ଭୁବନେଶ୍ୱର: ବହାନଗା ରେଳ ଦୁର୍ଘଟଣ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । କାହିଁକି ଦୁର୍ଘଟଣା ଘଟିଲା ତାହା ମଧ୍ୟ ସ୍ପଷ୍ଟ ହୋଇଛି । ତେବେ କବଚ ବା ଆଣ୍ଟି କୋଲିଜନ ଡିଭାଇସ ସିଷ୍ଟମ ନ ଥିବାରୁ ଏପରି ଦୁର୍ଘଟଣଶ ଘଟିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ । ଅବଶ୍ୟ ବୈଦ୍ୟୁତିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏହା ଘଟିଥିବା ସ୍ପଷ୍ଟ କରିଚନ୍ତି ରେଳମନ୍ତ୍ରର ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଏହାର କବଚ ସହ କୌଣସି ସମ୍ପର୍କ ନାହିଁ।
ତେବେ ଏଠି ପ୍ରଶ୍ନ ଉଠେ କ’ଣ ଏହି କବଚ ବା ଆଣ୍ଟି କୋଲିଜନ ଡିଭାଇସ ସିଷ୍ଟମ ? ଏହା ଥିଲେ କାହିଁକି ଦୁର୍ଘଟଣା ଘଟି ନ ଥାନ୍ତା ? ରେଳବାଇର ସୂଚନାନୁସାରେ, ଆଣ୍ଟି କୋଲିଜନ ଡିଭାଇସ ସିଷ୍ଟମ ଦୁର୍ଘଟଣାକୁ ପୂର୍ବାନୁମାନ କରିପାରୁଥିବା ଏକ ଯନ୍ତ୍ର। ଟ୍ରେନ୍ର ଇଞ୍ଜିନ ଓ ସବା ପଛ ଡବାରେ ଏହି ଯନ୍ତ୍ରାଂଶ ଖଞ୍ଜାଯାଇଥାଏ। ଫଳରେ ଏହା ଚାଳକଙ୍କୁ ଟ୍ରେନ୍ର ଭୌଗୋଳିକ ସ୍ଥିତି, ବେଗ ଏବଂ ସମୟ ବିଷୟରେ ଲଗାତାର ସୂଚନା ଦେଇଥାଏ।
ଏହି ଯନ୍ତ୍ର ଦ୍ୱାରା ଯଦି ଗୋଟିଏ ଟ୍ରାକ୍ରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ଥିବା କିମ୍ବା ଆଗ-ପଛ ହୋଇ ଥିବ ତେବେ ୩୮୦ ମିଟର ପୂର୍ବରୁ ଟ୍ରେନ୍ ଆପେ ଆପେ ଅଟକିଯିବ। ପ୍ଲାଟଫର୍ମରେ ଆସିବା ପୂର୍ବରୁ ଏହି ସିଷ୍ଟମ ଚାଳକଙ୍କୁ ଆଲର୍ଟ କରିଦିଏ।
ଏହା ଦୁର୍ଘଟଣା ରୋକିବା ସହ କୁହୁଡ଼ିରେ ବି ଚାଳକଙ୍କୁ ସାହାଯ୍ୟ କରିବ । କାରଣ କୁହୁଡି ଯୋଗୁ ଲୋକୋ-ପାଇଲଟ୍ଙ୍କୁ କିଛି ଦେଖା ନଯିବା ସମୟରେ ଏହି ଯନ୍ତ୍ର ସହାୟକ ହୋଇପାରିବ। ସେତିକି ନୁହେଁ, ଲୁପ-ଲାଇନ୍ କ୍ରସିଂ ଅତିକ୍ରମ କରିବା ବେଳେ ଏହା ଇଞ୍ଜିନର ଗତିକୁ ଘଣ୍ଟା ପ୍ରତି ୩୦ କିମି କମାଇ ଦେବ । ଏପରିକି ଆବଶ୍ୟକ ସମୟରେ ଚାଳକ, ଗାର୍ଡ ଏବଂ ଷ୍ଟେସନ୍ମାଷ୍ଟରଙ୍କ ପାଖକୁ ଜରୁରୀକାଳୀନ ଏସ୍ଓଏସ୍ ମେସେଜ ମଧ୍ୟ ପଠାଇଥାଏ।
ଏହି ଯନ୍ତ୍ରାଂଶ ଟ୍ରେନରେ ଲାଗିଥିଲେ ୩ କିମି ପରିଧି ମଧ୍ୟରେ ସମସ୍ତ ଟ୍ରେନ୍କୁ ଅଟକା ଯାଇପାରିବ । ଫଳରେ ମୁହାଁମୁହିଁ ଧକ୍କା, ପାର୍ଶ୍ବରେ ଧକ୍କା, ପଛପଟେ ଧକ୍କା ଭଳି ଅଘଟଣକୁ ରୋକାଯାଇପାରିବ। ୧୦ କି.ମି ଦୂରତାରୁ ଚାଳକ ଅଘଟଣ ସଂପର୍କରେ ଆଗୁଆ ସତର୍କ ହୋଇପାରିବେ। ଯଦି ଚାଳକ ଗତି ନିୟନ୍ତ୍ରଣ କରି ନପାରିଲେ, ତେବେ ଏହି ଯନ୍ତ୍ରାଂଶ ଟ୍ରେନ୍ର ଗତିକୁ ଘଣ୍ଟାକୁ ୨୦ କିଲୋମିଟର କମାଇ ଦେବ। ଫଳରେ ଦୁର୍ଘଟଣାର ତୀବ୍ରତା କମିବ।
୨୦୦୨ ମସିହାରୁ କୋଙ୍କଣ ରେଳବାଇ ପକ୍ଷରୁ ଆଣ୍ଟି-କୋଲିଜନ୍ ଡିଭାଇସ୍ ସିଷ୍ଟମର ପରୀକ୍ଷଣ କରାଯାଉଛି। ରେଳବାଇ ସୂଚନାନୁସାରେ, ଏହି ଯନ୍ତ୍ରାଂଶର ସୁରକ୍ଷା ଏବଂ ବିଶ୍ବସନୀୟତା ଏତେ ସୁଦୃଢ଼ ଯେ ୧୦ ହଜାରରୁ ମାତ୍ର ଗୋଟିଏରେ କୌଣସି ତ୍ରୁଟି ଦେଖାଯାଇପାରେ। ତେବେ ଆଣ୍ଟି-କଲିଜନ୍ ଡିଭାଇସ୍ ସିଷ୍ଟମ୍ର ଦୁର୍ବଳତା ଏହା ଯେ, ଉଭୟ ଟ୍ରେନ୍ରେ ଏହି ଡିଭାଇସ୍ ଲାଗି ନଥିଲେ ଏହା କାର୍ଯ୍ୟ କରିନଥାଏ।
Comments are closed.