Latest Odisha News

BREAKING NEWS

ମୋଲୋଟୋଭ କକଟେଲ୍ କ’ଣ?, ଯାହାକୁ ନେଇ ଆମେରିକାରେ ହଇଚଇ….

ନୂଆଦିଲ୍ଲୀ: ଆମେରିକାର ଏକ ସହରରେ ଇସ୍ରାଏଲ ସମର୍ଥକ ପ୍ରଦର୍ଶନ ସମୟରେ ହିଂସା ଘଟିଛି । ଗାଜାରେ ରହିଯାଇଥିବା ଇସ୍ରାଏଲୀ ବନ୍ଧକମାନଙ୍କୁ ମନେ ପକାଇବା ପାଇଁ ଏକ ପ୍ରଦର୍ଶନ ସମୟରେ କଲୋରାଡୋର ବୋଲ୍ଡରରେ ଏକ ହିଂସାତ୍ମକ ଘଟଣା ଘଟିଥିବା ବେଳେ ଏହି ପ୍ରଦର୍ଶନ ଉପରେ ଏକ ଲକ୍ଷ୍ୟବଦ୍ଧ ଆତଙ୍କୀ ଆକ୍ରମଣରେ, ଜଣେ ବ୍ୟକ୍ତି ମୋଲୋଟୋଭ କକଟେଲ ବା ଏକ ଅସ୍ଥାୟୀ ଅଗ୍ନିଶିଖା ବ୍ୟବହାର କରିଥିଲେ। ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି, ଯାହାଙ୍କ ଶରୀରରେ ଗମ୍ଭୀର ପୋଡ଼ା କ୍ଷତ ରହିଛି ।

ପୋଲିସ ଅଧିକାରୀ ଏବଂ ଏଫବିଆଇ ଏହାକୁ ଆତଙ୍କବାଦ କାର୍ଯ୍ୟ ଭାବରେ ତଦନ୍ତ କରୁଛନ୍ତି। ଏହାକୁ ନେଇ ଭାଇରାଲ ହେଉଥିବା ଭିଡିଓରେ ୪୫ ବର୍ଷୀୟ ମହମ୍ମଦ ସାବ୍ରି ସୋଲିମାନ ଭାବରେ ଚିହ୍ନଟ ହୋଇଥିବା ଉକ୍ତ ସନ୍ଦିଗ୍ଧ ବ୍ୟକ୍ତି “ଫ୍ରି ପାଲେଷ୍ଟାଇନ” ବୋଲି ଚିତ୍କାର କରିଥିଲେ ଏବଂ ଅଂଶଗ୍ରହଣକାରୀଙ୍କ ଉପରେ ମୋଲୋଟୋଭ କକଟେଲ ଫିଙ୍ଗିଥିଲେ, ଯାହା ଫଳରେ ଅନେକ ଆହତ ହୋଇଥିଲେ, ଯେଉଁଥିରେ ସେ ନିଜେ ବି ଗୁରୁତର ଆହତ ହୋଇଥିବା ରିପୋର୍ଟ ହୋଇଛି । ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ପରେ ଚିକିତ୍ସାଳୟକୁ ନିଆଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି କ’ଣ ଏହି ମୋଲୋଟୋଭ କକଟେଲ? କାହିଁକି ଏୟାର ପ୍ରୟୋଗକୁ ପୋଲିସ୍ ଆତଙ୍କୀ କାର୍ଯ୍ୟକଳାପ ଭାବେ ସିଦ୍ଧ କରିଛି । ତେବେ ମୋଲୋଟୋଭ କକଟେଲ ଏକ ଘରୋଇ ଅସ୍ତ୍ର, ଯାହା ଏକ କାଚ ବୋତଲରେ ପେଟ୍ରୋଲ ପରି ଏକ ଜ୍ୱଳନଶୀଳ ତରଳ ଏବଂ ଏକ କପଡ଼ା ବତିରୁ ପ୍ରସ୍ତୁତ କରାଯାଏ। ଏହି ବତିରେ ନିଆଁ ଲଗାଯାଏ ଏବଂ ବୋତଲକୁ ଲକ୍ଷ୍ୟସ୍ଥଳ ଆଡ଼କୁ ଫିଙ୍ଗାଯାଏ, ଯାହା ଫଳରେ ଏହା ଆଘାତ କରିବା ମାତ୍ରେ ଜଳିଯାଏ ଏବଂ ନିଆଁ ଲାଗିଯାଏ ।

