Latest Odisha News

BREAKING NEWS

ଆମେରିକା-ଭାରତ ବାଣିଜ୍ୟରେ କଣ୍ଟା, ‘ନନ-ଭେଜ୍ କ୍ଷୀର’….

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ମଧ୍ୟରେ, ଏବେ ନନଭେଜ୍ ମିଲ୍କ ବା ଆମିଷ କ୍ଷୀରକୁ ନେଇ ବେଶ୍ ଚର୍ଚ୍ଚା । କାରଣ ୱାଶିଂଟନ୍ ଡିସି ଚାହୁଁଛି ଯେ ନୂଆଦିଲ୍ଲୀ ତାର ଦୁଗ୍ଧ ବଜାର ଆମେରିକା ପାଇଁ ଖୋଲିବା ଉଚିତ। କିନ୍ତୁ ଭାରତ ଏହା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସିଧା ସିଧା କହିଛି ନନଭେଜ୍ ମିଲ୍କ ଆମଦାନୀ ହୋଇପାରିବ ନାହିଁ । ଯାହା ଅଣ-ଆଲୋଚନାଯୋଗ୍ୟ କଟକଣା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ଏହି ନନ୍-ଭେଜ୍ ମିଲ୍କ କ’ଣ? ପାରମ୍ପରିକ ଭାବରେ ନିରାମିଷ ବୋଲି ବିବେଚିତ କ୍ଷୀର ଭଳି ଜିନିଷ କିପରି ନନ୍-ଭେଜ୍ ହୋଇପାରେ?

କ’ଣ ଏହି ଆମିଷ କ୍ଷୀର?

ସମଗ୍ର ବିଶ୍ୱରେ ସମସ୍ତେ ଜାଣନ୍ତି ଯେ ଗାଈ ଏବଂ ମଇଁଷି କ୍ଷୀର ସବୁଠାରୁ ଅଧିକ ବ୍ୟବହାର କରାଯାଏ । ମୁଖ୍ୟତଃ ଏମାନେ ଶାକାହାରୀ ହୋଇଥାନ୍ତି । ଏହି ପ୍ରାଣୀମାନେ ଘାସ, ଶସ୍ୟ, ଚାରା ଖାଆନ୍ତି ଏବଂ ତା’ପରେ କ୍ଷୀର ଦିଅନ୍ତି । ଭାରତରେ କ୍ଷୀରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ଧାର୍ମିକ ଏବଂ ସାଂସ୍କୃତିକ ମାନ୍ୟତା ଭାବେ ଏହାକୁ ଅମୃତର ଆଖ୍ୟା ଦିଆଯାଇଛି । ଯାହାକୁ ପୂଜାପାଠ ଠାରୁ ଆରମ୍ଭ କରି ଭଗବାନଙ୍କ ଅଭିଷେକ, ଖାଦ୍ୟରେ ବ୍ୟବହାର କରାଯାଏ । କିନ୍ତୁ ଆମେରିକାରେ କ୍ଷୀରରେ ବ୍ୟତିକ୍ରମ ରହିଛି । ଏଠିକା କ୍ଷୀର ନନଭେଜ୍ ମିଲ୍କ ବା ଆମିଷଯୁକ୍ତ କ୍ଷୀର । କାରଣ ଗାଈମାନଙ୍କୁ ଅଧିକ କ୍ଷୀର ଉତ୍ପାଦନ କରିବା ପାଇଁ, ସେମାନଙ୍କୁ ମାଂସ ଶିଳ୍ପର ଅପଚୟ ଖାଇବାକୁ ଦିଆଯାଏ । ଦି ସେଟଲ ଟାଇମ ଅନୁଯାୟୀ, ଗାଈମାନଙ୍କୁ ଘୁଷୁରୀ, ମାଛ, ଘୋଡା, କୁକୁଡ଼ା ଏବଂ ଏପରିକି କୁକୁର କିମ୍ବା ବିଲେଇ ଅଙ୍ଗ ଖାଇବାକୁ ଦିଆଯାଏ । ଏଥିସହିତ ସେମାନଙ୍କ ପ୍ରୋଟିନ୍ ଏବଂ ଚର୍ବି ପାଇଁ ପଶୁ ରକ୍ତ ମଧ୍ୟ ଦିଆଯାଏ । ଗୋ ଖାଦ୍ୟରେ ପ୍ରାୟତଃ ପଶୁ ଅଂଶର ମିଶ୍ରଣ ହୋଇଥାଏ । ଯେଉଁ କାରଣରୁ ସେଠିକା କ୍ଷୀର ଉତ୍ପାଦକୁ ‘ନନ୍-ଭେଜ୍ ମିଲ୍କ’ କୁହାଯାଏ। ଯାହା ଭାରତର ଧର୍ମବିଶ୍ବାସକୁ ବେଶ୍ ଠେସ୍ ପହଞ୍ଚାଇବ ।

