Latest Odisha News

BREAKING NEWS

ଈ-ସିଗାରେଟ୍ କ’ଣ ? TMC ସାଂସଦଙ୍କ ଉପରେ ଅଭିଯୋଗ ପରେ ଜାଣନ୍ତୁ ରୋଚକ କଥା

ନୂଆଦିଲ୍ଲୀ: ଭାରତୀୟ ସଂସଦକୁ ଦେଶର ସବୁଠାରୁ ସମ୍ମାନିତ ସଂସ୍ଥା ଭାବେ ଗଣାଯାଏ। କିନ୍ତୁ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଲୋକସଭା ଭିତରେ ଜଣେ ସାଂସଦ ଈ-ସିଗାରେଟ୍ (ଇଲେକ୍‌ଟ୍ରୋନିକ୍ ସିଗାରେଟ୍) ପିଇଥିବା ଅଭିଯୋଗ ଉଠିବା ପରେ ସଦନରେ ଭୟଙ୍କର ହଙ୍ଗାମା ଦେଖିବାକୁ ମିଳିଛି। ବିଜେପି ସାଂସଦ ଅନୁରାଗ ଠାକୁର ଏହି ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, ଜଣେ ଟିଏମ୍‌ସି ସାଂସଦ ସଦନ ଭିତରେ ଈ-ସିଗାରେଟ୍ ବ୍ୟବହାର କରୁଥିଲେ। ଯଦିଓ ସେ ନାଁ ନେଇନଥିଲେ, କିନ୍ତୁ ଇଙ୍ଗିତ ସ୍ପଷ୍ଟ ଥିଲା।

ଏହି ଅଭିଯୋଗ ପରେ ସଦନରେ ସରକାରୀ ଦଳ ଓ ବିରୋଧୀଙ୍କ ମୁହାଁମୁହିଁ ହୋଇଥିଲେ। ସ୍ପିକର ସ୍ପଷ୍ଟ କରିଦେଇଛନ୍ତି ଯେ, ସଦନ ଭିତରେ ଈ-ସିଗାରେଟ୍, ଧୂମପାନ କିମ୍ବା କୌଣସି ନିଷିଦ୍ଧ ବସ୍ତୁ ବ୍ୟବହାର କରିବା ସଂପୂର୍ଣ୍ଣ ନିଷିଦ୍ଧ ଏବଂ ଯଦି ଏହା ପ୍ରମାଣିତ ହୁଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ପରେ ଦେଶବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠିଛି – ଈ-ସିଗାରେଟ୍ କ’ଣ ଏବଂ ଭାରତରେ ଏହା ପୂର୍ଣ୍ଣ ନିଷିଦ୍ଧ ଥାଇ ମଧ୍ୟ ଏହାର ବ୍ୟବହାର ଏତେ ଗମ୍ଭୀର କାରଣ କ’ଣ?

ଈ-ସିଗାରେଟ୍ କ’ଣ?
ଈ-ସିଗାରେଟ୍ ଏକ ଇଲେକ୍‌ଟ୍ରୋନିକ୍ ଡିଭାଇସ୍ ଯାହାକି ତମାଖୁ ଜାଳିବା ବଦଳରେ ଏକ ବିଶେଷ ଲିକ୍ୱିଡ୍‌କୁ ଗରମ କରି ବାଷ୍ପ ସୃଷ୍ଟି କରେ। ଏହି ବାଷ୍ପରେ ନିକୋଟିନ୍, ଫ୍ଲେଭର ଏବଂ ଅନେକ ରାସାୟନିକ ପଦାର୍ଥ ମିଶିଥାଏ। ଏହାକୁ ENDS (Electronic Nicotine Delivery System) ମଧ୍ୟ କୁହାଯାଏ। ଏହା ପେନ୍, USB ଡ୍ରାଇଭ୍ କିମ୍ବା ସାଧାରଣ ସିଗାରେଟ୍ ଭଳି ଦେଖାଯାଏ।

କେମିତି କାମ କରେ?
ଡିଭାଇସ୍ ଭିତରେ ଥିବା ବ୍ୟାଟେରୀ ଓ ହିଟିଂ କଏଲ୍ ଲିକ୍ୱିଡ୍‌କୁ ଗରମ କରି ବାଷ୍ପ ଉତ୍ପନ୍ନ କରେ। ଏହି ବାଷ୍ପକୁ ସାନ୍ସ ସହିତ ଭିତରକୁ ନିଆଯାଏ। ଦେଖାଯିବାକୁ ସାଧାରଣ ଲାଗିଲେ ମଧ୍ୟ ଏଥିରେ ନିକୋଟିନ୍ ଓ ଅନ୍ୟ ରାସାୟନିକ ପଦାର୍ଥ ସାଧାରଣ ସିଗାରେଟ୍‌ଠାରୁ କମ୍ ବିପଜ୍ଜନକ ନିହେଁ।
୨୦୧୯ରେ ଭାରତ ସରକାର ‘ଇଲେକ୍‌ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ୍-୨୦୧୯’ ଲାଗୁ କରି ଈ-ସିଗାରେଟ୍‌ର ଉତ୍ପାଦନ, ବିକ୍ରି, ଆମଦାନି-ରପ୍ତାନି, ବିଜ୍ଞାପନ ଓ ଷ୍ଟୋରେଜ୍ ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରିଛନ୍ତି। ସରକାରଙ୍କ ମତରେ ଯୁବକ ଓ ଶିଶୁମାନେ ଏହାକୁ ‘କୁଲ୍’ ଓ ‘ସୁରକ୍ଷିତ’ ଭାବି ବ୍ୟବହାର କରୁଥିବାରୁ ଏହି କଠୋର ନିଷ୍ପତ୍ତି ନିଆଯାଇଛି।

ଦଣ୍ଡ କ’ଣ?
• ପ୍ରଥମ ଥର ଧରାପଡ଼ିଲେ: ୧ ବର୍ଷ ଜେଲ୍ + ୧ ଲକ୍ଷ ଟଙ୍କା ଜୋରିମାନା
• ଦ୍ୱିତୀୟ ଥର: ୩ ବର୍ଷ ଜେଲ୍ + ୫ ଲକ୍ଷ ଟଙ୍କା ଜୋରିମାନା
• ଷ୍ଟୋରେଜ୍ କରି ଧରାପଡ଼ିଲେ: ୬ ମାସ ଜେଲ୍ + ୫୦,୦୦୦ ଟଙ୍କା ଜୋରିମାନା
ସାଧାରଣ ସିଗାରେଟ୍‌ଠାରୁ କେତେ ବିପଜ୍ଜନକ?
ଅନେକେ ଭାବନ୍ତି ଈ-ସିଗାରେଟ୍ କମ୍ କ୍ଷତିକାରକ, କିନ୍ତୁ ବିଶେଷଜ୍ଞ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭୁଲ୍ ଧାରଣା। ଏଥିରେ ନିକୋଟିନ୍ ଲତ୍ ଲଗାଏ, ହୃଦରୋଗ ବଢ଼ାଏ ଏବଂ ଗର୍ଭାବସ୍ଥା ଉପରେ ଗମ୍ଭୀର ପ୍ରଭାବ ପକାଏ। ସଂସଦରେ ଉଠିଥିବା ଏହି ଘଟଣା ଏକାଥରେ ସଚେତନତା ସୃଷ୍ଟି କରିଛି ଏବଂ ନିଷେଧାଜ୍ଞାକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତଙ୍କୁ ପୁଣି ଥରେ ସତର୍କ କରାଇଛି।

Leave A Reply

Your email address will not be published.