Latest Odisha News

ମହାସାଗର ତଳେ ଉତ୍ପନ୍ନ ହେଉଛି ‘ଡାର୍କ ଅକ୍ସିଜେନ’, ଏହା ନରହିଲେ ଜୀବଜଗତକୁ ବିପଦ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ଜିନିଷ ରହିଛି ଯାହା ବିଷୟରେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରି ନାହାଁନ୍ତି। ଏହି କାରଣରୁ ପ୍ରତିଦିନ କିଛି ନା କିଛି ନୂଆ ଆବିଷ୍କାର ଆମ ସାମ୍ନାକୁ ଆସେ। ମହାସାଗର ଗଭୀରତାରେ ମଧ୍ୟ ସମାନ ଆବିଷ୍କାର କରାଯାଇଥିଲା, ଯେଉଁଠାରୁ କିଛି ଉତ୍ପନ୍ନ ହୋଇଛି ଯାହା ବୈଜ୍ଞାନିକମାନଙ୍କୁ ଚକିତ କରିଛି। ମହାସାଗର ତଳେ ସୂର୍ଯ୍ୟାଲୋକ ବିନା ଉତ୍ପନ୍ନ ହେଉଛି ଅମ୍ଳଜାନ। ଯାହାକୁ ଡାର୍କ ଅକ୍ସିଜେନ କୁହାଯାଉଛି।

ଡାର୍କ ଅକ୍ସିଜେନ କ’ଣ?

ଉତ୍ତର ପ୍ରଶାନ୍ତ ମହାସାଗରର କ୍ଲାରିଓନ୍ କ୍ଲିପର୍ଟନ୍ ଜୋନରେ ଧାତୁର ଛୋଟ ଛୋଟ ନୋଡୁଲ୍ସ ଦେଖିବାକୁ ମିଳିଛି। ଏହି ନୋଡୁଲ୍ସ ବା ପିଣ୍ଡ ଗୁଡ଼ିକ ମହାସାଗରର ଚଟାଣରେ ସମ୍ପୁର୍ଣ୍ଣ ବିସ୍ତାରିତ ହୋଇ ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନୋଡୁଲ୍ସଗୁଡ଼ିକ ନିଜସ୍ୱ ଅମ୍ଳଜାନ ଉତ୍ପାଦନ କରନ୍ତି, ଯାହା ବୈଜ୍ଞାନିକମାନେ ଡାର୍କ ଅକ୍ସିଜେନର ନାମ ଦେଇଛନ୍ତି। ଧାତୁରେ ନିର୍ମିତ ଏହି ବଲଗୁଡ଼ିକ ଦେଖିବାକୁ ଆଳୁ ପରି। ଏହି ନୋଡୁଲ୍ସ ଗୁଡ଼ିକ ସମ୍ପୂର୍ଣ୍ଣ ଅନ୍ଧକାରରେ ଅମ୍ଳଜାନ ଉତ୍ପାଦନ କରନ୍ତି।

ସ୍କଟଲ୍ୟାଣ୍ଡ୍ ଆସୋସିଏସନ୍ ଫର୍ ମେରାଇନ୍ ସାଇନ୍ସ (SAMS) ର ବୈଜ୍ଞାନିକ ଆଣ୍ଡ୍ରିୟୁ ସ୍ୱିଟମ୍ୟାନଙ୍କ ଅନୁଯାୟୀ ଯେତେବେଳେ ସେ ଏହି ତଥ୍ୟ ପ୍ରଥମେ ପାଇଲେ ସେତେବେଳେ ସେ ଭାବିଥିଲେ ଯେ ସେନ୍ସର ବିଫଳ ହୋଇଛି। କାରଣ ସମୁଦ୍ର ତଳୁ ଏହିପରି କେହି କେବେ ଦେଖି ନଥିଲେ। ଏହା ଏପରି ଏକ ସ୍ଥାନ ଯେଉଁଠାରେ ସର୍ବଦା ଚିନ୍ତା କରାଯାଉଥିଲା ଯେ ଅମ୍ଳଜାନ ଗ୍ରହଣ କରାଯାଏ ଏବଂ ଉତ୍ପନ୍ନ ହୁଏ ନାହିଁ। ତେଣୁ, ଯେତେବେଳେ ଡାର୍କ ଅକ୍ସିଜେନ ବିଷୟରେ ସାମ୍ନାକୁ ଆସିଲା, ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ପରେ ଏହାର ପୁନଃ ଯାଞ୍ଚ କରାଯାଇଥିଲା।

