Latest Odisha News

BREAKING NEWS

ବ୍ରିଟେନରେ ଏଣିକି ୧୬ବର୍ଷ ହେଲେ ଦେବେ ଭୋଟ୍ !

ନୂଆଦିଲ୍ଲୀ: ୧୮ବର୍ଷ ନୁହେଁ ୧୬ବର୍ଷରେ ଦେଇପାରିବେ ଭୋଟ୍ ! ୨୦୨୯ ନିର୍ବାଚନରେ ହୋଇପାରେ ବଡ଼ ପରିବର୍ତ୍ତନ। ଗୁରୁବାର ଏନେଇ ଘୋଷଣା କରିଛନ୍ତି ବ୍ରିଟେନ୍ ସରକାର । ଗତ ନିର୍ବାଚନରେ ଲେବର ପାର୍ଟି ନିଜ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା । ଭୋଟ୍ ଦେବା ପାଉଁ ବୟସ ସୀମା ହ୍ରାସ କରିବା ପରେ ବ୍ରିଟେନରେ ବି ସ୍କଟଲ୍ୟାଣ୍ଡ ଓ ଓ୍ବେଲସ ପରି ନିର୍ବାଚନ ହେବ । କାରଣ ଏଇ ଦୁଇ ଦେଶରେ ଭୋଟ୍ ଦେବାର ସର୍ବନିମ୍ନ ବୟସ ୧୬ବର୍ଷ ରହିଛି । ବ୍ରିଟେନ୍ ସରକାର ଏଭଳି ପ୍ରସ୍ତାବ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପକାଇବ । ୨୦୨୪ରେ ୟୁକେରେ ୨୦୦୧ ପରଠୁ ସବୁଠୁ କମ୍ ମତଦାନ ହୋଇଥିବା ବେଳେ ସର୍ବନିମ୍ନ ବୟସ କମାଇବାକୁ ଯାଉଛନ୍ତି ସରକାର । ତେବେ ପ୍ରଶ୍ନ ଉଠୁଛି, ୧୬ବର୍ଷର ମତଦାତା ଭୋଟ୍ ଦେବା ଯୁକ୍ତିଯୁକ୍ତ କି?

ବ୍ରିଟେନରେ ଗଣତନ୍ତ୍ରର ଆଧୁନିକୀକରଣ

ଭୋଟିଂ ପାଇଁ ସର୍ବନିମ୍ନ ବୟସ କମାଇବା ପ୍ରସ୍ତାବକୁ ବ୍ରିଟେନ ଗଣତନ୍ତ୍ରରେ ଏକ ପୀଢିରେ ସବୁଠୁ ବଡ଼ ପରିବର୍ତ୍ତନ ବୋଲି ସରକାର କହିଛନ୍ତି । ୧୬, ୧୭ବର୍ଷର ଯୁବକଙ୍କୁ ମତାଧିକାର ଦେଇ ନିଜ ପ୍ରତିଶ୍ରୁତି ରଖିବାକୁ ଯାଉଛି ଲେବର ପାର୍ଟି । ଏହାକୁ ଜନତାଙ୍କ ବିଶ୍ବାସ ଜିତିବା ସହ ଗଣତନ୍ତ୍ରରେ ଭାଗିଦାରୀ ବଢାଇବା ଦିଗରେ ବଡ଼ ପଦକ୍ଷେପ କୁହାଯାଉଛି । ଏହାସହ ଭୋଟ ପରିଚୟପତ୍ର ବ୍ୟବସ୍ଥାରେ ବି ପରିବର୍ତ୍ତନ କରାଯିବ। ମତଦାନ କେନ୍ଦ୍ରରେ ପରିଚୟ ପତ୍ର ଭାବେ ବ୍ରିଟେନରେ ଜାରି ହେଉଥିବା ବ୍ୟାଙ୍କ କାର୍ଡ ବ୍ୟବହାରକୁ ଅନୁମତି ଦିଆଯିବ । ଏହାଦ୍ବାରା କୌଣସି ଭୋଟର ମତଦାନ କରିବା ଅଧିକାରରୁ ଯେପରି ବଞ୍ଚିତ ନହୁଏ, ସେନେଇ ଦୃଷ୍ଟି ଦିଆଯିବ ।

୧୬ବର୍ଷରେ ମତଦାନ…ଠିକ୍ ନା ଭୁଲ୍?

