Latest Odisha News

୨୬ପ୍ରତିଶତ ପାଲଟା ଶୁଳ୍କ…ଭାରତକୁ ଏତେ କ୍ଷତି

ନୂଆଦିଲ୍ଲୀ: ଭାରତ ଉପରେ ୨୬ପ୍ରତିଶତ ପାଲଟା ଶୁଳ୍କ ଲଗାଇଲା ଆମେରିକା । ହ୍ବାଇଟ୍ ହାଉସରେ ମେକ୍ ଆମେରିକା ଓ୍ବେଲଦି ଏଗେନ୍ କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଡିସକାଉଣ୍ଟେଡ୍ ପାରସ୍ପରିକ ଟିକସ କହିଛନ୍ତି । ଏପ୍ରିଲ୨କୁ ମୁକ୍ତି ଦିବସ ଓ ଏହି ଦିନ ଆମେରିକା ଶିଳ୍ପର ପୁନର୍ଜନ୍ମ ହୋଇଥିବା କହିଛନ୍ତି । ଟ୍ରମ୍ପ ଭାରତ ଉପରେ ୨୬ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିବା ବେଳେ ଚୀନ୍ ଉପରେ ୩୪ପ୍ରତିଶତ, ପାକିସ୍ତାନ ଉପରେ ୨୯ପ୍ରତିଶତ, ଶ୍ରୀଲଙ୍କା ଉପରେ ୪୪ପ୍ରତିଶତ ଓ ୟୁରୋପୀୟ ସଂଘ ଉପରେ ୨୦ପ୍ରତିଶତ ଟିକସ ଲଗାଇଛନ୍ତି।

ଭାରତକୁ ନେଇ କଣ କହିଲେ ଟ୍ରମ୍ପ?

ଆମେରିକା ଭାରତ ଉପରେ ୨୬ପ୍ରତିଶତ ଟିକସ ଲଗାଇବାକୁ ଘୋଷଣା କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଆମେରିକା ଗସ୍ତ କରିଥିଲେ । ସେ ତାଙ୍କର ଭଲ ବନ୍ଧୁ ବୋଲି ଟ୍ରମ୍ପ କହିଛନ୍ତି । ତେବେ ଭାରତ ଟାରିଫକୁ ନେଇ ଆମେରିକା ସହ ଅନ୍ୟାୟ କରୁଥିବା ସେ ଗସ୍ତ ବେଳେ ମୋଦିଙ୍କୁ କହିଥିଲେ । ଭାରତ ଆମେରିକା ଉପରେ ୫୨ପ୍ରତିଶତ ଟିକସ ଲଗାଉଥିବା ବେଳେ ଆମେରିକା ଭାରତ ଉପରେ ଏହାର ଅଧା ବା ୨୬ପ୍ରତିଶତ ଟିକସ ଲଗାଇଥିବା ଟ୍ରମ୍ପ କହିଛନ୍ତି ।

ଭାରତରେ କ’ଣ ପଡିବ ପ୍ରଭାବ?

ଆମେରିକାର ଡିସକାଉଣ୍ଟେଡ୍ ପାରସ୍ପରିକ ଟିକସ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଏହାଦ୍ବାରା ଅନେକ ପ୍ରମୁଖ କ୍ଷେତ୍ର ପ୍ରଭାବିତ ହେବ । ଛୋଟ ଫାର୍ମଠାରୁ ଆରମ୍ଭ କରି ବଡ଼ କମ୍ପାନୀର ରାଜସ୍ବକୁ ଏହା ପ୍ରଭାବିତ କରିପାରେ । ଆମେରିକାର ଘୋଷଣା ପରେ ଭାରତ ଜୁଏଲରୀ, ଔଷଧ ଏବଂ ଅଟୋ ପାର୍ଟସ ଭଳି ଉତ୍ପାଦର ଆମେରିକୀୟ ଆମଦାନୀ ଉପରେ ୨୩ବିଲିୟନ ଡଲାର ଶୁଳ୍କ ହ୍ରାସ କରିବାକୁ ଚିନ୍ତା କରୁଛି । ତେବେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନି । ସେପଟେ ଅନ୍ୟ ଦେଶ ତୁଳନାରେ ଆମେରିକାର ପାଲଟା ଶୁଳ୍କର ପ୍ରଭାବ କମ୍ ପଡିବ ବୋଲି ଆସୋଚାମ୍ ସଭାପତି ସଞ୍ଜୟ ନାୟର କହିଛନ୍ତି । ଏସବିଆଇର ରିପୋର୍ଟ ଅନୁସାରେ ମଧ୍ୟ ଟାରିଫ ଯୋଗୁଁ ଭାରତ ବହୁତ ଅଧିକ କ୍ଷତି ସହିବନି । ଭାରତର ରପ୍ତାନୀ ହାର ୩ରୁ ୩.୫ପ୍ରତିଶତ କମିପାରେ ବୋଲି ଆକଳନ କରାଯାଇଛି ।

କେଉଁ କ୍ଷେତ୍ର ହେବ ପ୍ରଭାବିତ?

