ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି। ଏହା ଆନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢ଼ାଇଛି। ପାକିସ୍ତାନ ଏହାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC) ରେ ଏକ ଗୋପନୀୟ ବୈଠକ ଡ଼ାକିବାକୁ ଦାବି କରିଥିଲା। ଶେଷରେ ଏହି ବୈଠକ କନସଲଟେସନ ରୁମରେ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣ ଏସିଆରେ ବଢ଼ୁଥିବା ସାମରିକ ଉତ୍ତେଜନା କମାଇବା ପାଇଁ କୂଟନୈତିକ ଉପାୟ ଖୋଜିବା ଥିଲା ଏହାର ଲକ୍ଷ୍ୟ।
ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସିମ ଇଫତିଖାର ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, UNSC ବୈଠକରୁ ଯାହା ହାସଲ କରିବାର ଲକ୍ଷ୍ୟ ଥିଲା, ତାହା ପୂରଣ ହୋଇଛି। ସେ କହିଛନ୍ତି, ବୈଠକରେ ଜମ୍ମୁ ଓ କଶ୍ମୀର ମାମଲାର ସମାଧାନ ନେଇ ଆଲୋଚନା ହୋଇଛି। ପରିଷଦର ଅନେକ ସଦସ୍ୟ କହିଛନ୍ତି, ଏହି ବିବାଦକୁ ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବ ଅନୁସାରେ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯିବା ଉଚିତ।
ଇଫତିଖାର କହିଛନ୍ତି, ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ରକୁ ଭାରତର ୨୩ ଏପ୍ରିଲରେ ନିଆଯାଇଥିବା ଏକତରଫା ପଦକ୍ଷେପ, ସାମରିକ ଶକ୍ତି ବୃଦ୍ଧି ଓ ଅର୍ଥନୈତିକ ଚାପ ସୃଷ୍ଟି କରିବାର ରଣନୀତି ନେଇ ଚିନ୍ତା ଜଣାଇଛି। ପାକିସ୍ତାନ ଯୁକ୍ତି ଦେଇଛି, ଭାରତର ଆକ୍ରମଣାତ୍ମକ ମନୋଭାବ କେବଳ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇନାହିଁ, ବରଂ ଆନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ମଧ୍ୟ କରିଛି।
୨୩ ଏପ୍ରିଲରେ ଭାରତ ପାଞ୍ଚଟି ବଡ଼ ନିଷ୍ପତ୍ତି ନେଇଥିଲା। ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଥିଲା ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା। ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। କାରଣ, ପାକିସ୍ତାନର କୃଷି ଓ ଜଳ ଯୋଗାଣର ବଡ଼ ଅଂଶ ଏହି ଚୁକ୍ତି ଉପରେ ନିର୍ଭର କରେ। ଏହା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇଥର ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆନ୍ତୋନିଓ ଗୁଟେରେସଙ୍କ ସହ କଥା ହୋଇଛନ୍ତି। ସେ ଭାରତର ଏହି ଅର୍ଥନୈତିକ କ୍ଷତି ପହଞ୍ଚାଉଥିବା ରଣନୀତିକୁ ରୋକିବାକୁ ଅନୁରୋଧ କରିଛନ୍ତି।
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏହି ବୈଠକରେ କୌଣସି ଔପଚାରିକ ପ୍ରସ୍ତାବ ପାସ୍ ହୋଇନାହିଁ। ତଥାପି, ଅନେକ ସଦସ୍ୟ କୂଟନୈତିକ ସମାଧାନର ଦାବି କରିଛନ୍ତି। ଇଫତିଖାର ଦାବି କରିଛନ୍ତି, ବୈଠକରେ ଏହା ସ୍ୱୀକାର କରାଯାଇଛି ଯେ ଆଞ୍ଚଳିକ ସ୍ଥିରତା କେବଳ ସାମରିକ ଶକ୍ତିରୁ ନୁହେଁ, ବରଂ ଆନ୍ତର୍ଜାତୀୟ ଆଇନ ଓ ଆଲୋଚନା ମାଧ୍ୟମରେ ସମ୍ଭବ।
Comments are closed.