Latest Odisha News

ନିଜ ବିରୋଧରେ ଲାଗିଥିବା ପୋକ୍ସୋ ଆକ୍ଟରେ ତ୍ରୁଟି ରହିଛି, ଏଥିରେ ପରିବର୍ତ୍ତନ କରିବାକୁ ସରକାରଙ୍କୁ ବାଧ୍ୟ କରିବୁ ବୋଲି କହିଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ: ପୋକ୍ସୋ ଆକ୍ଟରେ ମାମଲାଭୁକ୍ତ ହୋଇଥିବା ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ଏହି ଆଇନକୁ ବଦଳାଇବା କଥା କହିଛନ୍ତି। ପୋକ୍ସୋ ଆକ୍ଟର ଦୁରୁପ ଯୋଗ ହେଉଛି। ତେଣୁ ଏଥିରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବି ବୋଲି ବ୍ରିଜ ଭୂଷଣ କହିଛନ୍ତି।

ଜୁନ ୫ ତାରିଖରେ ଅଯୋଧ୍ୟାର ସନ୍ଥଙ୍କ ଶୋଭାଯାତ୍ରା ପାଇଁ ଆୟୋଜନ ନେଇ ଉତ୍ତର ପ୍ରଦେଶର ବହରାଇଚ୍‌ରେ ଏକ ବୈଠକ ହୋଇଥିଲା। ଏକ ବୈଠକରେ ଯୋଗ ଦେଇ ଏପରି କହିଛନ୍ତି ବ୍ରିଜ ଭୂଷଣ। କାସେରଗଞ୍ଜ୍ ନିର୍ବାଚନ ମଣ୍ଡଳିରୁ ବିଜେପି ଦଳର ସାଂସଦ ଥିବା ବ୍ରିଜ୍ ଭୂଷଣଙ୍କ ବିରୋଧରେ ସଂଗୀନ ଅଭିଯୋଗ ଲାଗିଛି। ସେ ତାଙ୍କ ପଦବୀର ଦୁରୁପଯୋଗ କରିବା ସହ ମହିଳା କୁସ୍ତି ଯୋଦ୍ଧାଙ୍କର ଯୌନ ଶୋଷଣ କରିଛନ୍ତି। ପୀଡ଼ିତଙ୍କ ମଧ୍ୟରେ ଜଣେ ନାବାଳିକା କୁସ୍ତି ଯୋଦ୍ଧା ମଧ୍ୟ ଅଛନ୍ତି। ଏଥିପାଇଁ ବ୍ରିଜଭୂଷଣଙ୍କ ବିରୋଦରେ ପୋକ୍ସୋ ଆକ୍ଟ ଲାଗିଛି।

ପୋକ୍ସୋ ଆକ୍ଟ ନେଇ ବ୍ରିଜ ଭୂଷଣ କହିଛନ୍ତି “ପିଲାମାନେ, ବୟସ୍କ ଓ ସନ୍ଥଙ୍କ ବିରୋଧରେ ଏହି ଆଇନର ଦୁରୁପଯୋଗ ହେଉଛି। ଅଧିକାରୀମାନେ ଏହାର ଦୁରୁପଯୋଗରୁ ରକ୍ଷା ପାଉ ନାହାନ୍ତି। ସନ୍ଥଙ୍କ ନେତୃତ୍ୱରେ ଆମେ ସରକାରଙ୍କୁ ପୋକ୍ସୋ ଆଇନ୍‌ରେ ପରିବର୍ତ୍ତନ କରିବାକୁ ଚାପ ପକାଇବୁ।” କଂଗ୍ରେସ ସରକାର ଦ୍ୱାରା ପୋକ୍ସୋ ଆକ୍ଟ ଅଣାଯାଇଥିଲା। ଏହାର ବିଭିନ୍ନ ଦିଗକୁ ବିଚାର ନ କରି ଅଣାଯାଇଛି ବୋଲି ବ୍ରିଜ୍ ଭୂଷଣ କହିଛନ୍ତି।

ସୂଚନା ଥାଉକି, ବ୍ରିଜଭୂଷଣଙ୍କୁ ବହିଷ୍କାର ଓ ଗିରଫ ଦାବି କରି ଦେଶର ଲୋକପ୍ରିୟ କୁସ୍ତିଯୋଦ୍ଧା ଯଥା ବିନେଶ ଫୋଗାଟ, ସାକ୍ଷୀ ମଲ୍ଲୀକ, ଏବଂ ବଜରଙ୍ଗ ପୁନିଆ ପ୍ରମୁଖ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନକୁ ମାସାଧିକ କାଳ ବିତିଯାଇଥିଲେ ବି କେନ୍ଦ୍ର ସରକାର ଏନେଇ ନିରବ ରହିଛନ୍ତି।

ଏପଟେ ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଦୁଇଟି ମାମଲା ରୁଜୁ କରିଛି। ଏଥିରେ ନାବାଳିକା କୁସ୍ତି ଯୋଦ୍ଧାଙ୍କ ଯୌନ ଶୋଷଣର ଅଭିଯୋଗ ହୋଇଛି।

Comments are closed.