Latest Odisha News

BREAKING NEWS

ବିଜେଡିରେ ହେବାକୁ ଯାଉଛି ବଡ଼ ହଲଚଲ !

ଭୁବନେଶ୍ବର: ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି ନେତା ।  ଦଳର ସଭାପତିଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଆଲୋଚନା କରିଥିବା ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ବିଜେଡି ନେତା । ତେବେ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରଥମେ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଭିଡିଓ କରିବା ଓ ପରେ ବିଜେଡି ନେତା ତାଙ୍କୁ ଭେଟିବା ନେଇ ଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠୁଛି, ପ୍ରେମ ପଟ୍ଟନାୟକଙ୍କ ହଠାତ୍ ଏଣ୍ଟ୍ରି ପଛରେ କାରଣ କଣ? ଯଦି ନବୀନଙ୍କୁ ଭେଟିଲେ, ତାପରେ ତାଙ୍କ ଭାଇ ପ୍ରେମଙ୍କୁ କାହିଁକି ଭେଟିଲେ ବିଜେଡି ନେତା? ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ନେଇ ମିଳୁଛି କି ବଡ଼ ସଂକେତ?

ପ୍ରେମଙ୍କ ଏଣ୍ଟ୍ରି…ଆଗକୁ କ’ଣ?

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ପ୍ରଥମେ ଭିଡିଓରେ ସୂଚନା ଦେଲେ ବଡ ଭାଇ ପ୍ରେମ ପଟ୍ଟନାୟକ । ପ୍ରେମଙ୍କ ଭିଡିଓକୁ ବିଜେଡି ପକ୍ଷରୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଗଲା । ଏହାପରେ ନବୀନଙ୍କୁ ଭେଟିବାକୁ ଯାଇଥିବା ବିଜେଡି ନେତା ପ୍ରେମ ପଟ୍ଟନାୟକଙ୍କୁ ଭେଟିଲେ । ଉଭୟ ଘଟଣାକୁ ମିଶାଇ ଦେଖିଲେ ଅନେକ ଦିଗ ପ୍ରତି ଇଙ୍ଗିତ କରୁଛି । ଗତ ନିର୍ବାଚନ ବେଳେ ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ନବୀନଙ୍କ କ୍ଷମତା ପାଣ୍ଡିଆନ ହାଇଜାକ୍ କରିବା ନେଇ ସାଧାରଣରେ ଏକ ଧାରଣା ସୃଷ୍ଟି ହେବା ଯୋଗୁଁ ବିଜେଡି ହାରିଥିବା କୁହାଗଲା । ବିରୋଧୀ ସିଟରେ ବସିବା ପରେ ବି ବିଜେଡିରେ ପାଣ୍ଡିଆନଙ୍କୁ ନେଇ କନ୍ଦଳ ଥମୁନି। ଓ୍ବାକଫ୍ ବିଲ ଭୋଟିଂ ବେଳେ ବି ଏହି ବିଭାଜନ ଦେଖିବାକୁ ମିଳିସାରିଛି । ତେଣୁ ପ୍ରଶ୍ନ ଉଠୁଛି, ବିଜେଡିରେ ଦେଖା ଦେଇଥିବା ବିବାଦ ତୁଟାଇବାକୁ ନବୀନଙ୍କ ପରିବାରରୁ କେହି ଓଡିଶା ରାଜନୀତିକୁ ଏଣ୍ଟ୍ରି କରିବେ କି ?

ଫଟୋସେସନ୍ ପଛରେ କାରଣ କ’ଣ?