ବିଶେଷଜ୍ଞଙ୍କ ମତରେ, ପାଲଟା ଟିକସର ସର୍ବାଧିକ ପ୍ରଭାବ ଅଟୋମୋବାଇଲ୍ସ, ଔଷଧ, ଜୁଏଲରୀ, ବସ୍ତ୍ର ଉଦ୍ୟୋଗ ଉପରେ ପଡିପାରେ । ୨୦୨୩-୨୪ରେ ଭାରତରୁ ପ୍ରାୟ ୩ଲକ୍ଷ କୋଟି ଟଙ୍କାର ଲୁଗା ରପ୍ତାନୀରେ ଆମେରିକାର ୨୮ପ୍ରତିଶତ ଭାଗିଦାରୀ ରହିଥିଲା । ବର୍ଷ ବର୍ଷ ଧରି ଏହି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବଢିଛି । ସେହିପରି ଅଟୋମୋବାଇଲ୍ସ ଓ ଔଷଧ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବ । ଭାରତୀୟ ଔଷଧର ବଡ଼ ବଜାର ରହିଆସିଛି ଆମେରିକା । ତେଣୁ ଟିକସ ବୃଦ୍ଧି ପରେ ଔଷଧ ରପ୍ତାନୀ କମିପାରେ । ସେହିପରି ଆଇଟି କ୍ଷେତ୍ର ଉପରେ ବି ଟ୍ରମ୍ପଙ୍କ ଟାରିଫ ଛାଟର ପ୍ରଭାବ ପଡ଼ିବ ।

କ’ଣ କହିଲା ଭାରତ?

ଟ୍ରମ୍ପଙ୍କ ୨୬ପ୍ରତିଶତ ପାଲଟା ଟିକସର ପ୍ରଭାବ ନେଇ ଅନୁଧ୍ୟାନ କରୁଛି ଭାରତର ବାଣିଜ୍ୟ ମନ୍ତ୍ରାଳୟ । ଏପ୍ରିଲ ୫ତାରିଖରୁ ଆମେରିକା ଆମଦାନୀ କରୁଥିବା ସମସ୍ତ ସାମଗ୍ରୀ ଉପରେ ସାର୍ବଜନୀନ ୧୦ପ୍ରତିଶତ ଟିକସ ଓ ଏପ୍ରିଲ ୧୦ରୁ ବାକି ୧୬ପ୍ରତିଶତ ଟିକସ ଲାଗୁହେବ । କୌଣସି ଦେଶ ଆମେରିକାର ଚିନ୍ତା ଦିଗରେ ପଦକ୍ଷେପ ନେଲେ ଟ୍ରମ୍ପ ପ୍ରଶାସନ ସେହି ଦେଶ ଉପରୁ ଶୁଳ୍କ ହ୍ରାସ ନେଇ ବିଚାର କରିପାରେ । ଭାରତ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଆମେରିକା ସହ ଆଲୋଚନା କରୁଛି । ଉଭୟ ଦେଶ ପ୍ରଥମ ପର୍ଯ୍ୟାୟ ଚୁକ୍ତି ଚଳିତ ବର୍ଷ ସେପ୍ଟେମ୍ବର ଅକ୍ଟୋବର ମଧ୍ୟରେ ଚୂଡାନ୍ତ କରିବେ । ତେଣୁ ଆମେରିକାର ପାଲଟା ଟିକସ ଭାରତ ପାଇଁ ଝଟକା ନୁହେଁ ବରଂ ମିଶ୍ରିତ ବ୍ୟାଗ ବୋଲି ବାଣିଜ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । ଟିକସ ଘୋଷଣା ପୂର୍ବରୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଗତମାସରେ ଓ୍ବାଶିଂଟନ୍ ଯାଇଥିଲେ । ସେଠାରେ ସେ ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରିଥିଲେ । ଏଥିରେ ଶୁଳ୍କରେ ରିହାତି ନେଇ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଏହାପରେ ମଧ୍ୟ ୨୬ ପ୍ରତିଶତ ପାଲଟା ଟିକସ ଘୋଷଣା କରି ସିଧା ଚ୍ୟାଲେଞ୍ଜ ଦେଇଛି ଆମେରିକା। ଏବେ ଭାରତକୁ ଦେଖି ଚାହିଁ ନିଷ୍ପତ୍ତି ନେବାକୁ ପଡିବ । କାରଣ ଟିକସ ବୃଦ୍ଧି ଭାରତର ରପ୍ତାନୀ, ବାଣିଜ୍ୟ ସଂପର୍କ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ବଡ ପ୍ରଭାବ ପକାଇପାରେ ।

Comments are closed.