗୀତରେ ସମସ୍ତେ ସାମିଲ ହୋଇ ଖୁସି ମନାଇବେ ।  ଏଥର ନୂଆଖାଇ ପର୍ବକୁ ଅତି ଧୁମଧାମ ସହକାରେ ପାଳିବାକୁ ଆଶା ରଖିଛନ୍ତି ସ୍ଥାନୀୟଲୋକେ । ନୂଆଖାଇ ଭେଟଘାଟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖେଳ ଇତ୍ୟାଦି ଗାଁ ଗାଁରେ ଆୟୋଜନ ହୋଇ ଜମିବ ନୂଆଖାଇ ପର୍ବ ।

Comments are closed.