ମୁମ୍ବାଇରେ ନବୀନ ପଟ୍ଟନାୟକ ଚିକିତ୍ସିତ ହେଉଥିବା ହସପିଟାଲ ବାହାରେ ବିଜେଡି ନେତା ଫଟୋ ସେସନ୍ କରିଛନ୍ତି । ନିଜ ଦଳର ସଭାପତିଙ୍କୁ ଭେଟିବାରେ ସମସ୍ୟା ନାହିଁ । ତେବେ ବଡ଼ କଥା ହେଉଛି, ମୁମ୍ବାଇ ଯାଇଥିବା ଅଧିକାଂଶ ନେତା ପାଣ୍ଡିଆନଙ୍କ ସପକ୍ଷବାଦୀ ଗୋଷ୍ଠୀର । ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ ହୁଅନ୍ତୁ କି ସଞ୍ଜୟ ଦାସବର୍ମା କିମ୍ବା ଜିତୁ ବଳବନ୍ତରାୟ । ବିଜେଡିର ଯେଉଁ ନେତାମାନେ ଭିକେ ପାଣ୍ଡିଆନଙ୍କ ନିକଟତମ ଭାବେ ଜଣାଶୁଣା, ସେମାନେ ଏକାଠି ମୁମ୍ବାଇ ଯିବା ଓ ହସପିଟାଲ ବାହାରେ ଏକାଠି ଫଟୋ ଉଠାଇବା ଅନେକ କିଛି ସୂଚାଉଥିବା ଚର୍ଚ୍ଚା ହେଉଛି । କେବଳ ଫଟୋସେସନ୍ ନୁହେଁ ଗଣମାଧ୍ୟମରେ ବୟାନ ବି ଦେଇଛନ୍ତି ମାନସ ମଙ୍ଗରାଜ ଓ ସଞ୍ଜୟ ଦାସବର୍ମା । ସେମାନେ ନବୀନଙ୍କୁ ଭେଟିବା ସହ ପ୍ରେମ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ତେବେ ପ୍ରେମ ପଟ୍ଟନାୟକଙ୍କ ସହ ଆଲୋଚନା କାହିଁକି ଓ କଣ ଆଲୋଚନା କଲେ ସେନେଇ ବି ପ୍ରଶ୍ନ ଉଠୁଛି ।

ବିଜେଡିରେ ହେବ କି କିଛି ବଡ଼?

ବିଜେଡି ନେତା ଏକାଠି ମୁମ୍ବାଇ ଯିବା, ସେଠାରେ ନବୀନଙ୍କୁ ଭେଟିବା ସହ ପ୍ରେମ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଦଳ ଭିତରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେଡି ନେତା ଫଟୋ ସେସନ୍ ପଛର ଉଦ୍ଦେଶ୍ୟ ରାଜନୈତିକ ବୋଲି ଚର୍ଚ୍ଚା ହେଉଛି । ପାଣ୍ଡିଆନ କୋଟେରୀର ନେତା ପ୍ରେମ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ନେଇ ଗଣମାଧ୍ୟମରେ ବୟାନ ରଖିବା ନିଷ୍ପତ୍ତି କାହାର ବୋଲି ପ୍ରଶ୍ନ ଉଠୁଛି । ଏପରିକି ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ହେବାକୁ ଜଣେ ବ୍ୟକ୍ତିବିଶେଷ ମୁମ୍ବାଇରେ ରହି ସବୁ ପ୍ଲଟ୍ ପ୍ରସ୍ତୁତ କରିଥିବା କୁହାଯାଉଛି । ନିଜେ ନବୀନଙ୍କ ସମର୍ଥନ ପାଇବା ପରେ ତାଙ୍କ ପରିବାରର ସମର୍ଥନ ହାସଲ କରିବାକୁ ବିଜେଡି ନେତାଙ୍କୁ ପଠାଇଥିବା ବି ଚର୍ଚ୍ଚା ହେଉଛି । ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟକୁ ନେଇ ବିଜେଡି ଭିତରର କଳି ପଦାରେ ପଡିଥିଲା । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ । ଏଭଳି ସ୍ଥିତିରେ ବିଜେଡିର କିଛି ନେତା ମୁମ୍ବାଇ ଯାଇଥିବା ବେଳେ ଗୋଟିଏ ଗୋଷ୍ଠୀର ନେତା ନିଜକୁ ଶକ୍ତିଶାଳୀ ଭାବେ ସନ୍ଦେଶ ଦେଇଥିବା ବି କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି, କ୍ଷମତାରୁ ହଟିବା ପରେ ଦଳଭିତରେ ଆଭ୍ୟନ୍ତରୀଣ କନ୍ଦଳ ସହ ଯୁଝୁଥିବା ବିଜେଡିରେ ଆଗକୁ କିଛି ବଡ଼ ହେବାକୁ ଯାଉଛି କି?

Comments are closed.