ଯେଉଁଠାରେ ସୂର୍ଯ୍ୟ କିରଣ ନାହିଁ ସେଠାରେ ଅମ୍ଳଜାନ କିପରି ଆସିଲା?

୧୩ ହଜାର ଫୁଟ ଗଭୀରରେ ଡାର୍କ ଅକ୍ସିଜେନ ଆବିଷ୍କୃତ ହୋଇଛି, ଯେଉଁଠାରେ ତରଙ୍ଗ ନାହିଁ। ଏହି ସ୍ଥାନରେ ସୂର୍ଯ୍ୟ କିରଣ ମଧ୍ୟ ନାହିଁ। ଅମ୍ଳଜାନ ସ୍ୱାଭାବିକ ଭାବରେ ଉତ୍ପାଦିତ ହୁଏ ନାହିଁ ବୋଲି ସଭିଙ୍କର ଧାରଣା ଥିଲା। ଆମେ ଶ୍ୱାସକ୍ରିୟାରେ ଗ୍ରହଣ କରୁଥିବା ପ୍ରାୟ ଅଧା ଅମ୍ଳଜାନ ମହାସାଗରରୁ ଆସେ। କିନ୍ତୁ ଏହି ଆବିଷ୍କାର ପୂର୍ବରୁ ସଭିଙ୍କର ଧାରଣା ଥିଲା ଯେ, ସାମୁଦ୍ରିକ ଉଦ୍ଭିଦଙ୍କ ଦ୍ୱାରା ଫଟୋସିନ୍ଥେସିସରୁ ଏଠାରେ ଅମ୍ଳଜାନ ଉତ୍ପନ୍ନ ହେଉଥିଲା। ମହାସାଗରର ୫ କିମି ଗଭୀରକୁ ସୂର୍ଯ୍ୟାଲୋକ ଯାଇପାରେ ନାହିଁ। ଏହି ସ୍ଥିତିରେ ପ୍ରାକୃତିକ ଧାତବ ନୋଡୁଲ୍ସ ଦ୍ୱାରା ଅମ୍ଳଜାନ ଉତ୍ପନ୍ନ ହେଉଛି, ଯାହା ସମୂଦ୍ର ଜଳ ଏଚ୍‌୨ଓକୁ ଉଦଯାନ ଓ ଅମ୍ଳଜାନରେ ବିଭାଜିତ କରେ।

ବର୍ତ୍ତମାନ ଏହି ରହସ୍ୟ ଜାଣିବା ପରେ ଅନେକ ଖଣି କମ୍ପାନୀ ଏହି ନୋଡୁଲ୍ସକୁ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ଏହା ସଦ୍ୟ ଆବଷ୍କୃତ ଅମ୍ଳଜାନ ଉତ୍ପନ୍ନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ବୋଲି ସାମୁଦ୍ରିକ ବୈଜ୍ଞାନିକମାନେ ଭୟ କରୁଛନ୍ତି। ଏହା ନୋଡୁଲ୍ସ ଉତ୍ପାଦନକାରୀ ଅମ୍ଳଜାନ ଉପରେ ନିର୍ଭରଶୀଳ ତମାମ ସାମୂଦ୍ରୀକ ଜୀବଙ୍କୁ କ୍ଷତି ପହଞ୍ଚାଇବ।

Comments are closed.