୨୦୨୯ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ବୟସ କମ୍ କରାଗଲେ ଦେଢ ମିଲିୟନ ୧୬ ଓ ୧୭ବର୍ଷର ଯୁବକମାନେ ଭୋଟ୍ ଦେବାର ଅଧିକାର ପାଇବେ । ତେବେ ବ୍ରିଟେନ ସରକାରଙ୍କ ଏହି ପ୍ରସ୍ତାବକୁ ଦେଶରେ ସବୁ ଦଳର ସମର୍ଥନ ମିଳିନି । ଯୁବକମାନେ ମତଦେବା ଉଚିତ୍ ସେମାନଙ୍କ ଅର୍ଥ କେଉଁଠି ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ କୈୟର ଷ୍ଟାର୍ମର କହିଛନ୍ତି । ତେବେ ସରକାରଙ୍କ ପ୍ରସ୍ତାବକୁ ନିରାଶାଜନକ ଭାବେ ଦ୍ବନ୍ଦ୍ବାତ୍ମକ ବୋଲି କଞ୍ଜରଭେଟିଭ୍ ସାଂସଦ ପଲ ହୋମସ କହିଛନ୍ତି। ସେପଟେ ପ୍ରସ୍ତାବ ଲାଗୁ ହେଲେ ମଧ୍ୟ ମୋଟ୍ ମତଦାତାଙ୍କ ମାତ୍ର ୨ପ୍ରତିଶତ ରହିବେ ୧୬ ଓ ୧୭ବର୍ଷର ଭୋଟର । ତେଣୁ ଏହାଦ୍ବାରା ଭବିଷ୍ୟତରେ ହେବାକୁ ଥିବା ନିର୍ବାଚନ ଉପରେ ସେଭଳି ବଡ଼ ପ୍ରଭାବ ପଡିବନି ବୋଲି ପୋଲଷ୍ଟାର କହିଛନ୍ତି ।

ବୟସ ସୀମା ହ୍ରାସ ଯୁକ୍ତିଯୁକ୍ତ କି?

ଭୋଟିଂ ବୟସ ସୀମା କମ୍ କରିବା ଦ୍ବାରା ୧୬ ଓ ୧୭ବର୍ଷର ଭୋଟରଙ୍କ ସ୍ବରର ଗୁରୁତ୍ବ ରହିଥିବା ଦର୍ଶାଯିବ । ମତଦାନ କରିବା ଦ୍ବାରା ସେମାନେ ନିଜ ଭବିଷ୍ୟତ ନିର୍ଣ୍ଣୟ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି ୟୁକେର ଶିଶୁ କମିଶନର ଡାମ୍ ରାଚେଲ୍ । ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ କମ୍ ବୟସର ଯୁବକଙ୍କୁ ସାମିଲ କରିବାକୁ ଅନେକ ସ୍ବାଗତ କରିଛନ୍ତି । ଏହାଦ୍ବାରା ସ୍କଟଲ୍ୟାଣ୍ଡ ଓ ଓ୍ବେଲସ ସହ ବ୍ରିଟେନର ଅସମାନତା ଦୂର ହେବ । ୨୦୨୧ରେ ଓ୍ବେଲସରେ ୧୬ବର୍ଷରୁ ଅଧିକଙ୍କୁ ଭୋଟିଂ ଅଧିକାର ଦିଆଯାଇଥିଲା । ୭୦ହଜାର ଯୁବକଙ୍କୁ ମତଦାନ ଅଧିକାର ଦିଆଯାଇଥିବା ବେଳେ ଅଧାରୁ କମ୍ ଭୋଟ ଦେଇଥିଲେ । ସୋସିଆଲ୍ ମିଡିଆରେ ବୟସ କମ୍ ନେଇ ୟୁଜର୍ସ ଚର୍ଚ୍ଚା କରୁଥିବା ବେଳେ ସରକାରଙ୍କ ନୀତି ସେମାନଙ୍କ ଉପରେ ପ୍ରଭାବ ପକାଉଥିବାରୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ନେଇ ଅନେକ ଉତ୍ସାହ ପ୍ରକାଶ କରିଛନ୍ତି ।

ୟୁରୋପରେ ଅଷ୍ଟ୍ରିୟା, ମାଲଟା ପରି ଅଳ୍ପ କିଛି ଦେଶରେ ୧୬ବର୍ଷରୁ ଅଧିକ ମତଦାନ କରିବାର ନିୟମ ରହିଛି । ତେବେ ବ୍ରାଜିଲ, ଆର୍ଜେଣ୍ଟିନା, କ୍ୟୁବାରେ ମଧ୍ୟ ମତଦାନ ବୟସ ସୀମା ୧୬ବର୍ଷ ରହିଛି । ସେହିପରି ଜର୍ମାନ, ଇସ୍ରାଏଲ୍ ଓ ଏଷ୍ଟୋନିଆରର କିଛି ଅଂଶରେ ୧୬ ଓ ୧୭ବର୍ଷର ଯୁବକଙ୍କୁ କିଛି ନିର୍ବାଚନରେ ମତଦାନ କରିବାର ଅଧିକାର ଦିଆଯାଇଛି । ଇଣ୍ଡୋନେସିଆ, ଇଷ୍ଟ ଟିମର, ଇଥିଓପିଆ, ଉତ୍ତର କୋରିଆ ଓ ସୁଡାନରେ ବୈଧ ମତଦାନ ବୟସ ରହିଛି ୧୭ବର୍ଷ ।

Comments are closed.