Latest Odisha News

BREAKING NEWS

ଟ୍ରମ୍ପ ୨.୦…ଭାରତ ଉପରେ କ’ଣ ରହିବ ପ୍ରଭାବ ?

ନୂଆଦିଲ୍ଲୀ: ସୁପର ପାଓ୍ବାରର ସୁପରବସ୍ ଡୋନାଲ୍ଡ ଟ୍ରମ୍ପ । କମାଲ କରିପାରିଲେନି କମଲା ହାରିସ, ଆମେରିକାରେ ଟ୍ରମ୍ପ ଝଡ଼ । ଆସିଲା ବିଶ୍ବର ବହୁ ପ୍ରତୀକ୍ଷିତ ଜନାଦେଶ। ଆମେରିକାରେ ପୁଣି ଟ୍ରମ୍ପ ସରକାର । ୪ବର୍ଷ ପରେ ପୁଣି ଆମେରିକା ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ହାରିସଙ୍କୁ ହରାଇ ହେବେ ୪୭ତମ ରାଷ୍ଟ୍ରପତି । ଜିତିବା ପରେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ । ଆମେରିକା ଇତିହାସର ଏହା ସବୁଠୁ ବଡ ବିଜୟ। ଆମେରିକା ଅଭୂତପୂର୍ବ ଜନାଦେଶ ଦେଇଥିବା ଟ୍ରମ୍ପ କହିଛନ୍ତି। ତେବେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେଲେ ଭାରତ ପାଇଁ ଭଲ ଖବର ନା ଖରାପ? କେମିତି ବଦଳିବ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ? ଆମେରିକାରେ ଟ୍ରମ୍ପ ୨.୦, ଭାରତରେ କେମିତି ରହିବ ପ୍ରଭାବ?

ହାଓଡି ମୋଦି…ନମସ୍ତେ ଟ୍ରମ୍ପ

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଭଲ ସଂପର୍କ ରହିଛି । ହାଓଡି ମୋଦି ଓ ନମସ୍ତେ ଟ୍ରମ୍ପ ପରି ହାଇପ୍ରୋଫାଇଲ୍ କାର୍ଯ୍ୟକ୍ରମରେ ଏହାର ଝଲକ ଦେଖିବାକୁ ମିଳିଛି । ଉଭୟ ନେତାଙ୍କ ଆଦର୍ଶଗତ ସମାନତା ମଧ୍ୟ ରହିଛି । ଦୀପାବଳିରେ ମୋଦିଙ୍କୁ ନିଜ ବନ୍ଧୁ କହିବା ସହ ସରକାରକୁ ଆସିଲେ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ମଜବୁତ କରିବାକୁ ପ୍ରତିବଦ୍ଧତା ଦେଖାଇଥିଲେ ଟ୍ରମ୍ପ । ତେଣୁ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେଲେ, ମୋଦିଙ୍କ ସହ ଭଲ ତାଳମେଳ ସହ ଭାରତ ସହ ସଂପର୍କ ଆହୁରି ନିବିଡ ହୋଇପାରେ । ଜୋ ବାଇଡେନଙ୍କ ଅପେକ୍ଷା ଟ୍ରମ୍ପ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କମ୍ ହସ୍ତକ୍ଷେପ କରିବେ ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞ କହିଛନ୍ତି ।

