Latest Odisha News

ଦୁଇ ଦିନ ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ୨୪ରୁ ବଢ଼ିବ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦୁଇ ଦିନ ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ କରାଯାଉଛି।

ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂଷ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ରାଜ୍ୟରେ ଲଘୁଚାପ ସକ୍ରିୟ ଥିବା ଯୋଗୁଁ ଆଜି ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଜି ପାଇଁ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୩ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆକଳନ କରାଯାଇଛି।

ତେବେ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ। ସହରାଞ୍ଚଳରେ ଦୃଶ୍ୟମାନ କ୍ଷମତା ହ୍ରାସ ଓ ଟ୍ରାଫିକ୍ ସମସ୍ୟା ଉପୁଜିବ ବୋଲି ଏସଆରସି ସତର୍କ କରାଇଛନ୍ତି। ସେହିଭଳି ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ୨୨ରୁ ୨୫ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ଉପରେ କଟକଣା ଲଗାଯାଇଛି।

Comments are closed.