Latest Odisha News

ରାତି ପାହିଲେ ନୂଆଖାଇ: ଉତ୍ସବମୁଖର ନୂଆପଡ଼ା

ନୂଆପଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତ ଏକ ସପ୍ତାହ ଧରି ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଥିବା ବେଳେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବୋଡ଼େନ ସିନାପାଲି ଅଞ୍ଚଳରେ ଏହାର ପ୍ରଭାବ ଆହୁରି ବ୍ୟାପକ ଦେଖାଦେଇଛି । ଦୂରଦୂରାନ୍ତରେ ରହୁଥିବା ପରିବାର ସ୍ୱଜନ ଗାଁକୁ ଫେରିଛନ୍ତି। ଆଜି ରାତିରେ ମାଁ ସମଲେଶ୍ଵରୀ ରକ୍ତାମ୍ବରିଙ୍କ ଠାରେ ନବାନ୍ନ ଲାଗି କରି ନିଜନିଜ ଇଷ୍ଟଦେବୀଙ୍କୁ ଅର୍ପଣ କଲାପରେ ସକାଳୁ ଖଡ଼ିଆଳ ଗଡ଼ଜାତ ଅଞ୍ଚଳବାସୀ ନୂଆଖାଇ ଉତ୍ସବ ପାଳନ କରିବେ ।

ମାଟି, ମାଆ ଓ ପ୍ରକୃତି ପୂଜାର ଏହି ନିଆରା ପରମ୍ପରା ପାଇଁ ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ହାଟ ବସିଥିବା ସହ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପର୍ବ ପାଳନ ପାଇଁ ଲୋକେ ନୂଆ ବସ୍ତ୍ର, ପନିପରିବା ଆଉ ଡାଲା, କୁଲା ଆଦି କିଣି ଆଣୁଛନ୍ତି। ସେପଟେ ମାଁ ସମଲେଶ୍ଵରୀଙ୍କ ପାଖରେ ଆସନ୍ତାକାଲି ସକାଳ ତୁଳା ଲଗ୍ନ ମାହେନ୍ଦ୍ର ବେଳାର ୯ଟା ୩୫ମିନିଟରୁ ୧୦ଟା ୦୭ ମିନିଟ ମଧ୍ୟରେ ନାବାନ୍ନ ଲାଗିହେବ। ନୂଆଖାଇ ପାଇଁ ପଣ୍ଡିତ ମହାସଭାରେ ଲଗ୍ନଧାର୍ଯ୍ୟ ହୋଇଛି I ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗି ହେଲା ପରେ ପୁରା ପଶ୍ଚିମ ଓଡିଶାବାସୀ ସପରିବାର ଏକାଠି ହୋଇ ନୂଆଁ ଖାଇବେ । ଏହାପରେ ହେବ ଜୁହାର ଭେଟ ।

Comments are closed.