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ବାଧକ

ଆମେରିକା ଚାହୁଁଛି ଯେ ଭାରତ ତା’ର କ୍ଷୀର ପାଇଁ ବଜାର ଖୋଲି ଦେଉ, କିନ୍ତୁ ଭାରତ ଏଥିପାଇଁ ପ୍ରସ୍ତୁତ ନୁହେଁ । କାରଣ କ୍ଷୀର ସମ୍ପର୍କରେ ଭାରତର ନିଜସ୍ୱ ସାଂସ୍କୃତିକ ଭାବନା ଅଛି । ଏହି ସମ୍ପର୍କରେ, ଭାରତ ପ୍ରଥମେ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମଦାନି କରାଯାଉଥିବା କ୍ଷୀର ଏପରି ଗାଈରୁ ଆସୁଥିବା ଦରକାର ଯାହାକୁ ମାଂସ କିମ୍ବା ରକ୍ତ-ଭିତ୍ତିକ ପଶୁ ଉତ୍ପାଦ ଖୁଆଇ ଦିଆଯାଉନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ସମ୍ବେଦନଶୀଳତାରେ ଭାରତ ଏହାକୁ ନନ ନେଗୋସିଏବଲ ରେଡ୍ ଲାଇନ ଭାବରେ ଦେଖୁଛୁ, ଯାହା ତାର ଗ୍ରାହକମାନଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି । ଯାହା ଭାରତ ଆମେରିକା ମଧ୍ୟରେ ୨୦୩୦ ସୁଦ୍ଧା ଏକ ଚୁକ୍ତିନାମା ସୁନିଶ୍ଚିତ କରିବା ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରକୁ ବୃଦ୍ଧି କରିବା ଲକ୍ଷ୍ୟରେ ବାଣିଜ୍ୟ ଆଲୋଚନାରେ ଏକ ବାଧା ସୃଷ୍ଟି କରିଛି । ଏହାକୁ ନେଇ ନୂଆଦିଲ୍ଲୀସ୍ଥିତ ଏକ ଥିଙ୍କ ଟ୍ୟାଙ୍କ୍ ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଜଣେ ଅଧିକାରୀ କହିଛନ୍ତି, ଟିକିଏ ଭାବନ୍ତୁ ଅନ୍ୟ ଏକ ଗାଈର ମାଂସ ଏବଂ ରକ୍ତ ଖାଉଥିବା ଗୋଟିଏ ଗାଇର କ୍ଷୀରରୁ ତିଆରି ବଟର ଆମେ ଖାଉଛେ….ଭାରତ କେବେବି ଏହାକୁ ଅନୁମତି ଦେଇ ନପାରେ । ଅନ୍ୟପଟରେ ଭାରତର ଏହି ଜିଦକୁ ୱାଶିଂଟନ ଡିସି ଅଯଥା ବାଣିଜ୍ୟ ପ୍ରତିବନ୍ଧକ ବୋଲି କହିଛି । ହେଲେ ବିଶ୍ୱର ଶ୍ରେଷ୍ଠ ଦୁଗ୍ଧ ଉତ୍ପାଦନକାରୀ ଭାରତ, ଏହାର ଲକ୍ଷ ଲକ୍ଷ କ୍ଷୁଦ୍ର ଦୁଗ୍ଧ ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ଜିଦରେ ଅଟଳ ରହିଛି ।

Comments are closed.