Latest Odisha News

BREAKING NEWS

ବିଜେଡିରେ ବିସ୍ଫୋରଣ ପରେ ବିସ୍ଫୋରଣ !

ନୂଆଦିଲ୍ଲୀ: ଆଗ ପ୍ରଭାତ ତ୍ରିପାଠୀ, ଏବେ ପ୍ରଫୁଲ୍ଲ ମଲ୍ଲିକ । ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ବିଜେଡି କଳି । ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ମୁହଁ ଖୋଲୁଛନ୍ତି, ବିସ୍ଫୋରଣ କରୁଛନ୍ତି । ୨୪ବର୍ଷ ଧରି ବିଜେଡି କ୍ଷମତାରେ ରହିଥିବା ବେଳେ ନବୀନଙ୍କ କଥା ଉପରେ କେହି ପଦେ କହିବାକୁ ସାହାସ କରିନଥିଲେ । ହେଲେ ନିର୍ବାଚନ ହାରିବା ପରେ ସ୍ଥିତି ବଦଳିଛି । ଓ୍ବକଫ୍ ଭୋଟ୍ ପରେ ଦୀର୍ଘ ଦିନ ଧରି ପୁଞ୍ଜିଭୁତ ହୋଇ ରହିଥିବା ଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେଇଛି । ବିଜେଡି କଳି ବଢିଥିବା ବେଳେ ପାଣ୍ଡିଆନଙ୍କ ସପକ୍ଷରେ ବାହାରି ନବୀନ ବରିଷ୍ଠ ନେତାଙ୍କୁ ନାଲିଆଖି ଦେଖାଇଥିଲେ । ତେବେ ଏହାକୁ ଖୋଲାଖୋଲି ବିରୋଧ କରିଛନ୍ତି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ।

ବିସ୍ଫୋରଣ ପରେ ବିସ୍ଫୋରଣ

ହୋଟେଲରେ ବିଜେଡି ନେତାଙ୍କ ମେଳିକୁ ନେଇ ନବୀନ ତାଗିଦ କରିବା ପରେ ସିଧା ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ । କେହି କାହାକୁ ନାଲିଆଖି ଦେଖାଇ ପାରିବେନି । କେତେବେଳେ କେଉଁଠି ବସିବେ ତାହା ବ୍ୟକ୍ତିଗତ କଥା । ତାଙ୍କର ବୟସ ହେଲାଣି, ସେମାନେ କେହି ଚାକିରି କରୁନାହାନ୍ତି । ତେଣୁ ହୋଟେଲରେ ବସିପାରିବେନି କହିବା ଠିକ୍ ନୁହେଁ ବୋଲି ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବେ ବୋଲି ସେ କହିଛନ୍ତି । ହୋଟେଲରେ କୌଣସି ଦଳୀୟ ବୈଠକ ପାଇଁ ଅନୁମତି ଦେଇନଥିବା ନବୀନ କହିଥିଲେ । ବୈଠକ କରିବାକୁ ଶଙ୍ଖ ଭବନରେ ପର୍ଯ୍ୟାପ୍ତ ଜାଗା ରହିଛି । ସେଠାରେ ବୈଠକ ନକରି ହୋଟେଲରେ ବୈଠକ କରିବା ଉଚିତ୍ ନୁହେଁ ବୋଲି ନବୀନ କହିଥିଲେ ।

ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ

ପାଣ୍ଡିଆନଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେତେ ସାର୍ଟିଫିକେଟ୍ ଦେଲେ ବି ତାକୁ ମାନିବାକୁ ନାରାଜ ଦଳର ବରିଷ୍ଠ ନେତା । ଦଳରେ ସେ କିଛି ହସ୍ତକ୍ଷେପ କରୁନାହାନ୍ତି ବୋଲି ନିଜେ ଭିକେ ପାଣ୍ଡିଆନ ଆଗକୁ ଆସି ସ୍ପଷ୍ଟ କରିବା ଦରକାର । ପାଣ୍ଡିଆନ ଫ୍ୟାକ୍ଟରକୁ କେହି ଗ୍ରହଣ କରୁନାହାନ୍ତି । ପାଣ୍ଡିଆନ ଦଳରେ ନାହାନ୍ତି ବୋଲି ନବୀନ କହୁଛନ୍ତି । ତେବେ ସେ କାହିଁକି ତାଙ୍କୁ ଛାଡି ପାରିବେନି ବୋଲି ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

ବୁଝିବା ମୁଡରେ ନାହାନ୍ତି ବରିଷ୍ଠ !

ନା ପୂର୍ବଭଳି ବିଜେଡି ଅଛି ନା ଦଳର ନେତା । ଆଗରୁ ନବୀନଙ୍କ କଥା ଉପରେ କେହି ପ୍ରଶ୍ନ ଉଠାଉ ନଥିଲେ । ହେଲେ ପାଣ୍ଡିଆନ ପ୍ରସଙ୍ଗକୁ ନେଇ ଜଣକ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିଲେଣି । କ୍ଷମତାରେ ଥିବା ବେଳେ ଦଳର ବରିଷ୍ଠ ନେତା ଅନେକ ସମୟରେ କୋଣଠେସାର ଶିକାର ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏବେବି ସମାନ ଧାରାରେ ବରିଷ୍ଠଙ୍କୁ ନାଲିଆଖି ଦେଖାଇଥିଲେ ନବୀନ । ହେଲେ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନରୁ ଏତିକି ସ୍ପଷ୍ଟ, ଆଉ କୌଣସି ତାଗିଦ୍ କିମ୍ବା ନାଲିଆଖିକୁ ଡରିବା ମୁଡରେ ନାହାନ୍ତି ଦଳର ନେତା । ନବୀନ ଯେତେ କହିଲେ ବି ପାଣ୍ଡିଆନ ଆଉ ଗ୍ରହଣୀୟ ନୁହନ୍ତି । ଓ୍ବକଫ୍ ଭୋଟ ଦ୍ବନ୍ଦ୍ବ ଦୂର କରିବା ବଦଳରେ ପାଣ୍ଡିଆନଙ୍କୁ ପ୍ରଶଂସା କରି ନବୀନ ଯେଉଁ ବାଣ ଚଳାଇଥିଲେ, ଏବେ ତାହା ବୁମେରାଂ ହେବାକୁ ଲାଗିଲାଣି । ପାଣ୍ଡିଆନଙ୍କୁ ସମାଲୋଚନା ନକରିବାକୁ କହି ନବୀନ ଆଉ ନିଜ ଦଳର ନେତାଙ୍କ ମୁହଁବନ୍ଦ କରିପାରିବେନି । କାରଣ ସ୍ଥିତି ଆହୁରି ବିଗିଡିଗଲାଣି। ଦଳୀୟ ଶୃଙ୍ଖଳା ନେଇ ଶୀଘ୍ର ପଦକ୍ଷେପ ନନେଲେ ବିଜେଡି ବିଭାଜନକୁ ରୋକିବା କଷ୍ଟ ହେବ ।

Comments are closed.