ଏହି ଅସ୍ତ୍ରଶସ୍ତ୍ର ସୋଭିଏତ୍ ୟୁନିଅନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ ଭ୍ୟାଚେସ୍ଲାଭ୍ ମୋଲୋଟୋଭ୍‌ଙ୍କ ନାମରେ ନାମିତ ହୋଇଥିଲା। ଏହା ୧୯୩୯ ମସିହାରେ ଫିନଲ୍ୟାଣ୍ଡ ଏବଂ ସୋଭିଏତ୍ ୟୁନିଅନ୍‌ ମଧ୍ୟରେ ଶୀତକାଳୀନ ଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିଲା। ସେହି ସମୟରେ ମୋଲୋଟୋଭ୍‌ ସୋଭିଏତ୍ ବୋମା ମାଡ଼କୁ “ବାୟୁ ଖାଦ୍ୟ ଯୋଗାଣ” ବୋଲି କହିଥିଲେ। ଫିନଲ୍ୟାଣ୍ଡର ଲୋକମାନେ ଏହାକୁ ବ୍ୟଙ୍ଗ କରିଥିଲେ ଏବଂ ବୋମାଗୁଡ଼ିକୁ “ମୋଲୋଟୋଭ୍ ରୁଟି ଟୋକେଇ” କହିବା ଆରମ୍ଭ କରିଥିଲେ ଏବଂ ଏହାର ଜବାବରେ, ଅଗ୍ନି ସୃଷ୍ଟିକାରୀ ବୋତଲଗୁଡ଼ିକୁ “ମୋଲୋଟୋଭ୍ କକ୍ଟେଲ୍” ବୋଲି କହିଥିଲେ।

ଫିନଲ୍ୟାଣ୍ଡ ସୀମିତ ସମ୍ବଳ ସହିତ ମୋଲୋଟୋଭ୍ କକ୍ଟେଲ୍‌କୁ ଏକ ଶକ୍ତିଶାଳୀ ଅସ୍ତ୍ରରେ ପରିଣତ କରିଥିଲା। ରାଷ୍ଟ୍ରାୟତ୍ତ ମଦ କମ୍ପାନୀ ଆଲକୋ କର୍ପୋରେସନ୍ ୧୯୩୯ ମସିହାରେ ପ୍ରାୟ ୫ ଲକ୍ଷ ମୋଲୋଟୋଭ୍ କକ୍ଟେଲ୍ ଉତ୍ପାଦନ କରିଥିଲା। ଏଗୁଡ଼ିକ ବିଶେଷ ଭାବରେ ସୋଭିଏତ୍ ଟ୍ୟାଙ୍କ୍ ଜାଳିବା ପାଇଁ ବ୍ୟବହୃତ ହେଉଥିଲା କାରଣ ଏଗୁଡ଼ିକ ପେଟ୍ରୋଲରେ ଚାଲିଥିଲା। ୧୯୩୦ ଦଶକରେ ଅସ୍ତିତ୍ୱ ପାଇବା ପରଠାରୁ, ମୋଲୋଟୋଭ୍ କକ୍ଟେଲ୍‌ ବିଶ୍ୱର ଅନେକ ବିପ୍ଳବ, ପ୍ରତିବାଦ ଏବଂ ଦଙ୍ଗାରେ ବ୍ୟବହୃତ ହୋଇଆସୁଛି। ଏହି ଅସ୍ତ୍ର ଶସ୍ତା, ସରଳ ଏବଂ ପ୍ରଭାବଶାଳୀ ଏବଂ ପ୍ରାୟତଃ ହିଂସାତ୍ମକ ଆନ୍ଦୋଳନର ଏକ ଅଂଶ ହୋଇଆସିଛି ।

ସେପଟେ ଆମେରିକା କୋଲରୋଡୋ ସହରରେ ଏହାକୁ ପ୍ରୟୋଗ କରି ଆକ୍ରମଣ ପରେ, ଆମେରିକୀୟ ସୁରକ୍ଷା ଏଜେନ୍ସିଗୁଡିକ ସକ୍ରିୟ ହୋଇ ଉଠିଛନ୍ତି। ଏହି ଘଟଣାକୁ ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଭାବରେ ଦେଖାଯାଉଛି ଏବଂ ଏହାର ଗମ୍ଭୀରତାର ସହିତ ତଦନ୍ତ କରାଯାଉଛି। ଏହା ସହିତ, ଏହି ଘଟଣା ଆମେରିକାର ପ୍ରତିବାଦ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଉପରେ ନୂତନ ପ୍ରଶ୍ନ ଉଠାଇଛି।

Comments are closed.