ନୂଆଦିଲ୍ଲୀ: ଅନୁପ୍ରବେଶ ରୋକିବାକୁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ । ଲାଗୁ କଲେ ୨ଶହ ବର୍ଷ ପୁରୁଣା ଆଇନ । ଶତ୍ରୁ ଦେଶ ଉପରେ ଚାପ ପକାଇ ପାରିବ କି ଆମେରିକା? ପୁଣି ଚମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨ଶହ ବର୍ଷ ତଳର ଏଲିଅନ୍ ଏନିମିଜ ଆକ୍ଟକୁ ପୁଣି ଲାଗୁ କରିବା ସହ ଭେନେଜୁଏଲାର ଶତାଧିକ ଲୋକଙ୍କୁ ଦେଶରୁ ବାହାର କରି ଦେଇଛନ୍ତି ଟ୍ରମ୍ପ । ସେମାନେ ଆତଙ୍କବାଦୀ ସଂଗଠନ ଟ୍ରେନ୍ ଡେ ଆରାଗୁଆ ସହ ସଂପୃକ୍ତ ଓ ଆମେରିକା ମାଟିରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗ ହେଉଛି । କୋର୍ଟଙ୍କ ବାରଣ ସତ୍ତ୍ବେ ଏଭଳି ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ପ୍ରଶାସନ।
ଏଲିଅନ ଏନିମିଜ୍ ଆକ୍ଟ କ’ଣ?
ସ୍ବାଧୀନତା ପାଇବା ପରେ ଆମେରିକା ବ୍ରିଟେନ ଭଳି ଦେଶ ସହ ସଂପର୍କ ବଢାଇବାକୁ ଚାହୁଁଥିଲା । ତେବେ ସେତେବେଳେ ଫ୍ରାନ୍ସ ଏହାକୁ ନେଇ ଆମେରିକାର ବାଟ ଓଗାଳୁଥିଲା । ଫଳରେ ଫ୍ରାନ୍ସ ସହ ଯୁଦ୍ଧ ଆଶଙ୍କାରେ ରହିଥିଲା ଆମେରିକା । ଏଭଳି ସ୍ଥିତିରେ ଯୁଦ୍ଧ ହେଲେ ବ୍ୟାପାର ପାଇଁ ୟୁଏସରେ ରହିଥିବା ଫ୍ରାନ୍ସ ଲୋକ ଆମେରିକା ବିରୋଧରେ ଯାଇ ଫ୍ରାନ୍ସ ପାଇଁ ଗୋପନ ତଥ୍ୟ ସଂଗ୍ରହ କରିପାରନ୍ତି ବୋଲି ଦେଶ ଭୟ କରୁଥିଲା। ଆଉ ସେଥିପାଇଁ ସେତେବେଳେ ଏଲିଅନ୍ ଏନିମିଜ ଆକ୍ଟ ପ୍ରସ୍ତୁତ ହୋଇଥିଲା। ଏହି ଆଇନ ଯୁଦ୍ଧ ସମୟରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରେ । ଯାହାଦ୍ବାରା ସେ କୌଣସି ବିଦେଶୀ ନାଗରିକଙ୍କୁ କଏଦ କରିପାରିବେ କିମ୍ବା ଦେଶରୁ ବାହାର କରିପାରିବେ ।
ତିନି ଥର ହୋଇଛି ଉପଯୋଗ
ଏଲିଅନ୍ ଏନିମିଜ ଆକ୍ଟକୁ ନିୟମିତ ଭାବେ ବ୍ୟବାହର କରାଯାଏନାହିଁ । ଏପର୍ଯ୍ୟନ୍ତ ମାତ୍ର ତିନି ଥର ହିଁ ଆଇନର ଉପଯୋଗ କରାଯାଇଛି । ୧୮୧୨ରେ ଆମେରିକା ଓ ବ୍ରିଟେନ୍ ଯୁଦ୍ଧ ବେଳେ ଏହାକୁ ପ୍ରଥମ ଥର ବ୍ୟବହାର କରାଯାଇଥିଲା । ଆଇନ ବଳରେ ବ୍ରିଟିଶ ନାଗରିକଙ୍କୁ ହିରାସତକୁ ନିଆଯାଇଥିଲା। ଦ୍ବିତୀୟ ଥର ପ୍ରଥମ ବିଶ୍ବଯୁଦ୍ଧ ବେଳେ ଜର୍ମାନୀ ଲୋକଙ୍କୁ ଧରାଯାଇଥିଲା। ତୃତୀୟ ଥର ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଏହାର ଅଧିକ ବ୍ୟବହାର କରାଯାଇଥିଲା । ଜାପାନ ପର୍ଲ ହାର୍ବର ଉପରେ ଆକ୍ରମଣ କରିବା ପରେ ଏକ ଲକ୍ଷରୁ ଅଧିକ ଜାପାନୀ ମୂଳର ଲୋକଙ୍କୁ ହିରାସତକୁ ନିଆଯାଇଥିଲା ।
କାହିଁକି ଟ୍ରମ୍ପ କରୁଛନ୍ତି ଲାଗୁ?
