ଦୁବାଇ: ଏସିଆ କପ୍ ୨୦୨୫ର ସୁପର-୪ ରାଉଣ୍ଡରେ ଭାରତ ଶ୍ରୀଲଙ୍କା ବିରୋଧରେ ଦମଦାର ପ୍ରଦର୍ଶନ କରିଛି। ଭାରତୀୟ ଦଳ ଏହି ମ୍ୟାଚରେ ୨୦୦ ରନ୍ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ସଫଳତାରେ ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଏହି ମ୍ୟାଚରେ ତିଲକଙ୍କ ସହ ଏକ ଅଜଣା ଘଟଣା ଘଟିଛି, ଯାହା ଟି୨୦ ଇତିହାସରେ ପ୍ରଥମ!
ତିଲକଙ୍କ ସହ କ’ଣ ହେଲା?
ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତିଲକ ବର୍ମା ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ଦମଦାର ପ୍ରଦର୍ଶନ କରିଥିଲେ। ସେ ୩୪ ବଲରେ ଅପରାଜିତ ୪୯ ରନ୍ ସଂଗ୍ରହ କରିଥିଲେ। ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। କିନ୍ତୁ ସେ ଅର୍ଦ୍ଧଶତକଠାରୁ ମାତ୍ର ଗୋଟିଏ ରନ୍ ଦୂରରେ ରହିଗଲେ। ଶେଷ ଓଭରରେ ତିଲକଙ୍କୁ ଅର୍ଦ୍ଧଶତକ ପୂରଣ କରିବାର ସୁଯୋଗ ଥିଲା। କିନ୍ତୁ ଦଳ ପାଇଁ ସେ ନିଜର ଅର୍ଦ୍ଧଶତକକୁ ବଳିଦାନ ଦେଇଥିଲେ। ସେ ଅକ୍ଷର ପଟେଲଙ୍କୁ ଷ୍ଟ୍ରାଇକ୍ ଦେଇ ଦଳକୁ ୨୦୦ ରନ୍ ପାର କରାଇଥିଲେ।
ଏହି ଇନିଂସ ସହ ତିଲକ ଟି୨୦ଆଇରେ ଦ୍ୱିତୀୟ ଥର ପାଇଁ ୪୯ ରନ୍ରେ ଅପରାଜିତ ରହିଲେ। ଏହା ପୂର୍ବରୁ ୨୦୨୩ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ୪୯ ରନ୍ରେ ଅପରାଜିତ ଥିଲେ। ଏହା ସହ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହେଲେ, ଯିଏ ଟି୨୦ରେ ଦୁଇ ଥର ୪୯ ରନ୍ରେ ଅପରାଜିତ ରହି ପାଭିଲିୟନକୁ ଫେରିଛନ୍ତି। ଏପରି ଘଟଣା ଏହା ପୂର୍ବରୁ କେବେ ଘଟି ନଥିଲା।
ଭାରତର ୨୦୨ ରନ୍ର ବିଶାଳ ସ୍କୋର
ଏହି ମ୍ୟାଚରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା। ତିଲକଙ୍କ ବ୍ୟତୀତ ଅଭିଷେକ ଶର୍ମା ୩୧ ବଲରେ ୬୧ ରନ୍ କରିଥିଲେ। ସେ ୮ଟି ଚୌକା ଓ ୨ଟି ଛକା ସାମିଲ କରିଥିଲେ। ସଞ୍ଜୁ ସାମସନ ୨୩ ବଲରେ ୩୯ ରନ୍ ଓ ଅକ୍ଷର ପଟେଲ ୧୫ ବଲରେ ୨୧ ରନ୍ରେ ଅପରାଜିତ ରହିଥିଲେ। ଏହି ଜବରଦସ୍ତ ଇନିଂସ ସହ ଭାରତୀୟ ଦଳ ଏସିଆ କପ୍ ୨୦୨୫ରେ ନିଜର ଦବଦବା ଜାରି ରଖିଛି।
Comments are closed.