ଟ୍ରମ୍ପଙ୍କ ପାଇଁ ଆମେରିକା ଫାଷ୍ଟ

ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବାଧୀନ ପ୍ରଶାସନ ଆମେରିକା ସ୍ବାର୍ଥ କେନ୍ଦ୍ରିତ ବାଣିଜ୍ୟ ନୀତି ଉପରେ ହିଁ ଜୋର୍ ଦେବ । ଭାରତ ଉପରେ ବ୍ୟାପାରରେ ବାଧା କମ୍ କରିବା ସହ ଶୁଳ୍କକୁ ନେଇ ଚାପ ପକାଇବ । ଫଳରେ ଭାରତର ଆଇଟି, ଫାର୍ମାସ୍ୟୁଟିକାଲ ଓ ଟେକ୍ସଟାଇଲ୍ କ୍ଷେତ୍ର ପ୍ରଭାବିତ ହେବ । ଭାରତୀୟ ଆଇଟି କମ୍ପାନୀ ପାଇଁ ଆମେରିକା ବାଟ ଖୋଲିପାରେ । ଭାରତୀୟ ଉତ୍ପାଦ ପାଇଁ ଆମେରିକା ବଡ ବଜାର । ଟ୍ରମ୍ପ ସେପ୍ଟେମ୍ବରରେ ଆମଦାନୀ ଶୁଳ୍କକୁ ନେଇ ଭାରତ, ଚୀନ୍ ଓ ବ୍ରାଜିଲ ନୀତିକୁ ସମାଲୋଚନା କରିଥିଲେ । ତେଣୁ ଭାରତ ତାଙ୍କ ନେତୃତ୍ବରେ ଆମେରିକାଠାରୁ ଅଧିକ ଆଶା କରିବା ଠିକ୍ ହେବନି । ଯଦି ଟ୍ରମ୍ପ ଶାସନ ଆମେରିକୀୟ କମ୍ପାନୀଙ୍କୁ ସପ୍ଲାଏ ଚେନ୍ ପାଇଁ ଚୀନ ଉପରେ ନିର୍ଭରଶୀଳତା କମ୍ କରିବାକୁ ପ୍ରୋତ୍ସାହିତ କରେ ତେବେ ପରୋକ୍ଷରେ ଭାରତ ଲାଭ ପାଇପାରେ ।

ଶତ୍ରୁର ଶତ୍ରୁ ମିତ୍ର

ଟ୍ରମ୍ପ ପ୍ରଶାସନର ନେତୃତ୍ବରେ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ବଢିବା ସହ ଆହୁରି ମଜବୁତ ହୋଇପାରେ । ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳରେ ହିଁ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଚୀନ ପ୍ରଭାବର ମୁକାବିଲା ପାଇଁ ଏକାଠି ହୋଇଥିଲେ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ । ଚୀନ୍ ଓ ପାକିସ୍ତାନ ଭଳି ପଡୋଶୀ ଦେଶ ସହ ସୀମାରେ ଅଶାନ୍ତି ରହିଥିବା ବେଳେ ଆମେରିକା ସହ ଅତିରିକ୍ତ ମିଳିତ ସମରାଭ୍ୟାସ, ଅସ୍ତ୍ରଶସ୍ତ୍ର ବିକ୍ରି, ଟେକ୍ନୋଲୋଜି ଆଦାନପ୍ରଦାନ ଭାରତର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିପାରିବ ।

କେମିତି ରହିବ ଭିସା ନୀତି?

ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳ ବେଳେ ତାଙ୍କ ପ୍ରବାସୀ ନୀତି ଓ ଏଚ୍-୧ବି ଭିସାକୁ ନେଇ ଆଭିମୁଖ୍ୟ ଭାରତୀୟଙ୍କ ଉପରେ ପ୍ରଭାବ ପକାଇଥିଲା। ସମାନ ନୀତି ଏଥର ଫେରିଲେ ଆମେରିକାରେ ଚାକିରି କରିବା ଭାରତୀୟଙ୍କ ପାଇଁ କଷ୍ଟକର ହୋଇପାରେ । ଏଥିସହ ଭାରତୀୟଙ୍କ ଉପରେ ନିର୍ଭରଶୀଳ କ୍ଷେତ୍ର ବି ପ୍ରଭାବିତ ହେବ । ୨୦୨୦ରେ କରୋନା ସଂକଟ ବେଳେ ଭିସା କଟକଣା ଲଗାଇଥିଲେ ଟ୍ରମ୍ପ ।

ଦକ୍ଷିଣ ଏସିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଭାରତର ସ୍ବାର୍ଥକୁ ପ୍ରଭାବିତ କରିପାରେ । ନିକଟରେ ପାକିସ୍ତାନ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଟ୍ରମ୍ପ । ତେବେ ଆତଙ୍କବାଦ ନିରୋଧୀ ଉଦ୍ୟମ ନେଇ ପାକିସ୍ତାନର ଉତ୍ତର ଉପରେ ଜୋର ଦେଇଥିଲେ। ଟ୍ରମ୍ପଙ୍କ ଶକ୍ତି ଦ୍ବାରା ଶାନ୍ତି ମନ୍ତ୍ର ନେଇ ଆମେରିକା ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଦେଖାଇପାରେ । ଯାହା ଭାରତ ସପକ୍ଷରେ କାମ କରିବ । ପୂର୍ବ କାର୍ଯ୍ୟକାଳରେ ଟ୍ରମ୍ପ ପାକିସ୍ତାନକୁ ଦିଆଯାଉଥିବା ସୈନ୍ୟ ସହାୟତା କମ୍ କରିଥିଲେ ।

Comments are closed.