ଦ୍ବିତୀୟ ଥର କ୍ଷମତାକୁ ଆସିବା ପରଠୁ ଆମେରିକାକୁ ଅନୁପ୍ରବେଶକୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଅବୈଧ ପ୍ରବାସୀଙ୍କୁ ଦେଶରୁ ବାହାର କରିବା ପାଇଁ ଆକ୍ସନ୍ ମୋଡରେ ରହିଛନ୍ତି । ଆମେରିକାର ଭଲ ସଂପର୍କ ନଥିବା କିଛି ଦେଶର ଲକ୍ଷ ଲକ୍ଷ ଲୋକ ବି ସେଠାକୁ ଯାଉଥିବା ନେଇ ପୂର୍ବରୁ ଚିନ୍ତା ବ୍ୟକ୍ତ କରିଥିଲେ ଟ୍ରମ୍ପ। ଏବେ ବିଦେଶୀ ଅପରାଧୀ ଗ୍ୟାଙ୍ଗଙ୍କୁ ଦେଶରୁ ବାହାର କରିବାକୁ ଏଲିଅନ୍ ଏନିମିଜ ଆକ୍ଟକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଗତମାସରେ ଭେନେଜୁଏଲାର ଟ୍ରେନ୍ ଡେ ଆରାଗୁଆ ସହ ଲାଟିନ ଆମେରିକାର କିଛି ଗ୍ୟାଙ୍ଗକୁ ବିଦେଶୀ ଆତଙ୍କବାଦୀ ସଂଗଠନ କହିଥିଲା ଟ୍ରମ୍ପ ପ୍ରଶାସନ । ଏସବୁ ଗ୍ୟାଙ୍ଗ ଆମେରିକାରେ ଅପରାଧ, ହିଂସା ଓ ଡ୍ରଗ୍ସ ଚାଲାଣ କରୁଥିବା କୁହାଯାଇଥିଲା। ଏଲିଅନ୍ ଏନିମିଜ ଆକ୍ଟ ଦ୍ବାରା ଗ୍ୟାଙ୍ଗ ସହ ସଂପୃକ୍ତ ଲୋକଙ୍କୁ ଦେଶରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଟ୍ରମ୍ପ ସରକାରଙ୍କ ଏହି ନିଷ୍ପତ୍ତିକୁ କୋର୍ଟରୁ ଚ୍ୟାଲେଞ୍ଜ ମିଳିଛି । ଏଲିଅନ୍ ଏନିମିଜ ଆକ୍ଟକୁ ଯୁଦ୍ଧ ସମୟରେ ବିଦେଶୀ ଶତ୍ରୁଙ୍କ ବିରୋଧରେ ଉପଯୋଗ କରାଯାଏ । ଅପରାଧିକ ଗ୍ୟାଙ୍ଗ ବିରୋଧରେ ଏହାକୁ ଉପଯୋଗ କରିବାକୁ ବିରୋଧ କରିବା ସହ ବାହାର କରାଯାଇଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ କୋର୍ଟ କହିଛନ୍ତି । ସେପଟେ ଭେନେଜୁଏଲା ଓ ଆମେରିକା ମଧ୍ୟରେ ସଂପର୍କ ଭଲ ନଥିବାରୁ ଅବୈଧ ପ୍ରବାସୀଙ୍କୁ ଅଲ ସାଲ୍ବାଡୋର ପଠାଯାଇଛି । ନିସର୍ତ୍ତରେ ନିଜ ଦେଶର ନାଗରିକଙ୍କୁ ଆପଣାଇବାକୁ ଭେନେଜୁଏଲାକୁ କହିଛନ୍ତି ଟ୍ରମ୍ପ । ନହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ସେ ଚେତାବନୀ ଦେଇଛନ୍ତି ।